ଭୁବନେଶ୍ୱର,୨୦।୬ (ସୁନିତ୍ ମିଶ୍ର): ଓଡ଼ିଶାରେ ଚାଲିଥିବା ଏକାଧିକ ଗୁରୁତ୍ୱପୂର୍ଣ୍ଣ ଜାତୀୟ ରାଜପଥ ପ୍ରକଳ୍ପ କାର୍ଯ୍ୟ ବିଳମ୍ବର ସମ୍ମୁଖୀନ ହେଉଛି। ବିଭିନ୍ନ ପ୍ରକାର ପ୍ରଶାସନିକ ଜଟିଳତା କାରଣରୁ କାମରେ ବିଳମ୍ବ ହେଉଛି। ଜମି ଅଧିଗ୍ରହଣ, କ୍ଷତିପୂରଣ ପ୍ରଦାନରେ ବିଳମ୍ବ, ଜଙ୍ଗଲ ଅନୁମୋଦନ, ୟୁଟିଲିଟି ସ୍ଥାନାନ୍ତର ଏବଂ ଜମି ମ୍ୟୁଟେଶନ ଭଳି ଅନେକ କାର୍ଯ୍ୟ ଅଧାରେ ରହିଥିବାରୁ ପ୍ରକଳ୍ପଗୁଡିକର ଅଗ୍ରଗତିରେ ବାଧାପ୍ରାପ୍ତ ହୋଇଛି। ଏଭଳି ପରିସ୍ଥିତିରେ ସମସ୍ତ ସମ୍ପୃକ୍ତ ଜିଲା ପ୍ରଶାସନ ଓ ବିଭାଗଗୁଡ଼ିକୁ ତୁରନ୍ତ ପଦକ୍ଷେପ ନେବା ପାଇଁ ଗତ ୧୧ ତାରିଖରେ ପୂର୍ତ୍ତ ବିଭାଗର ପ୍ରମୁଖ ସଚିବ ସଞ୍ଜୟ କୁମାର ସିଂ ନିର୍ଦ୍ଦେଶ ଦେଇଛନ୍ତି।
ଆର୍ଡବ୍ଲ୍ୟୁଏସ୍ଏସ୍ ଇଆଇସି (ଇଞ୍ଜିନିୟର ଇନ୍ ଚିଫ୍), ଓପିଟିସିଏଲ୍ ନିର୍ଦ୍ଦେଶକ, ଜଗତ୍ସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କଟକ, ଢେଙ୍କାନାଳ, ଅନୁଗୋଳ, ସମ୍ବଲପୁର, ଯାଜପୁର, ନବରଙ୍ଗପୁର ଏବଂ ବାଲେଶ୍ୱର ଜିଲାପାଳ, ସମ୍ପୃକ୍ତ ଡିଏଫ୍ଓମାନଙ୍କୁ ଚିଠି ଲେଖି ସଞ୍ଜୟ କୁମାର କହିଛନ୍ତି, ଏହିସବୁ ସମସ୍ୟାର ତୁରନ୍ତ ସମାଧାନ କର। ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ(ଏନ୍ଏଚ୍ଏଆଇ) ଅଧ୍ୟକ୍ଷ ସନ୍ତୋଷ କୁମାର ଯାଦବ ଏହା ପୂର୍ବରୁ ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଅନେକ ପ୍ରକଳ୍ପର ଅଗ୍ରଗତି ନେଇ ଉଦ୍ବେଗ ପ୍ରକାଶ କରିଥିଲେ। ରାମେଶ୍ୱର-କୋଣାର୍କ ଓ କୋଣାର୍କ-ପାରାଦୀପ ଉପକୂଳ ରାଜପଥ, ଚିଲିକା ମିସିଂ ଲିଙ୍କ୍, କ୍ୟାପିଟାଲ ରିଜିଅନ ଅଫ୍ ରିଂରୋଡ୍, ସମ୍ବଲପୁର ବାଇପାସ୍ ଓ କଟକ-କନ୍ଦରପୁର କରିଡର ଭଳି ପ୍ରକଳ୍ପ ରାଜ୍ୟର ସଡ଼କ ସଂଯୋଗ ଏବଂ ଆର୍ଥିକ ବିକାଶ ପାଇଁ ଅତ୍ୟନ୍ତ ଜରୁରୀ ବୋଲି ସେ ଉଲ୍ଲେଖ କରିଥିଲେ। ଏନ୍ଏଚ୍ଏଆଇ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ, କ୍ୟାପିଟାଲ ରିଜିଅନ ରିଂରୋଡ୍ ପ୍ରକଳ୍ପ ପାଇଁ ଆବଶ୍ୟକ ଜମିର ମାତ୍ର ୫୫% ଉପଲବ୍ଧ ହୋଇଛି। ସେହିପରି ଖୋର୍ଦ୍ଧା, କଟକ ଓ ଢେଙ୍କାନାଳ ଜିଲାର ପ୍ରାୟ ୨୦୯ କୋଟି ଟଙ୍କାର କ୍ଷତିପୂରଣ ବଣ୍ଟନ ଏ ପର୍ଯ୍ୟନ୍ତ ହୋଇପାରି ନାହିଁ। ରାମେଶ୍ୱର-କୋଣାର୍କ ଉପକୂଳ ରାଜପଥରେ ପ୍ରାୟ ୪୧୬ ହେକ୍ଟର ଜମି ଆବଶ୍ୟକ ଥିବାବେଳେ ୩୬୫ ହେକ୍ଟର ଜମି ଅଧିଗ୍ରହଣ ବାକି ଅଛି। ଜଙ୍ଗଲ ଅନୁମୋଦନ ପ୍ରକ୍ରିୟା ମଧ୍ୟ ଶେଷ ହୋଇନାହିଁ। କୋଣାର୍କ-ପାରାଦୀପ ଉପକୂଳ ରାଜପଥ ପାଇଁ ୩୬୯ ହେକ୍ଟର ଜମି ଆବଶ୍ୟକ। କିନ୍ତୁ ଆଦୌ ଜମି ଅଧିଗ୍ରହଣ କାମ ହୋଇନାହିଁ। ଅନେକ ଅଂଶରେ ବୃକ୍ଷ ଗଣନା ଓ ଅଣବନ ଜମି ଚିହ୍ନଟ କାର୍ଯ୍ୟ ଅପେକ୍ଷାରେ ରହିଛି।
ସେହିପରି ସମ୍ବଲପୁର ବାଇପାସ୍ ପ୍ରକଳ୍ପରେ ୧୯୫.୮ ହେକ୍ଟର ଜମି ଆବଶ୍ୟକ ଥିବାବେଳେ ୧୫୭ ହେକ୍ଟର ଜମି ଉପଲବ୍ଧ ହୋଇଛି, ଯାହା ମୋଟ୍ ଆବଶ୍ୟକତାର ୭୯ ପ୍ରତିଶତ ହେବ। ବଅଁରପାଳ-ଗୋଡ଼ିବନ୍ଧ(ଏନ୍ଏଚ୍-୧୪୯) ପ୍ରକଳ୍ପରେ ୭୦.୩୫ ହେକ୍ଟର ଜମି ଆବଶ୍ୟକ ଥିବାବେଳେ ୮୦ ପ୍ରତିଶତ ଜମି ଉପଲବ୍ଧ ହୋଇଛି। ତଥାପି କ୍ଷତିପୂରଣ ବଣ୍ଟନ ଓ ଗୃହ ଉଚ୍ଛେଦ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ନ ଥିବା କାରଣରୁ କାମ ଆଗକୁ ବଢ଼ିପାରୁ ନାହିଁ। ଚଣ୍ଡିଖୋଲ-ପାରାଦୀପ ଓ ଭଦ୍ରକ-ବାଲେଶ୍ୱର ଏନ୍ଏଚ୍-୧୬ ଭଳି ପ୍ରକଳ୍ପଗୁଡିକରେ ମଧ୍ୟ କ୍ଷତିପୂରଣ ବଣ୍ଟନ , ଜମି ମ୍ୟୁଟେଶନ ଓ ବିଦ୍ୟୁତ୍ ଟାଓ୍ବାର ସ୍ଥାନାନ୍ତର କାର୍ଯ୍ୟ ବହୁ ବିଳମ୍ବ ହେଲାଣି। ରାଜ୍ୟର ଅଧିଗୃହୀତ ୧୧୦୦୭ ହେକ୍ଟର ଜମି ମଧ୍ୟରୁ କେବଳ ୭୪୫୮ ହେକ୍ଟର ଜମିର ମ୍ୟୁଟେଶନ ସମ୍ପନ୍ନ ହୋଇଥିବାବେଳେ ୩୫୪୯ ହେକ୍ଟର ଜମିର ମ୍ୟୁଟେଶନ ଏ ପର୍ଯ୍ୟନ୍ତ ବାକି ରହିଛି। ଏହି ପ୍ରକ୍ରିୟା ତ୍ୱରାନ୍ବିତକରିବା ପାଇଁ ରାଜସ୍ବ ବିଭାଗର ହସ୍ତକ୍ଷେପ ମଧ୍ୟ ଲୋଡ଼ାଯାଇଛି।