ପ୍ରେରଣା ସାଜିଛନ୍ତି ନନ୍ଦିନୀ

କେନ୍ଦୁଝର,୨୪ା୧୧(ଡି.ଏନ.ଏ.)-ବର୍ତ୍ତମାନ ଯୁଗରେ ପୁରୁଷମାନଙ୍କ ସହିତ ମହିଳାମାନେ ସବୁକ୍ଷେତ୍ରରେ ସମକକ୍ଷ ହେଲେଣି। ସାଧାରଣତଃ ମେଶିନ ଅପରେଟିଂ କିମ୍ବା କୌଣସି କଷ୍ଟସାଧ୍ୟ ଶ୍ରମଦାନ କ୍ଷେତ୍ରରେ ମହିଳାମାନେ ସାମାନ୍ୟ ପଛଘୁଞ୍ଚା ଦେଇଥାନ୍ତି। କିନ୍ତୁ ଜଣେ ଝିଅ ଗାଁରେ ଧାନ କଳ ବସାଇ ନିଜେ ସ୍ବାବଲମ୍ବୀ ହେବା ସହ ଅନ୍ୟ ମହିଳାମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ସେ ହେଲେ କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଅନ୍ତର୍ଗତ ଉପରରାଇଗଡ଼ା ପଞ୍ଚାୟତର ଆମୁଣି ଗଁାର ଆଦିବାସୀ ଝିଅ ନନ୍ଦିନୀ ଦେହୁରୀ। ଧାନ କଳ ଦେଇଛି ତାଙ୍କୁ ଏକ ସ୍ବତନ୍ତ୍ର ପରିଚୟ। ସେ ଏହି କଳ କରି ଗାଁ ଲୋକଙ୍କ ମୁହଁରେ ଖୁସି ଦେଇପାରିଛନ୍ତି।
ଇନ୍ଦ୍ରମଣୀ ଦେହୁରୀଙ୍କ ସାନଝିଅ ନନ୍ଦିନୀ ନିଜ ଗଁାରେ ଏକ ଡିଜେଲ ଚାଳିତ ଧାନ କଳ କରି ବେଶ ଦୁଇ ପଇସା ରୋଜଗାର କରୁଛନ୍ତି। ଆମୁଣି ଗ୍ରାମର ଅଧିବାସୀମାନେ ନିଜ ଗ୍ରାମଠାରୁ ୨/୩ କି.ମି. ଅନ୍ୟ ଗ୍ରାମରେ ଥିବା ଧାନ କଳକୁ ଚାଲି ଚାଲି ଯାଇ ଧାନ ପେଶାଇ ଆଣୁଥିଲେ। ଏଥିପାଇଁ ନନ୍ଦିନୀ ନିଜ ଗ୍ରାମରେ ଏକ ଧାନ କଳ ବସାଇବାକୁ ଚିନ୍ତା କରି ବ୍ୟବସାୟ ଆରମ୍ଭ କରିଥିଲେ। ସେ ମଧ୍ୟ ପୂର୍ବରୁ ନିଜ ଘରର ଧାନ କୁଟିବା ପାଇଁ ଅନ୍ୟ ଗାଁକୁ ଯାଉଥିଲେ। ତା’ପରେ ସେ ନିଜେ କିଛି କରିବେ ବୋଲି ଭାବିଥିଲେ। ପ୍ରାୟ ତିନି ବର୍ଷ ପୂର୍ବେ ବ୍ୟାଙ୍କରୁ ୧ଲକ୍ଷ ୬୦ହଜାର ଟଙ୍କା ଋଣ ଆଣି ନିଜ ଗ୍ରାମରେ ଏକ ଡିଜେଲଚାଳିତ ଧାନ କଳ ବସାଇ ନିଜର ପେଟ ପୋଷିବା ସହ ପରିବାରକୁ ମଧ୍ୟ ସାହାଯ୍ୟ କରୁଛନ୍ତି। ଇତିମଧ୍ୟରେ ବ୍ୟାଙ୍କ ଋଣ ମଧ୍ୟ ଶୁଝିଯିବାକୁ ବସିଲାଣି। ଏହାବ୍ୟତୀତ ଏକ ଦୋକାନ ମଧ୍ୟ ସେ କରିଛନ୍ତି। ଏଇଥିରେ ତାଙ୍କ ଘରର ତେଲ ଲୁଣ ସଂସାର ଚଳିଯାଉଛି। କିଛି ମାସ ପୂର୍ବେ ସେ ନିଜ ପାଇଁ ଏକ ମୋଟର ସାଇକେଲ କିଣିଛନ୍ତି। ଯାହାକି ତାଙ୍କୁ ବ୍ୟବସାୟରେ ଜିନିଷ ନେବା ଆଣିବାରେ ବହୁତ ସାହାଯ୍ୟ କରୁଛି। ଆମୁଣି ଗ୍ରାମର ଅଧିକାଂଶ ଝିଅ ମୂଲ ମଜୁରୀ କାମ କରୁଥିବାବେଳେ ନନ୍ଦିନୀ ଧାନ କଳ କରି ମାସକୁ ୧୫,୦୦୦ ଟଙ୍କା ପାଖାପାଖି ରୋଜଗାର କରନ୍ତି। ଧାନ କଳ ବସାଇବା ଉପରେ ନନ୍ଦିନୀ କୁହନ୍ତି, ଧାନ କଳ ପୁରୁଷଙ୍କ ଦ୍ୱାରା ପରିଚାଳିତ ହେଉଥିବାବେଳେ ଗଁା ଲୋକଙ୍କ ଧାନ ପେଶାଇବାର ଅସୁବିଧାକୁ ହୃଦୟଙ୍ଗମ କରି ଏହା ଆରମ୍ଭ କରିଛି। ପ୍ରଥମେ ପ୍ରଥମେ ବ୍ୟବସାୟରେ ଅଳ୍ପ ଅସୁବିଧାର ସମ୍ମୁଖୀନ ହେଉଥିଲେ ବି ଏବେ ସବୁ ଠିକ୍‌ଠାକ୍‌ ଚାଲିଛି ବୋଲି ସେ କହିଛନ୍ତି।