ମାଟିର ନନ୍ଦିନୀ

ମାଟିର ସୁକନ୍ୟା ନନ୍ଦିନୀ ଶତପଥୀ। ଏକ ବହୁ ପ୍ରସ୍ତଯୁକ୍ତ ସ୍ତମ୍ଭୀୟ ବ୍ୟକ୍ତିତ୍ୱ। ସାରସ୍ବତ ସାଧନାଠାରୁ ସ୍ବାଧୀନତା ସଂଗ୍ରାମ, କ୍ଷମତା ରାଜନୀତିରୁ ଜନସେବାର ବୃହତ୍ତର କ୍ଷେତ୍ର- ସବୁଠି ତାଙ୍କର ସଶ୍ରଦ୍ଧ ପ୍ରବେଶ। ସବୁଠି ପୁଣି ସିଦ୍ଧିର ସ୍ବାକ୍ଷର। ନିଷ୍ଠା ଓ ପରାକାଷ୍ଠାର ଶୀର୍ଷାରୋହଣ। ବିଶେଷକରି ରାଜନୀତି କ୍ଷେତ୍ରରେ ସେ ଯେପରି ପ୍ରବୀଣା, ସାହିତ୍ୟ ସାଧନାରେ ସେମିତି ଧୁରୀଣା। ସମାଜର ଅବହେଳିତ ଓ ନିଷ୍ପେଷିତ ମଣିଷର ବ୍ୟଥା ଓ ବେଦନାକୁ ଦୂର କରିବାର ସଂକଳ୍ପ ନେଇ ସେ ଯେମିତି ରାଜନୀତିର କଣ୍ଟକିତ ପଥରେ ପାଦ ଥାପିଥିଲେ, ସେମିତି ଏକ ମାନବବାଦୀ ଚେତନା ଓ ସମ୍ବେଦନାଭରା ହୃଦୟ ନେଇ ରାତି ରାତି ମଗ୍ନ ରହୁଥିଲେ ସାହିତ୍ୟ ଚର୍ଚ୍ଚାରେ। ରାଜ୍ୟ ସଭା ସଦସ୍ୟା, କେନ୍ଦ୍ରମନ୍ତ୍ରୀ, ଓଡ଼ିଶାର ମୁଖ୍ୟମନ୍ତ୍ରୀ, ରାଜ୍ୟ ଯୋଜନା ବୋର୍ଡ଼ର ଅଧ୍ୟକ୍ଷା, ଅଖିଳ ଭାରତୀୟ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଦସ୍ୟା, ଅଖିଳ ଭାରତ ମହିଳା କଂଗ୍ରେସର ସଭାନେତ୍ରୀ ଓ ପ୍ରଦେଶ କଂଗ୍ରେସର ସଭାନେତ୍ରୀ ଭାବେ କାର୍ଯ୍ୟଦକ୍ଷତା ତାଙ୍କୁ ଯେତିକି ପରିଚୟ ଓ ସମ୍ମାନ ଆଣିଦେଇଛି, ଜଣେ ଗାଳ୍ପିକା, କବୟିତ୍ରୀ ଓ ଅନୁବାଦିକା ଭାବରେ ମଧ୍ୟ ସେ ସାଉଁଟିଛନ୍ତି ସେତିକି ପ୍ରତିଷ୍ଠା ଓ ପ୍ରଶଂସା।
ନନ୍ଦିନୀ ଦେବୀଙ୍କ ଜନ୍ମ (୦୯ା୦୬ା୧୯୩୧) ଏକ ମର୍ଯ୍ୟାଦାବନ୍ତ ସାହିତି୍ୟକ ପରିବାରରେ। ପିତା ପଦ୍ମଶ୍ରୀ କାଳିନ୍ଦୀ ଚରଣ ପାଣିଗ୍ରାହୀ ଥିଲେ ଓଡ଼ିଆ ସାହିତ୍ୟର ପ୍ରଖ୍ୟାତ ଓପନ୍ୟାସିକ ତଥା ସବୁଜ ସାହିତ୍ୟର ମହାନ୍‌ ରଥୀ। ପିତୃବ୍ୟ ଭଗବତୀ ଚରଣ ପାଣିଗ୍ରାହୀ ଥିଲେ ପ୍ରଗତିଶୀଳ ସାହିତ୍ୟ ଚେତନାର ଭଗୀରଥ। ତାଙ୍କ କାଳଜୟୀ ଗଳ୍ପ ‘ଶିକାର’ ଓଡ଼ିଆ ସାହିତ୍ୟର ଅମୂଲ୍ୟ ସମ୍ପଦ। ଅନ୍ୟତମ ପିତୃବ୍ୟ ଦିବ୍ୟସିଂ ପାଣିଗ୍ରାହୀ ବୃତ୍ତିରେ ଓକିଲ ହେଲେ ବି ଜଣେ ସୁସାହିତି୍ୟକ ଭାବେ ପରିଚିତ। ପରିବାରର ସମସ୍ତେ ସାହିତ୍ୟପ୍ରାଣ ହୋଇଥିବାରୁ ଘରକୁ ଅନେକ ବଡ଼ ବଡ଼ ସାହିତି୍ୟକ ଆସୁଥିଲେ ଏବଂ ବୈଠକଖାନାରେ ନିୟମିତ ବସୁଥିଲା ସାହିତ୍ୟ ଆସର। କହିବାକୁ ଗଲେ ଏହି ପରିବାର ଥିଲା ପ୍ରଗତିବାଦୀ ଚେତନାର ପ୍ରୟୋଗଶାଳା ଏବଂ ଏଇଠୁ ତିଆରି ହୋଇଥିଲା ଓଡ଼ିଆ ସାହିତ୍ୟର ଏକ ମହିମାମଣ୍ଡିତ ଯୁଗର ପୃଷ୍ଠଭୂମି। ଏଭଳି ଏକ ସୃଷ୍ଟିଶୀଳ ପରିବେଶରେ ବଢ଼ିଥିବାରୁ ପିଲାଟିବେଳୁ ସାହିତ୍ୟ ପ୍ରତି ନନ୍ଦିନୀ ଦେବୀଙ୍କ ମନରେ ସୃଷ୍ଟି ହୋଇଥିଲା ଏକ ସ୍ବତନ୍ତ୍ର ଅନୁରାଗ। ସେହି ପ୍ରଭାବରେ ସପ୍ତମ ଶ୍ରେଣୀରେ ପଢ଼ିବା ବେଳେ ସ୍କୁଲ ପତ୍ରିକାରେ ସେ ଲେଖିଥିଲେ ନିଜର ପ୍ରଥମ ଗଳ୍ପ ‘ଅନାଥ’। ସେତେବେଳର କଥା ମନେପକାଇ ଏକ ସାକ୍ଷାତ୍‌କାରରେ ସେ କହନ୍ତି- ଛାତ୍ରୀ ଅବସ୍ଥାରୁ ମୁଁ ବରାବର ଲେଖୁଥାଏ। କିଛି କାଗଜକୁ ପଠାଏ, କିଛି ଲେଖା ହୋଇ ପଡ଼ିଥାଏ। ଭାଗ୍ୟକୁ ଯେତେ ଲେଖା କାଗଜକୁ ପଠାଇଲି ସବୁ ପ୍ରକାଶିତ ହୋଇଛି। ତା’ ପରଠୁଁ ମୁଁ ଲେଖିଚାଲିଲି। କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ଯାହା ଥିଲେ ବି କେବେ ବନ୍ଦ କରିନି ଲେଖା। ତାଙ୍କର ଏହି ସଫଳ ସାରସ୍ବତ ପ୍ରତିଭାକୁ ପ୍ରଶଂସା କରି ଅନେକ କହନ୍ତି- ମାଟିର ମଣିଷ ପରେ କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ଶ୍ରେଷ୍ଠ କୃତି ନନ୍ଦିନୀ ଶତପଥୀ।
