ଭୁବନେଶ୍ୱର,୨୯ା୯(ସୁନିତ୍ ମିଶ୍ର):ଓଡ଼ିଶାର ନୂଆ ଡିଜିପି ଚୟନ ପ୍ରସଙ୍ଗକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଏହି ବିଷୟକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଜାରି ରହିଛି। ମଙ୍ଗଳବାର ଏହାର ଶୁଣାଣି ହେବାର ଅଛି। ଡିଜିପି ଚୟନ ନେଇ ରାଜ୍ୟ ସରକାର ୨୦୦୬ ପ୍ରକାଶ ସିଂ ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ପାଳନ କରି ନ ଥିବାବେଳେ ନିର୍ଦ୍ଦିଷ୍ଟ ଜଣେ ଅଫିସରଙ୍କୁ ଉକ୍ତ ପଦରେ ବସାଇବା ଲାଗି ଅନେକ ଭୁଲ୍ ବାଟ ବାଛିଥିବା ଅଭିଯୋଗ ହୋଇଛି।
ଅଭିଯୋଗ ଆଣିଥିବା ସମସ୍ତ ପକ୍ଷଙ୍କ କଥା ଶୁଣିବା ପରେ ରାଜ୍ୟ ସରକାରଙ୍କ ତରଫରୁ ବାକି ଯେଉଁ ପ୍ରଶ୍ନର ଉତ୍ତର ଦିଆଯାଇ ନାହିଁ ସେ ବାବଦରେ ମଙ୍ଗଳବାର ଜଣାଇବାକୁ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ହେଲେ ଏହା ପୂର୍ବରୁ ୧୯୯୩ ବ୍ୟାଚ୍ ଆଇପିଏସ୍ ଅଫିସର ସୁଶାନ୍ତ କୁମାର ନାଥ ସୋମବାର ଦାଖଲ କରିଥିବା ଆଉ ଏକ ଆଫିଡାଭିଟ ଡିଜିପି ଶୁଣାଣିରେ ନୂଆ ମୋଡ଼ ଆଣିଛି। ଡିଜିପି ପଦ ଲାଗି ରାଜ୍ୟ ସରକାର ଦେଇଥିବା ତାଲିକାରେ ସାମିଲ ଥିବା ୧୯୯୩ ବ୍ୟାଚ୍ ଆଇପିଏସ୍ ଅଫିସର ଆର୍.ପି. କୋଚେ ଏବଂ ୧୯୯୪ ବ୍ୟାଚ୍ ଆଇପିଏସ୍ ଅଫିସର ସଞ୍ଜୀବ ପଣ୍ଡା ସି-ଶୋର ଚିଟ୍ଫଣ୍ଡ ଦୁର୍ନୀତି ମାମଲାରେ ସିବିଆଇ ଦ୍ୱାରା ପଚରାଉଚୁରାର ସମ୍ମୁଖୀନ ହୋଇଥିଲେ, ଯାହାର ତଥ୍ୟ କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସ୍ସି)କୁ କାହିଁକି ଦିଆଯାଇ ନାହିଁ ବୋଲି ଆଫିଡାଭିଟରେ ଦର୍ଶାଯାଇଛି।
