Categories: ଜାତୀୟ

ବିଭ୍ରାନ୍ତିକର ବିଜ୍ଞାପନକୁ ନେଇ ‘ପତଞ୍ଜଳି’କୁ ଅଦାଲତ ଅବମାନନା ନୋଟିସ୍‌

ନୂଆଦିଲ୍ଲୀ,୨୭।୨: ଯୋଗଗୁରୁ ରାମଦେବଙ୍କ ଅଡ଼ୁଆ ବଢ଼ିଛି। ପତଞ୍ଜଳି ଆୟୁର୍ବେଦ ଏବଂ ଏହାର ପରିଚାଳନା ନିର୍ଦ୍ଦେଶକ ଆଚାର୍ଯ୍ୟ ବାଲକ୍ରିଷ୍ଣାଙ୍କୁ ସୁପ୍ରିମକୋର୍ଟ ମଙ୍ଗଳବାର ଅଦାଲତ ଅବମାନନା ନୋଟିସ ଜାରି କରିଛନ୍ତି। ପୂର୍ବରୁ ଉତ୍ପାଦଗୁଡ଼ିକ ଉପରେ ବିଭ୍ରାନ୍ତିକର ବିଜ୍ଞାପନ ବନ୍ଦ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହାସତ୍ତ୍ୱେ ପତଞ୍ଜଳି ଏହାର ଅବମାନନା କରିଥିଲା। ଏଣୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଉକ୍ତ ସଂସ୍ଥା ଏହାର ଔଷଧୀୟ ଉତ୍ପାଦ ଉପରେ ବିଜ୍ଞାପନ ଦେବାରୁ ବିରତ ରହିବାକୁ ଜଷ୍ଟିସ୍‌ ହିମା କୋହଲି ଏବଂ ଏ. ଅମନୁଲ୍ଲାଙ୍କ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଭୁଲ୍‌ ବିଜ୍ଞାପନ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିବାରୁ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ସରକାର ଆଖି ବନ୍ଦ କରି ବସିଥିବା ଅଦାଲତ କହିଛନ୍ତି।

କହିରଖୁଛୁ, କୋଭିଡ୍‌ ଟିକାକରଣ ବିରୋଧରେ ପତଞ୍ଜଳି ଗ୍ରୁପ୍‌ ମିଥ୍ୟା ପ୍ରଚାର ଚଳାଇଥିବା ନେଇ ଆଇଏମ୍‌ଏ ପିଟିଶନର ଶୁଣାଣି କରି ଗତବର୍ଷ ନଭେମ୍ବରରେ ସର୍ବୋଚ୍ଚ ଅଦାଲତ ବିଭ୍ରାନ୍ତିକର ବିଜ୍ଞାପନକୁ ନିୟନ୍ତ୍ରଣ କରିବା ନିମନ୍ତେ ପ୍ରସ୍ତାବ ଦେବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ପତଞ୍ଜଳି ସମସ୍ତ ମିଥ୍ୟା ଓ ବିଭ୍ରାନ୍ତିକର ବିଜ୍ଞାପନ ତୁରନ୍ତ ବନ୍ଦ କରିବା ପାଇଁ କୋର୍ଟ କହିଥିଲେ।

Share