୧୪୫ ଟେଷ୍ଟ, ୫୭୭ ଉଇକେଟ୍‌; ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରୁ ବାଦ୍‌ ପଡ଼ିବେ ଏହି ଅଭିଜ୍ଞ ଖେଳାଳି! ଟେଷ୍ଟ କ୍ୟାରିୟରକୁ ନେଇ ବଢ଼ିଲା ଚର୍ଚ୍ଚା

ନୂଆଦିଲ୍ଲୀ,୨୭।୧୧: ଅଷ୍ଟ୍ରେଲିଆର ଅଭିଜ୍ଞ ଅଫ ସ୍ପିନର ନାଥନ ଲାୟନଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷ ପର୍ଥରେ ହେବାକୁ ଥିବା ପ୍ରଥମ ଟେଷ୍ଟରୁ ବାଦ୍‌ ଦିଆଯାଇପାରେ। ରିପୋର୍ଟ ଅନୁସାରେ, ଶନିବାର ଘୋଷଣା ହେବାକୁ ଥିବା ଅଷ୍ଟ୍ରେଲିଆ ଦଳରେ ଲାୟନଙ୍କୁ ସ୍ଥାନ ମିଳିବା ନେଇ ଆଶଙ୍କା ରହିଛି। କେବଳ ପ୍ରଥମ ଟେଷ୍ଟ ନୁହେଁ, ବର୍ତ୍ତମାନ ସ୍ଥିତିରେ ନ୍ୟୁଜିଲାଣ୍ଡ ବିପକ୍ଷ ପୂରା ଟେଷ୍ଟ ସିରିଜ ପାଇଁ ମଧ୍ୟ ସେ ଟିମ ମ୍ୟାନେଜମେଣ୍ଟର ପ୍ରଥମ ପସନ୍ଦ ନଥିବା କୁହାଯାଉଛି।

ତେବେ ଭାରତ ଗସ୍ତ ପାଇଁ ଲାୟନଙ୍କ ଦାବିଦାରୀ ଏବେ ବି ରହିଛି। ଆଘାତରୁ ଫେରିବା ପରେ ତାଙ୍କ ପ୍ରଦର୍ଶନ ଆଶାନୁରୂପ ନ ଥିବାରୁ ଟେଷ୍ଟ କ୍ୟାରିୟରକୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି। ଗତ ସିଜିନରେ ଆଶେସ ସିରିଜର ଆଡିଲେଡ ଟେଷ୍ଟରେ ସେ ଗୁରୁତର ହାମଷ୍ଟ୍ରିଂ ଆଘାତର ଶିକାର ହୋଇଥିଲେ। ଏହାପରେ ପଡ଼ିଆକୁ ଫେରି ସେ ୧୦ଟି ଉଇକେଟ୍‌ ନେଇଥିଲେ ମଧ୍ୟ ତାଙ୍କ ବୋଲିଂ ହାର ୪୧.୨୦ ରହିଛି।

ନିକଟରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଗକେବରହାରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରୁ ମଧ୍ୟ ଲାୟନଙ୍କୁ ବାଦ୍‌ ଦିଆଯାଇଥିଲା। ସେହି ମ୍ୟାଚରେ ଅଷ୍ଟ୍ରେଲିଆ ଅତିରିକ୍ତ ଦ୍ରୁତ ବୋଲରଙ୍କୁ ନେଇ ପଡ଼ିଆକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଥିଲା। ନ୍ୟୁଜିଲାଣ୍ଡ ବିପକ୍ଷ ପର୍ଥ ଟେଷ୍ଟରେ ମଧ୍ୟ ଅଷ୍ଟ୍ରେଲିଆ ଏହି ରଣନୀତି ଆପଣାଇପାରେ।

ଗତ ଆଠଟି ଟେଷ୍ଟ ମଧ୍ୟରେ ଏହା ତୃତୀୟ ଥର, ଯେତେବେଳେ ଫିଟ ଥିବା ସତ୍ତ୍ୱେ ଲାୟନଙ୍କୁ ଦଳରୁ ବାହାରେ ବସିବାକୁ ପଡ଼ିଛି। ୨୦୧୩ ପରଠାରୁ ଫିଟ ଥିବା ସମୟରେ ସେ କେବେ ଟେଷ୍ଟ ମ୍ୟାଚରୁ ବାଦ ପଡ଼ିନଥିଲେ। ସେହିପରି ୨୦୧୧ରେ ଟେଷ୍ଟ ପଦାର୍ପଣ କରିବା ପରେ ପ୍ରଥମ ଥର ପାଇଁ ତାଙ୍କୁ ଟେଷ୍ଟ ଦଳର ସ୍କୱାଡ୍‌ରୁ ବାଦ ଦିଆଯିବାର ସ୍ଥିତି ସୃଷ୍ଟି ହୋଇଛି।

ପର୍ଥ ଷ୍ଟାଡିୟମରେ ମଧ୍ୟ ଲାୟନଙ୍କ ରେକର୍ଡ ଖରାପ ନୁହେଁ। ଏହି ମଇଦାନରେ ସେ ୨୯ଟି ଉଇକେଟ୍‌ ନେଇଛନ୍ତି ଏବଂ ତାଙ୍କ ବୋଲିଂ ହାର ୨୧.୨୦ ରହିଛି। ତେବେ ଗତବର୍ଷ ଆଶେସ ସିରିଜର ପର୍ଥ ଟେଷ୍ଟରେ ସେ ମାତ୍ର ଦୁଇ ଓଭର ବୋଲିଂ କରିଥିଲେ।

Dharitri – Odisha’s No.1 Odia Daily

Share
Tags: Nathan Lyon