ଆଜିଠୁ ଜାତୀୟ ତୋଷାଳି ମେଳା

ଭୁବନେଶ୍ୱର,୨୮।୩(ବ୍ୟୁରୋ): ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଷୋଡ଼ଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ସୋମବାର ୨୮ ତାରିଖରୁ ଭୁବନେଶ୍ବରସ୍ଥିତ ଜନତା ମଇଦାନରେ ଆରମ୍ଭ ହେବ। ଏପ୍ରିଲ ୧୦ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମେଳାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସା ୬ଟାରେ ଉଦ୍‌ଘାଟନ କରିବେ। ଦେଶର ବିଭିନ୍ନ ସ୍ଥାନରୁ କାରିଗର ଓ ବୁଣାକାର ଏଥିରେ ଅଂଶଗ୍ରହଣ କରି ସେମାନଙ୍କ ପାରମ୍ପରିକ ତଥା ସମସାମୟିକ ହସ୍ତତନ୍ତ ଏବଂ ହସ୍ତଶିଳ୍ପ ଉତ୍ପାଦ ପ୍ରଦର୍ଶନ କରିବେ। ଚଳିତ ବର୍ଷ ୩୯୦ଟି ହସ୍ତତନ୍ତ ଏବଂ ହସ୍ତଶିଳ୍ପ ଷ୍ଟଲ୍‌ ଖୋଲିବ। ଚଳିତବର୍ଷ ପ୍ରଥମକରି ଅନ୍ୟ ରାଜ୍ୟର ହସ୍ତଶିଳ୍ପ ଓ ହସ୍ତତନ୍ତ ନିଗମଗୁଡିକୁ ଆମନ୍ତ୍ରଣ କରାଯାଇଛି। ଓଡ଼ିଆ ପାରମ୍ପରିକ ଖାଦ୍ୟ ସହିତ ସମସ୍ତ ପ୍ରକାର ସୁସ୍ବାଦୁ ଖାଦ୍ୟର ମଜା ଉଠାଇବା ନିମନ୍ତେ ୩୦ ଷ୍ଟଲ ବିଶିଷ୍ଟ ଏକ ଖାଦ୍ୟ ବଜାରର ବ୍ୟବସ୍ଥା କରାଯାଇଛି। ଖରାକୁ ଦୃଷ୍ଟିରେ ରଖି ଏହି ମେଳା ଅପରାହ୍ନ ୩ରୁ ରାତି ୧୦ ଯାଏ ଚାଲିବ। ମେଳା ପରିସରରେ ମାସ୍କ ବ୍ୟବହାର ଏବଂ ସାମାଜିକ ଦୂରତା ବାଧ୍ୟତାମୂଳକ କରାଯାଇଛି। ମେଳାର ଥିମ୍‌ ପାଭିଲିଅନ୍‌ରେ ସଂକଳ୍ପ ଜାତୀୟ ପ୍ରକଳ୍ପ ଅଧୀନରେ କେନ୍ଦ୍ରାପଡାର କାଇଁଚ ହସ୍ତଶିଳ୍ପକୁ ପ୍ରଦର୍ଶନ କରାଯିବ। କୌଣସି ଉଚ୍ଚମାନର ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ନାହିଁ। ଛୋଟ ତଥା ପାରମ୍ପରିକ ସାଂସ୍କୃତିକ କାର୍ଯ୍ୟକ୍ରମ ଯଥା ଧୁଡୁକି, କେନ୍ଦରା, ଦାସକାଠିଆ, ପାଲା, କୀର୍ତ୍ତନ ଏବଂ ସ୍ଥାନୀୟ ଲୋକନୃତ୍ୟ ଇତ୍ୟାଦି ତୋଷାଳି ଜାତୀୟ ମେଳା ପରିସରରେ ପ୍ରଦର୍ଶିତ ହେବ। ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ସହିତ ଭାରତ ସରକାରଙ୍କ ହସ୍ତତନ୍ତ ମନ୍ତ୍ରଣାଳୟର ବିକାଶ ଆୟୁକ୍ତ (ହସ୍ତଶିଳ୍ପ) ଓ ବିକାଶ ଆୟୁକ୍ତ (ହସ୍ତତନ୍ତ)ଙ୍କ ସହଭାଗିତାରେ ରାଜ୍ୟ କଳା ଓ ହସ୍ତଶିଳ୍ପ ବିକାଶ ଅନୁଷ୍ଠାନ (ସିଡାକ) ତରଫରୁ ଏହି ଜାତୀୟ ମେଳାର ଆୟୋଜନ କରାଯାଉଛି। ସୂଚନା ଓ ଲୋକସମ୍ପର୍କ ବିଭାଗ ସମ୍ମିଳନୀ କକ୍ଷରେ ଆୟୋଜିତ ଖବରଦାତା ସମ୍ମିଳନୀରେ ବିଭାଗୀୟ ମନ୍ତ୍ରୀ ପଦ୍ମିନୀ ଦିଆନ୍‌ ଏ ସମ୍ପର୍କରେ ସୂଚନା ଦେଇଥିବାବେଳେ ଶାସନ ସଚିବ ଶୁଭାଶର୍ମା, ହସ୍ତତନ୍ତ ଓ ବୟନଶିଳ୍ପ ନିର୍ଦ୍ଦେଶକ ସୁଶାନ୍ତ କୁମାର ଦାଶ ଏବଂ ବିଭାଗୀୟ ସ୍ବତନ୍ତ୍ର ସଚିବ ସରୋଜ କୁମାର ପଟେଲ ଉପସ୍ଥିତ ଥିଲେ।