ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‌କୁ ନରସିଂହଙ୍କ ବିରୋଧ

ଭୁବନେଶ୍ୱର,୨।୧୦(ବ୍ୟୁରୋ): ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‌ ୨୦୨୦କୁ ନେଇ ଗୁରୁବାର ପୁଣିଥରେ ଗୃହରେ ବିରୋଧର ସ୍ବର ଉଠିଥିଲା। ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଗୃହରେ ଏହି ବିଲ୍‌ ସମ୍ପର୍କରେ ବିବୃତି ରଖିବା ପରେ ପ୍ରଥମେ କଂଗ୍ରେସ ପକ୍ଷରୁ ଏହାକୁ ବିରୋଧ କରାଯାଇଥିଲା। କଂଗ୍ରେସ ବରିଷ୍ଠ ବିଧାୟକ ନରସିଂହ ମିଶ୍ର ବିଲ୍‌କୁ ବିରୋଧ କରି ବର୍ତ୍ତମାନ ସମୟରେ ଏହାର ଆବଶ୍ୟକତା ନ ଥିବା କହିଥିଲେ। କରୋନା ସଂକ୍ରମଣକୁ ଏହି ବିଲ୍‌ ରୋକିପାରିବ କି ବୋଲି ସେ ଓଲଟା ପ୍ରଶ୍ନ କରିଥିଲେ। ତରବରିଆ ଭାବେ ସରକାର ବିଲ୍‌ ପାସ୍‌ କରିବାକୁ ଉଦ୍ୟମ କରୁଛନ୍ତି। ଏହା ରାଜ୍ୟର ବିଷୟ ନୁହେଁ, କେନ୍ଦ୍ର ବିଷୟ ବୋଲି ସେ ଦୋହରାଇ ଥିଲେ। ୨୦୧୬ରୁ ରାଜ୍ୟ ସରକାର ଏହି ବିଲ୍‌ ପାସ୍‌ କରିବାର ଉଦ୍ୟମ ଜାରି ରଖିଛନ୍ତି। ଏହା କେନ୍ଦ୍ର ସରକାରଙ୍କ ବିଷୟ ବୋଲି ୨୦୧୮ରେ ଆଇନ ବିଭାଗ କହିବା ପରେ ଏହାକୁ ବନ୍ଦ କରାଯାଇଥିଲା। ଏବେ ପୁଣିଥରେ ଆଉଏକ ଫାଇଲ୍‌ କରାଯାଇ ବିଲ୍‌ ଉପସ୍ଥାପିତ କରାଯାଇଥିବା ସେ କହିଥିଲେ। ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଏହି ଅଧିନିୟମ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ସମସ୍ତ ବିଶ୍ୱବିଦ୍ୟାଳର ଆଡ୍‌ମିନିଷ୍ଟ୍ରେଟିଭ୍‌ ପରିଚାଳନା ଗୋଟିଏ ଆଇନ୍‌ ଦ୍ୱାରା ହୋଇପାରିବ ବୋଲି କହିଥିଲେ। ବିଶ୍ୱବିଦ୍ୟାଳୟ କୁଳପତିମାନଙ୍କ କାର୍ଯ୍ୟକାଳ ୩ ବର୍ଷରୁ ୪ବର୍ଷକୁ ବୃଦ୍ଧିପାଇବ। ରାଜ୍ୟରେ ବିଶ୍ୱବିଦ୍ୟାଳୟ ସଂଖ୍ୟା ବଢିଥିବା ବେଳେ ପ୍ରତ୍ୟେକ ବିଶ୍ୱବିଦ୍ୟାଳୟର ସ୍ବତନ୍ତ୍ର ଅଡିଟ୍‌ ରିପୋର୍ଟ ପ୍ରତିବର୍ଷ ବିଧାନସଭାରେ ଉପସ୍ଥାପନ କରିବା କଷ୍ଟକର ବ୍ୟାପାର। ତେଣୁ ବିଶ୍ୱବିଦ୍ୟାଳୟଗୁଡ଼ିକ ନିଜ ନିଜ ଓ୍ବେବ୍‌ସାଇଟ୍‌ରେ ନିଜ ଅଡିଟ୍‌ ରିପୋର୍ଟ ଅପ୍‌ଲୋଡ୍‌ କରିବାର ବ୍ୟବସ୍ଥା କରାଯାଇଥିବା ମନ୍ତ୍ରୀ କହିଥିଲେ। ବିଜେଡ଼ି ବିଧାୟକ ଅମର ଶତପଥୀ ଏହି ବିଲ୍‌କୁ କେନ୍ଦ୍ରର ନୁହେଁ, ବରଂ ରାଜ୍ୟ ବିଷୟ ବୋଲି କହିଥିଲେ। ଓଡ଼ିଶା ବିଶ୍ୱବିଦ୍ୟାଳୟ(ସଂଶୋଧନ) ବିଧେୟକ ୨୦୨୦ ପାରିତ ହେବାଦ୍ୱାରା ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକୁ ଅଧିକ ସ୍ବତନ୍ତ୍ରତା ମିଳିବ ଏବଂ ପରିଚାଳନାରେ ସ୍ବଚ୍ଛତା ଆସିପାରିବ ବୋଲି ଶତପଥୀ କହିଥିଲେ। ତେବେ ସମୟ ଅଭାବରୁ ବାଚସ୍ପତି ବିଲ୍‌ ଆଲୋଚନାକୁ ଅଧାରେ ରଖି ଗୃହକୁ ୩ ତାରିଖ ପୂର୍ବାହ୍ନ ୧୦ଟା ୩୦ ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ। ୩ ତାରିଖ ଦିନ ବିଲ୍‌ ଉପରେ ସମ୍ପୂର୍ଣ୍ଣ ଆଲୋଚନା କରାଯିବାକୁ ଥିବାବେଳେ ଏହାକୁ ସିଲେକ୍ଟ କମିଟି ନିକଟକୁ ପଠାଯିବାର ସମ୍ଭାବନା ଥିବା ସୂଚନା ମିଳିଛି।