ନାଥ ତାଙ୍କ ଆଫିଡାଭିଟରେ ଦର୍ଶାଇଛନ୍ତି, ରାଜ୍ୟ ସରକାର ଗତ ୨୪ ତାରିଖରେ ଏକ ଅତିରିକ୍ତ ଆଫିଡାଭିଟ ସୁପ୍ରିମକୋର୍ଟଙ୍କ ନିକଟରେ ଦାଖଲ କରିଥିଲେ। ସେଥିରେ ସରକାର କହିଥିଲେ, ଡିଜିପି ପଦ ଲାଗି ଯେଉଁମାନଙ୍କ ନାମ ୟୁପିଏସ୍ସିକୁ ପଠାଯାଇଛି ସେହି ଅଧିକାରୀମାନଙ୍କ ଇଣ୍ଟିଗ୍ରିଟି ସାର୍ଟିଫିକେଟ ସମ୍ପର୍କିତ ସମସ୍ତ ତଥ୍ୟ ଭଲ ଭାବେ ସମୀକ୍ଷା କରିଥିଲେ। ମାତ୍ର ସରକାର ଦର୍ଶାଇଥିବା ଉକ୍ତ ବିଷୟ ଭୁଲ୍ ବୋଲି ନାଥ ତାଙ୍କ ଆଫିଡାଭିଟରେ କହିଛନ୍ତି। ନାଥ କହିଛନ୍ତି, ସି-ଶୋର ଚିଟ୍ଫଣ୍ଡ ଦୁର୍ନୀତି ମାମଲାରେ ୨୦୧୪ ଜୁନ୍ ୫ ତାରିଖରେ ସିବିଆଇ ଏକ ଏଫ୍ଆଇଆର୍ (ନମ୍ବର ଆର୍ସି ୪୯/ଏସ୍/୨୦୧୪-କେଓଏଲ୍) ରୁଜୁ କରିଥିଲା। ଏ ସମ୍ପର୍କିତ ଖବର ଗଣମାଧ୍ୟମରେ ମଧ୍ୟ ପ୍ରକାଶ ପାଇଥିଲା।
ଉକ୍ତ ତଥ୍ୟ ଅନୁଯାୟୀ, ସିବିଆଇ ପକ୍ଷରୁ ଉକ୍ତ ମାମଲାରେ ଆଇପିଏସ୍ ଅଫିସର ଆର୍.ପି. କୋଚେ ଏବଂ ସଞ୍ଜୀବ ପଣ୍ଡାଙ୍କୁ ପଚରାଉଚୁରା କରାଯାଇଥିଲା। ହେଲେ ଏହି ତଥ୍ୟ ସରକାର ୟୁପିଏସ୍ସି କିମ୍ବା ସୁପ୍ରିମକୋର୍ଟଙ୍କ ନିକଟରେ ରଖିନାହାନ୍ତି। ୨୦୨୫ରେ ହୋଇଥିବା ଏସ୍ଆଇ ପରୀକ୍ଷା ଦୁର୍ନୀତି ନେଇ ଆଇପିଏସ୍ ସୁଶାନ୍ତ କୁମାର ନାଥଙ୍କ ଭୂମିକାକୁ ନେଇ ସିବିଆଇକୁ ଯେପରି ସରକାର ଚିଠି କରି ଉତ୍ତର ମାଗିଲେ, ସେହିପରି କୋଚେ ଏବଂ ପଣ୍ଡାଙ୍କ କ୍ଷେତ୍ରରେ କରାଯାଇ ନାହିଁ।
ସୂଚନାଯୋଗ୍ୟ, ଡିଜିପି ଚୟନ ଲାଗି ଗତ ମେ ମାସରେ ରାଜ୍ୟ ସରକାର ୧୧ ଜଣିଆ ଆଇପିଏସ୍ ଅଫିସରଙ୍କ ତାଲିକା ୟୁପିଏସ୍ସି ନିକଟକୁ ପଠାଇଥିଲେ। ଗତ ଅଗଷ୍ଟ ୭ ତାରିଖରେ ଉକ୍ତ ୧୧ ଜଣିଆ ତାଲିକାରୁ ୩ ଜଣ ଅଫିସରଙ୍କ ନାମ ଚୂଡ଼ାନ୍ତ ଲାଗି ବୈଠକ ବସିବାର ଥିଲା। ମାତ୍ର ଅଗଷ୍ଟ ୩ ତାରିଖରେ ରାଜ୍ୟ ସରକାର ସିବିଆଇକୁ ଚିଠି ଲେଖି ୨୦୨୫ ଏସ୍ଆଇ ଦୁର୍ନୀତି ମାମଲାରେ ଆଇପିଏସ୍ ଅଫିସର ସୁଶାନ୍ତ କୁମାର ନାଥଙ୍କ ଭୂମିକା କ’ଣ ଥିଲା ଏବଂ ତାଙ୍କୁ ଜେରା କରାଯାଇଛି ନା ନାହିଁ ବୋଲି ପଚାରିଥିଲେ।
ଅଗଷ୍ଟ ୪ ତାରିଖରେ ସିବିଆଇ ଏହାର ଉତ୍ତରରେ ଏକ ଚିଠି ଲେଖି ସରକାରଙ୍କୁ ଜଣାଇଥିଲା, ଆବଶ୍ୟକ ପଡିଲେ ନାଥଙ୍କୁ ଜେରା କରାଯାଇପାରେ। ଏହି ଚିଠି ଆଧାରରେ ନାଥଙ୍କ ନାମ ୟୁପିଏସ୍ସି ପଠାଯାଇଥିବା ତାଲିକାରୁ ହଟାଯିବା ସହିତ ତାଙ୍କ ଇଣ୍ଟିଗ୍ରିଟି ସାର୍ଟିଫିକେଟକୁ ସରକାର ପ୍ରତ୍ୟାହାର କରିନେଲେ। ସୁପ୍ରିମକୋର୍ଟରେ ଏହାକୁ ନେଇ ନାଥଙ୍କ ଓକିଲ କରୁଣା ନନ୍ଦୀ ଅଭିଯୋଗ କରିଲେ, ଜଣେ ଅଫିସରଙ୍କୁ ଜେରା କରାଯାଇପାରେ ବୋଲି ଆସିଥିବା ରିପୋର୍ଟ ଆଧାରରେ ତାଙ୍କ ଇଣ୍ଟିଗ୍ରିଟି ସାର୍ଟିଫିକେଟ ପ୍ରତ୍ୟାହାର କରିବା ଠିକ୍ ନୁହେଁ। ବରିଷ୍ଠ ଓକିଲ ପି. ଚିଦାମ୍ବରମ ମଧ୍ୟ ଏନେଇ ପ୍ରଶ୍ନ ଉଠାଇବା ସହିତ କୋର୍ଟକୁ ଜଣାଇଥିଲେ, ଯେଉଁଠାରେ ସିବିଆଇ ନାଥଙ୍କୁ ଜେରା କରାଯାଇପାରେ ବୋଲି କହିଛି, ସେଠାରେ ସରକାର କିନ୍ତୁ କରାଯିବ ବୋଲି ଦର୍ଶାଇଛନ୍ତି। ଏହା ସମ୍ପୂର୍ଣ୍ଣ ଫ୍ରଡ୍ ଅଟେ ବୋଲି ଚିଦାମ୍ବରମ କହିଥିଲେ। ସୁପ୍ରିମକୋର୍ଟଙ୍କ ସହଯୋଗୀ ଆମିକସକ୍ୟୁରୀ ମଧ୍ୟ ନାଥଙ୍କ ଇଣ୍ଟିଗ୍ରିଟି ସାର୍ଟିଫିକେଟ ପ୍ରତ୍ୟାହାର ଘଟଣାକୁ ଭୁଲ୍ ବୋଲି ଦର୍ଶାଇଥିଲେ। ସବୁ ଶୁଣିବା ପରେ ସୁପ୍ରିମକୋର୍ଟ କହିଥିଲେ, ଜଣଙ୍କୁ ଜେରା କରାଯାଇପାରେ ବୋଲି ଚିଠିରେ ଉଲ୍ଲେଖ ଅଛି ବୋଲି, ତାଙ୍କୁ କ’ଣ ଅଭିଯୁକ୍ତ ବୋଲି ଦେଖିବା କି? ଏହା ଘୋଡ଼ା ଆଗରେ ଗାଡ଼ି ରଖିବା ଭଳି କଥା। ମାତ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ମାମଲା ଲଢୁଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କୋର୍ଟକୁ ଜଣାଇଥିଲେ, କେବଳ ନାଥଙ୍କ କଥା ନୁହେଁ, ସରକାର ଯେଉଁସବୁ ଅଫିସରଙ୍କ ନାମ ଡିଜିପି ପଦ ଲାଗି ୟୁପିଏସ୍ସିକୁ ପଠାଇଛନ୍ତି ସମସ୍ତଙ୍କ ଇଣ୍ଟିଗ୍ରିଟି ସାର୍ଟିଫିକେଟକୁ ଭଲ ଭାବେ ସମୀକ୍ଷା କରିଛନ୍ତି। ଏହାକୁ ନେଇ ନାଥ ଏକ ଗୁରୁତର ତଥ୍ୟ ରଖିଛନ୍ତି। ଯଦି ତାଙ୍କର