ପିଲାଟି ଦିନରୁ ତାଙ୍କୁ ବହୁ ଭାବରେ ପ୍ରଭାବିତ କରିଥିଲା ପିତୃବ୍ୟ ଭଗବତୀ ଚରଣ ପାଣିଗ୍ରାହୀଙ୍କ ପ୍ରଜ୍ଞା, ପ୍ରତିଭା ଓ ରାଜନୈତିକ ଆଦର୍ଶ। ସେବେଠୁଁ ତାଙ୍କ ଭିତରେ ଦାନା ବାନ୍ଧିଥିଲା ଅନ୍ୟାୟ, ଅନୀତି ବିରୋଧରେ ସାଲିସବିହୀନ ଲଢ଼େଇ। ଲଢ଼ିବାର ଦମ୍ଭିଲାପଣ ଯୋଗୁ ସାହିତ୍ୟ ସାଧନାକୁ ଜନକ୍ରାନ୍ତିର ଏକ ମାଧ୍ୟମ ଭାବରେ ଗ୍ରହଣ କରି ସେ ଲେଖିଚାଲିଲେ ଗଳ୍ପ ଓ କବିତା। ତାଙ୍କର ଦୁଇ ଗଳ୍ପଗ୍ରନ୍ଥ ‘କେତୋଟି କଥା’ (୧୯୬୭), ‘ସପ୍ତଦର୍ଶୀ’ (୧୯୮୮)ରେ ରୂପାୟିତ ହୋଇଛି ନିମ୍ନବର୍ଗ ମଣିଷଙ୍କ ଦୁଃଖ ଦୈନ୍ୟ ଓ ସଂଘାତର ଚିତ୍ର। ଗଳ୍ପଗୁଡ଼ିକର ଭାବବସ୍ତୁ ତଥା ପାଠକୀୟ ଆବେଦନ ଦୃଷ୍ଟିରୁ ତାହା ଏତେ ଶକ୍ତିଶାଳୀ ଯେ, କେବଳ ବଙ୍ଗଳା, ତେଲୁଗୁ, ତାମିଲ, ମାଲାୟାଲମ, କନ୍ନଡ଼ ଭଳି ବିଭିନ୍ନ ଆଞ୍ଚଳିକ ଭାଷା ନୁହେଁ, ତାହା ଅନୂଦିତ ହୋଇ ସାରିଛି ଇଂଲିଶ୍‌ ଭଳି ଆନ୍ତର୍ଜାତିକ ଭାଷାରେ। ‘ବାବୁଲ୍‌’ ଓ ‘ଗାୟତ୍ରୀ’ ଆଦି କେତୋଟି ଗଳ୍ପ ମଧ୍ୟ ବାରମ୍ବାର ପ୍ରସାରିତ ହୋଇଛି ଦୂରଦର୍ଶନରେ। ତାଙ୍କର ପରବର୍ତ୍ତୀ ଗଳ୍ପ ମଧ୍ୟ ‘ସପ୍ତଦର୍ଶୀ’ ପ୍ରକାଶ ପାଏ ୧୯୮୮ରେ। ବୟାଳିଶଟି କବିତାର ସମାହାର ଉତ୍ତରପୁରୁଷ (୧୯୮୮) ତାଙ୍କ ପ୍ରଗତିବାଦୀ ଚେତନା, ଦାର୍ଶନିକ ଦୃଷ୍ଟିଭଙ୍ଗୀ ଓ ଗଭୀର ଜୀବନାନୁଭୂତିର ଏକ ମିଶ୍ରରାଗ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ସାରା ଓଡ଼ିଶା ବୁଲିବା ଅବସରରେ ସେ ନାରୀମାନଙ୍କର ଅସୁରକ୍ଷିତ ଜୀବନକୁ ଖୁବ୍‌ ନିକଟରୁ ଦେଖିଛନ୍ତି ଏବଂ ତାକୁ ଚିତ୍ରାୟିତ କରିଛନ୍ତି ‘ନାରୀ ତୁମେ ନୁହେଁ ଖାଲି ନାରୀ’ ଓ ‘ସ୍ବପ୍ନର ସେତୁ’ ଆଦି