ମାନବିକତାର ଅନନ୍ୟ ଦୃଷ୍ଟାନ୍ତ: ଥାନା ଗାଡ଼ିରେ ମୃତଦେହ ବୋହିଲେ IIC, ପ୍ରଶଂସା କଲେ…

ଆନନ୍ଦପୁର,୧୧।୧୧(ଶୁଭକାନ୍ତ ନାୟକ): ପୋଲିସ କେବଳ ଲାଠି ଓ ଆଇନର ଭୟ ଦେଖାଏ ନାହିଁ, ବରଂ ପୋଲିସ ଭିତରେ ବି ମଣିଷପଣିଆ ଓ ମାନବିକତା ଅଛି— ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କେନ୍ଦୁଝର ଜିଲା ନନ୍ଦିପଦା ଥାନା ଅଞ୍ଚଳରେ। ଜଣେ ୧୯ ବର୍ଷୀୟ ଯୁବକଙ୍କ ରହସ୍ୟଜନକ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଥାନାଧିକାରୀ ନିଜେ ଥାନା ଗାଡ଼ିରେ ମୃତଦେହ ବୋହି ମାନବିକତାର ଏକ ବଡ଼ାମାଧ୍ୟମ ସାଜିଛନ୍ତି।

ସୂଚନା ଅନୁଯାୟୀ, ନନ୍ଦିପଦା ଥାନା ଅଧୀନ ଅଁରା ଗ୍ରାମର ପ୍ରଶାନ୍ତ ଜେନାଙ୍କ ୧୯ ବର୍ଷୀୟ ପୁଅ ଶାନ୍ତନୁ ଜେନାଙ୍କ ମୃତଦେହ ଗତ ସୋମବାର ଅଁରା-ବୃନ୍ଦାବନପୁର ରାସ୍ତା ପାର୍ଶ୍ୱରେ ଥିବା ଏକ ଆବର୍ଜନା ଗଦା ନିକଟରୁ ମିଳିଥିଲା। ଏହି ଅଳ୍ପ ବୟସ୍କ ଯୁବକଙ୍କ ମୃତ୍ୟୁକୁ ନେଇ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯିବା ସହ ଉତ୍ତେଜନା ପ୍ରକାଶ ପାଇଥିଲା। ମୃତକଙ୍କ ମା’ ପ୍ରମିଳା ଜେନାଙ୍କ ଅଭିଯୋଗ ଆଧାରରେ ପୋଲିସ କେସ୍ ନଂ ୪୦୦/୨୦୨୬ ରୁଜୁ କରିଥିଲା।

ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ ଦାବିରେ ପରିବାରବର୍ଗ ଓ ଗ୍ରାମବାସୀ ଓରାଳି-ଶାଳଣିଆଁ ରାସ୍ତାର ଅଁରା ଛକ ନିକଟରେ ମୃତଦେହ ରଖି ଟାୟାର ଜାଳି ରାସ୍ତାରୋକ କରିଥିଲେ। ଘଣ୍ଟା ଘଣ୍ଟା ଧରି ରାସ୍ତା ବନ୍ଦ ରହିବାରୁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଥିଲା।

ଖବର ପାଇ ଘଟଣାସ୍ଥଳରେ ନନ୍ଦିପଦା ଥାନାଧିକାରୀ ଧର୍ମେନ୍ଦ୍ର କୁମାର ଶାନ୍ତି ପହଞ୍ଚିଥିଲେ। ସେ କୌଣସି କଠାର ଆଭିମୁଖ୍ୟ ଗ୍ରହଣ ନକରି ବରଂ ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ ଏବଂ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନର ପ୍ରତିଶୃତି ଦେଇଥିଲେ। ପୁଅକୁ ହରାଇ ଶୋକରେ ଅସୁସ୍ଥ ହୋଇପଡ଼ିଥିବା ମା’-ବାପାଙ୍କୁ ଥାନାଧିକାରୀ ନିଜେ ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଚିକିତ୍ସା କରାଇଥିଲେ।

ସବୁଠାରୁ ବଡ଼ କଥା ହେଲା, ରାସ୍ତାରୋକ ସ୍ଥଳରୁ ମୃତ ଶାନ୍ତନୁଙ୍କ ମୃତଦେହକୁ ନେବା ପାଇଁ ଥାନାଧିକାରୀ ଶ୍ରୀ ଶାନ୍ତି କୌଣସି ଦ୍ୱିଧା ନ କରି ନିଜ ଥାନା ଗାଡ଼ିରେ ମୃତଦେହ ବୋହି ଗ୍ରାମକୁ ପହଞ୍ଚାଇଥିଲେ। ଜଣେ ଥାନାଧିକାରୀ ହୋଇ ମଧ୍ୟ ସେ ଏଭଳି କାର୍ଯ୍ୟ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ଏବଂ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ସର୍ବସାଧାରଣରେ ତାଙ୍କୁ ପ୍ରଶଂସା କରାଯାଉଛି।

ପୁଲିସର ଏହି ତତ୍ପରତା ପରେ ମଙ୍ଗଳବାର ଏହି ଘଟଣାରେ ସମ୍ପୃକ୍ତ ଜଣେ ଅଭିଯୁକ୍ତ ଭୋଳା ଆୟଚକୁ ପୁଲିସ ଗିରଫ କରିଛି। ପୁଲିସର ଏଭଳି ମାନବିକତା ସାଧାରଣରେ ପୁଲିସ ପ୍ରତି ଲୋକଙ୍କ ଭରସା ଓ ବିଶ୍ୱାସକୁ ଆହୁରି ଦୃଢ଼ କରିଛି ବୋଲି ଅଞ୍ଚଳବାସୀ ମତ ପ୍ରକାଶ କରିଛନ୍ତି।

Dharitri – Odisha’s No.1 Odia Daily

Share