ନୂଆଦିଲ୍ଲୀ,୨୪ା୭: କକ୍ରୋଚ୍ ଜନତା ପାର୍ଟି (ସିଜେପି)ର ଗତ ୨୦ ତାରିଖ ଚଲୋ ସଂସଦ ଅଭିଯାନ ବେଳେ ଛାତ୍ରୀଛାତ୍ରଙ୍କ ଉପରେ ଲାଠିମାଡ଼ କରାଯିବାରୁ ଅନେକେ ଆହତ ହୋଇଥିଲେ। ପୋଲିସ ବର୍ବରତାର ପ୍ରତିବାଦରେ ଶୁକ୍ରବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ସିଜେପି ଗୁରୁବାର ଡାକରା ଦେଇଛି। ଏଥିରେ ବହୁସଂଖ୍ୟାରେ ସମର୍ଥକ, ଛାତ୍ର ସଂଗଠନ ଏବଂ ସିଭିଲ୍ ସୋସାଇଟି ଗ୍ରୁପ୍ ସାମିଲ ହେବାକୁ ନିବେଦନ କରାଯାଇଛି। ପୋଲିସ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଥିବା ଛାତ୍ରୀଛାତ୍ର ଓ ଅନ୍ୟମାନଙ୍କ ସମର୍ଥନରେ ପ୍ରତି ଜିଲାରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରାଯିିବ। ସିଜେପି ପକ୍ଷରୁ ସୋସିଆଲ ମିଡିଆରେ ଏକ ପୋଷ୍ଟର ଶେୟାର କରାଯାଇଛି। ଏଥିରେ ସାରା ଦେଶର ଜନସାଧାରଣଙ୍କୁ ବିକ୍ଷୋଭରେ ସାମିଲ ହେବାକୁ ନିବେଦନ କରାଯାଇଥିବାବେଳେ ‘ପ୍ରତି ଜିଲା, ଗୋଟିଏ ଦିନ, ଗୋଟିଏ ଦାବି’ ବୋଲି ଲେଖାଯାଇଛି। ବିକ୍ଷୋଭରେ ଭାଗନେବାକୁ ଥିବା ଲୋକମାନେ ନିର୍ଦ୍ଦିଷ୍ଟ ସ୍ଥାନରେ ଏକାଠି ହେବାକୁ ଓ ଏହା ପୂର୍ବରୁ ଛାତ୍ରୀଛାତ୍ରଙ୍କ ଦାବି ସମ୍ପର୍କରେ ଜାଣିବାକୁ ସିଜେପି କହିଛି।