ଏସ୍ଆଇ ପରୀକ୍ଷାରେ ଦୁର୍ନୀତିରେ ସମ୍ପୃକ୍ତି ଅଛି ନା ନାହିଁ ଜାଣିବା ଲାଗି ସିବିଆଇକୁ ଚିଠି କରାଗଲା ଏବଂ କୌଣସି ମାମଲା ବା ଚାର୍ଜଶିଟ୍ ନ ହେବା ସତ୍ତ୍ୱେ ଇଣ୍ଟିଗ୍ରିଟି ସାର୍ଟିଫିକେଟ ପ୍ରତ୍ୟାହାର କରାଗଲା, ତେବେ କୋଚେ ଏବଂ ପଣ୍ଡାଙ୍କ କ୍ଷେତ୍ରରେ କାହିଁକି ଏହା ପାଳନ ହେଲାନି ବୋଲି ସେ ପଚାରିଛନ୍ତି। ଯେଉଁଠାରେ କୋଚେ ଏବଂ ପଣ୍ଡା ସିବିଆଇ ପଚରାଉଚୁରାର ସମ୍ମୁଖୀନ ହେବା ସହିତ ଉକ୍ତ ମାମଲା ଏବେ ମଧ୍ୟ ଚାଲିଥିବା ସେ ଦର୍ଶାଇଛନ୍ତି।
ଅନ୍ୟପଟେ ନାଥ ତାଙ୍କ ଆଫିଡାଭିଟ୍ରେ ଆହୁରି କହିଛନ୍ତି, ଓଡ଼ିଶା ପୋଲିସ ଏସ୍ଆଇ ପରୀକ୍ଷା ପରିଚାଳନା ଦାୟିତ୍ୱ ଆଇଟିଆଇ ଲିମିଟେଡକୁ ଦେବା ନିଷ୍ପତ୍ତି ଯେତେବେଳେ ହୋଇଥିଲା ସେ ସେହି ସମୟରେ ଓଡିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ(ଓପିଆର୍ବି)ର ଅଧ୍ୟକ୍ଷ ପଦରେ ନ ଥିଲେ। ଏହା ବହୁ ପୂର୍ବରୁ ନିଷ୍ପତ୍ତି ହୋଇଥିଲା, ଯେତେବେଳେ ଆଇପିଏସ୍ ସନ୍ତୋଷ କୁମାର ଉପାଧ୍ୟାୟ ଓପିଆର୍ବି ଅଧ୍ୟକ୍ଷ ଥିଲେ। ଆଇଟିଆଇ ଲିମିଟେଡ ସହିତ ଏସ୍ଆଇ ପରୀକ୍ଷା କରିବା ପାଇଁ ହୋଇଥିବା ଚୁକ୍ତିରେ ଓପିଆର୍ବି ଦାୟିତ୍ୱ ଥିଲା ସମ୍ପୂର୍ଣ୍ଣ କାର୍ଯ୍ୟକୁ କେବଳ ତଦାରଖ କରିବ। ସିବିଆଇ ପକ୍ଷରୁ ଏହି ମାମଲାରେ ଯେଉଁ ଚାର୍ଜଶିଟ୍ ଦାଖଲ କରାଯାଇଛି, ସେଥିରେ ଓପିଆର୍ବିର କୌଣସି ଅଧିକାରୀଙ୍କ ନାମ ନାହିଁ।
ଅଗଷ୍ଟ ୪ ତାରିଖରେ ସିବିଆଇ ଦେଇଥିବା ଚିଠିରେ ଦର୍ଶାଇଛି, ଆଇଟିଆଇ ଲିମିଟେଡ ଅଧିକାରୀଙ୍କୁ ଜେରା କରିବା ଲାଗି ପିସି ଆକ୍ଟ ୧୭(ଏ) ଅନୁଯାୟୀ କେନ୍ଦ୍ର ସରକାରଙ୍କ ଅନୁମତି ଲୋଡ଼ାଯାଇଛି। ସେହି ଅନୁମତି ମିଳିବା ପରେ ଆଇଟିଆଇ ଲିମିଟେଡ ଅଧିକାରୀଙ୍କୁ ଜେରା କରାଯିବ। ସେମାନଙ୍କୁ ଜେରା କରିବା ପରେ ଯଦି ଆବଶ୍ୟକତା ପଡ଼େ ନାଥଙ୍କୁ ଜେରା ପାଇଁ ଡକାଯାଇପାରେ।