ଗୁଡ଼ାରି, ୩୧।୮ (ପ୍ରମୋଦ କୁମାର ପତି): ଗୁଡ଼ାରି ଏନ୍ଏସି ପରିସରରେ ସୋମବାର ସ୍ୱାୟତ୍ତ ଶାସନ ଦିବସ ପାଳନ ବେଳେ ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି। ଜାତୀୟ ପତାକା ଉତ୍ତୋଳନ ସମୟରେ ପତାକା ବନ୍ଧାଯାଇଥିବା ଦଉଡ଼ି ଟାଣିବା ବେଳେ ଏନ୍ଏସିର ଉପାଧ୍ୟକ୍ଷ ବାରାଟି ଯୋଗେଶ୍ୱର ରାଓ ଭୁଲବଶତଃ ଦଉଡ଼ି ଛାଡ଼ିଦେଇଥିବା ଅଭିଯୋଗ ହୋଇଛି।
ଫଳରେ ଜାତୀୟ ପତାକା ତଳେ ପଡ଼ିବା ପୂର୍ବରୁ ଉପସ୍ଥିତ ଜଣେ କର୍ମଚାରୀ ତାହାକୁ ଧରି ନେଇଥିଲେ। ଫଳସ୍ୱରୂପ ପତାକା ତଳେ ପଡ଼ିବାରୁ ରକ୍ଷା ପାଇଥିଲା। ଉପସ୍ଥିତ କର୍ମଚାରୀ ଓ ସାଧାରଣ ଲୋକେ ଜାତୀୟ ସଙ୍ଗୀତ ଗାନ କରୁଥିବା ସମୟରେ ଏହି ଘଟଣା ଘଟିଥିଲା।
ଘଟଣାକୁ ନେଇ ସ୍ଥାନୀୟ ମହଲରେ ବିଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି। ଜାତୀୟ ପତାକା ଉତ୍ତୋଳନ ଭଳି ଗୁରୁତ୍ୱପୂର୍ଣ୍ଣ ଅବସରରେ ଏଭଳି ଘଟଣା କିପରି ଘଟିଲା, ତାହାକୁ ନେଇ ପ୍ରଶ୍ନ ଉଠିଛି।
ପ୍ରକାଶ ଥାଉକି, ଏନ୍ଏସି ଅଧ୍ୟକ୍ଷା ସରମିତା ଶବର ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ପାଢ଼ୀ ଅନୁପସ୍ଥିତ ଥିବା ସମୟରେ ଏହି ଘଟଣା ଘଟିଥିଲା।