ଛତ୍ରପୁର,୧୩|୮(ଦିଲ୍ଲୀପ ସାମଲ / ଦ୍ଵାରିକା ପଟନାୟକ): ଆଗାମୀ ସ୍ୱାଧୀନତା ଦିବସ ଅବସରରେ ରାଜଭବନ ତଥା ଲୋକ ସେବା ଭବନରେ ଆୟୋଜିତ ହେବାକୁ ଥିବା ସ୍ୱତନ୍ତ୍ର “ଆଟ୍ ହୋମ୍” କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ରାଜ୍ୟର ଜାତୀୟ ଓ ରାଜ୍ୟ ସ୍ତରୀୟ ପୁରସ୍କାରପ୍ରାପ୍ତ ଶିକ୍ଷକମାନଙ୍କୁ ନିମନ୍ତ୍ରଣ କରାଯାଇଛି। ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ୧୫ ଜଣ ପୁରସ୍କାରପ୍ରାପ୍ତ ଶିକ୍ଷକଙ୍କ ଏକ ତାଲିକା ରାଜ୍ୟପାଳଙ୍କ କାର୍ଯ୍ୟାଳୟକୁ ପଠାଯାଇଛି। ବିଭାଗର ଅତିରିକ୍ତ ସଚିବ ନିତ୍ୟାନନ୍ଦ ସିଂହଙ୍କ ଦ୍ୱାରା ଏନେଇ ଏକ ଚିଠି ଜାରି କରାଯାଇଛି।
ଆସନ୍ତା ଅଗଷ୍ଟ ୧୫ ତାରିଖ ସନ୍ଧ୍ୟା ୬:୧୫ ମିନିଟ୍ରେ ଲୋକ ସେବା ଭବନରେ ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ କଣମଣା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଖ୍ୟାତ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ଅଜିତ କୁମାର ସେଠୀଙ୍କୁ ଏହି ସମ୍ମାନଜନକ କାର୍ଯ୍ୟକ୍ରମରେ ଯୋଗଦେବା ନିମନ୍ତେ ଆନୁଷ୍ଠାନିକ ଭାବେ ଡାକରା ଆସିଛି।
ପ୍ରକାଶ ଯୋଗ୍ୟ, ଅଜିତ ଶିକ୍ଷାଦାନ କ୍ଷେତ୍ରରେ ରଖିଥିବା ଅତୁଳନୀୟ ଅବଦାନ ପାଇଁ ୨୦୨୧ ମସିହାରେ ଗୁରୁ ଦିବସ ଅବସରରେ ଦେଶର ତତ୍କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କଠାରୁ ପ୍ରତିଷ୍ଠିତ ରାଷ୍ଟ୍ରପତି ପୁରସ୍କାର ଗ୍ରହଣ କରିଥିଲେ। ତାଙ୍କର ଏହି ନୂତନ ସଫଳତା ଏବଂ ଆଟ୍ ହୋମ୍ କାର୍ଯ୍ୟକ୍ରମକୁ ଆମନ୍ତ୍ରଣ ପାଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଶିକ୍ଷାପ୍ରେମୀ ଓ ବୁଦ୍ଧିଜୀବୀମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।