ପୁରୁଷୋତ୍ତମପୁର ଅଦାଲତରେ ଜାତୀୟ ଆଇନ ସେବା ଦିବସ: ସହାୟତା ଯୋଗାଣ ଉପରେ ଗୁରୁତ୍ୱ

ପୁରୁଷୋତ୍ତମପୁର, ୯।୧୧ (ସବିତା ମିଶ୍ର): ଅର୍ଥ ଅଭାବରୁ ଯେପରି କେହି ନ୍ୟାୟ ପାଇବାରୁ ବଞ୍ଚିତ ନ ହୁଅନ୍ତି, ସେଥିପାଇଁ ମାଗଣା ଆଇନ ସହାୟତା ବ୍ୟବସ୍ଥାକୁ ଅଧିକ ଲୋକାଭିମୁଖୀ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଏହି ଅବସରରେ ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ବିଚାର ବିଭାଗୀୟ ଅଦାଲତର ତାଲୁକା ଆଇନ ସେବା କମିଟି ପକ୍ଷରୁ ସୋମବାର ଜାତୀୟ ଆଇନ ସେବା ଦିବସ ପାଳିତ ହୋଇଯାଇଛି।

କମିଟିର ଅଧ୍ୟକ୍ଷା ତଥା ସିଭିଲ ଜଜ୍ (ସିନିୟର ଡିଭିଜନ) ସୁମିତା ଆଚାର୍ଯ୍ୟ ଏହି କାର୍ଯ୍ୟକ୍ରମରେ ପୌରୋହିତ୍ୟ କରି ଜାତୀୟ ଆଇନ ସେବା ଦିବସର ତାତ୍ପର୍ଯ୍ୟ ଓ ଆଇନ ସେବାର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଯୋଗ୍ୟ ବ୍ୟକ୍ତିମାନଙ୍କୁ କିପରି ମାଗଣାରେ ଆଇନ ସହାୟତା ଯୋଗାଇ ଦିଆଯାଇପାରିବ, ସେ ଦିଗରେ ସେ ଗୁରୁତ୍ୱାରୋପ କରିଥିଲେ।

ପ୍ରଥମ ଶ୍ରେଣୀ ବିଚାରପତି ଅନନ୍ୟା ଅପର୍ମିତା ଏଥିରେ ଯୋଗଦେଇ ଆଇନ ସେବା ମାଧ୍ୟମରେ ସାଧାରଣ ଲୋକେ କିପରି ଉପକୃତ ହୋଇପାରିବେ, ସେ ସମ୍ପର୍କରେ ନିଜର ମତ ରଖିଥିଲେ।

ଏହି କାର୍ଯ୍ୟକ୍ରମରେ ଓକିଲ ସଂଘର ସଭାପତି ପ୍ରକାଶଚନ୍ଦ୍ର ତ୍ରିପାଠୀ, ସମ୍ପାଦକ ରବୀନ୍ଦ୍ର କୁମାର ସାହୁଙ୍କ ସମେତ ଜଗନ୍ମୋହନ ପଟ୍ଟନାୟକ, ସୀମାଞ୍ଚଳ ମିଶ୍ର, କୃଷ୍ଣଚନ୍ଦ୍ର ଗୌଡ଼, ପ୍ରଭାତ କୁମାର ପଟ୍ଟନାୟକ, ରବୀନ୍ଦ୍ର କୁମାର ବେହେରା, କୃଷ୍ଣଚନ୍ଦ୍ର ସାହୁ, ମନୋଜ କୁମାର ପଟ୍ଟନାୟକ ଓ ପ୍ରଭାତ କୁମାର ଦାଶଙ୍କ ସମେତ ବହୁ ଆଇନଜୀବୀ ଉପସ୍ଥିତ ଥିଲେ।

Share