ଦିଲ୍ଲୀରୁ ଘରକୁ ଫେରୁଥିଲେ, ଜାତୀୟ ପାରା ଆଥ୍‌ଲେଟଙ୍କୁ ହତ୍ୟା,:ରକ୍ତ ଜୁଡ଼ୁବୁଡ଼ୁ…

ଗାଜିଆବାଦ, ୩୦।୫: ଉତ୍ତର ପ୍ରଦେଶର ଗାଜିଆବାଦ ଅଞ୍ଚଳରୁ ଏକ ଅଭାବନୀୟ ତଥା ଦୁଃଖଦ ଖବର ସାମ୍ନାକୁ ଆସିଛି। ଜାତୀୟ ସ୍ତରର ପାରା ଖେଳାଳୀ ଚିରାଗ ତ୍ୟାଗୀଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। କୋତୱାଲି ଥାନା ଅନ୍ତର୍ଗତ ହିନ୍ଦନ ଅଞ୍ଚଳର ସାଇ ଉପବନରୁ ଶନିବାର ସନ୍ଧ୍ୟାରେ ପୋଲିସ ତାଙ୍କର ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର କରିଛି।

ମିଳିଥିବା ସୂଚନା ଅନୁଯାୟୀ, ଚିରାଗ ଶନିବାର ସକାଳେ ଦିଲ୍ଲୀ ସ୍ଥିତ ନିଜ ହଷ୍ଟେଲରୁ ବାହାରି ମୁରାଦନଗର ସ୍ଥିତ ନିଜ ଗାଁ ବସନ୍ତପୁର ସୈଥଲି ଅଭିମୁଖେ ଯାଉଥିଲେ। କିନ୍ତୁ ସେ ଗାଁରେ ପହଞ୍ଚିବା ପୂର୍ବରୁ ହିଁ ନିଖୋଜ ହୋଇଯାଇଥିଲେ। ପରେ ସାଇ ଉପବନ ଜଙ୍ଗଲୀ ଅଞ୍ଚଳରୁ ତାଙ୍କ ମୃତଦେହ ମିଳିଥିଲା। ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକେ ଦେଖିବା ପରେ ସନ୍ଧ୍ୟା ପ୍ରାୟ ୭ଟା ସମୟରେ ପୋଲିସକୁ ସୂଚନା ଦେଇଥିଲେ।

ଏହି ସମ୍ବେଦନଶୀଳ ଘଟଣା ସମ୍ପର୍କରେ ଏସଏଚଓ (SHO) ସଚିନ କୁମାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ପୋଲିସର ପ୍ରାଥମିକ ତଦନ୍ତ ଅନୁଯାୟୀ,ମୃତ ଚିରାଗଙ୍କ ପିଠିରେ ଏକ ଗଭୀର କ୍ଷତ ବା କଣା ରହିଛି।

ତେବେ ଏହି କ୍ଷତ ଗୁଳିମାଡ଼ ଯୋଗୁ ହୋଇଛି ନା ଅନ୍ୟ କୌଣସି ଧାରୁଆ ଅସ୍ତ୍ରରେ ପ୍ରହାର କରାଯାଇଛି, ତାହା ପୋଷ୍ଟମର୍ଟମ (ବ୍ୟବଚ୍ଛେଦ) ରିପୋର୍ଟ ଆସିବା ପରେ ହିଁ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି।

ଜଣେ ଜାତୀୟ ସ୍ତରର ପ୍ରତିଭାବାନ ପାରା ଆଥ୍‌ଲେଟ୍‌ଙ୍କୁ ଏଭଳି ଦିନଦ୍ୱିପ୍ରହରରେ ହତ୍ୟା କରାଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ହତ୍ୟାକାରୀଙ୍କୁ ଧରିବା ପାଇଁ ଘଟଣାସ୍ଥଳର ଆଖପାଖ ସିସିଟିଭି ଫୁଟେଜ୍ ଏବଂ ଚିରାଗଙ୍କ ମୋବାଇଲ୍ କଲ୍ ରେକର୍ଡକୁ ଯାଞ୍ଚ କରୁଛି। ଚିରାଗଙ୍କ ମୃତ୍ୟୁରେ କ୍ରୀଡ଼ା ଜଗତରେ ଗଭୀର ଶୋକର ଛାୟା ଖେଳିଯାଇଛି।

Share