କବିତାରେ। ଦାର୍ଶନିକତା ଦୃଷ୍ଟିରୁ ଠିକଣା ହଜିଗଲା ଏକ ଚମତ୍କାର କବିତା, ଯେଉଁଥିରେ କବୟିତ୍ରୀଙ୍କ ହତାଶା ଜର୍ଜରିତ ପ୍ରାଣର ବେଦନା ଝରିପଡ଼ିଛି ଟୋପା ଟୋପା ହୋଇ। ଭୁବନେଶ୍ୱର ଦୂରଦର୍ଶନ ଦ୍ୱାରା କବିତାଟିର ବାରମ୍ବାର ପ୍ରସାରଣ ହିଁ ପ୍ରମାଣ କରେ ତା’ର ପାଠକୀୟ ଆଦୃତି। ବାସ୍ତବରେ ଦାରିଦ୍ର୍ୟର କଷାଘାତରେ ଜର୍ଜରିତ ମଣିଷ ପ୍ରତି ସମ୍ବେଦନା ନେଇ ସେ ଅନେକ ଗଳ୍ପ ଓ କବିତା ଲେଖିଛନ୍ତି ଏବଂ ଏଇଠୁ ସ୍ଥିତି ସୁଧାରିବାର ପ୍ରେରଣା ନେଇ ମୁଖ୍ୟମନ୍ତ୍ରୀ ଭାବରେ ପ୍ରଣୟନ କରିଛନ୍ତି ଭୂସଂସ୍କାର ଆଇନ। ମହାଜନି ବ୍ୟବସ୍ଥା ରଦ୍ଦ ଓ ଯୌତୁକ ନିରୋଧ ଆଇନ ମଧ୍ୟ ତାଙ୍କ ପ୍ରଗତିକାମୀ ଚିନ୍ତାର ପ୍ରତିଫଳନ।
ନନ୍ଦିନୀ ଦେବୀ କେବଳ ଗାଳ୍ପିକା ଓ କବୟିତ୍ରୀ ନୁହନ୍ତି, ଅଧିକନ୍ତୁ ସେ ଜଣେ ସଫଳ ଅନୁବାଦିକା। ତାଙ୍କର ପ୍ରଥମ ଅନୂଦିତ ପୁସ୍ତକ ହେଉଛି ‘ଗାନ୍ଧି କଥାମୃତ’। କେନ୍ଦ୍ର ସାହିତ୍ୟ ଏକାଡେମୀର ତତ୍କାଳୀନ ସଚିବ କୃଷ୍ଣା କୃପାଳିନୀଙ୍କ ଦ୍ୱାରା ସଂଗୃହୀତ ଓ ସଂଯୋଜିତ ‘ଅଲ୍‌ ମ୍ୟାନ୍‌ ଆର ବ୍ରଦର୍ସ’କୁ ସେ ଓଡ଼ିଆରେ ଅନୁବାଦ କରିଥିଲେ, ଯାହାର ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ଡ. ରାଧାକିଷ୍ଣନ୍‌। ଏହା କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ୱାରା ପ୍ରକାଶ ପାଇଥିତ୍ଲା ୧୯୭୦ ମସିହାରେ। ଭାରତୀୟ ଲେଖିକା ଡ. ଅମୃତା ପ୍ରୀତମ୍‌ ବିଶ୍ୱ ସାହିତ୍ୟରେ ଜଣେ ଚର୍ଚ୍ଚିତ ପ୍ରତିଭା। ତାଙ୍କର ସମଗ୍ର ଜୀବନ ଥିଲା ସାମାଜିକ ଅବକ୍ଷୟ ବିରୁଦ୍ଧରେ ଏକ ନିରବଚ୍ଛିନ୍ନ ସଂଗ୍ରାମ। ଏହି ମହୀୟସୀ ଲେଖିକାଙ୍କ ଆତ୍ମଜୀବନୀ ‘ରେଭିନ୍ୟୁ ଟିକଟ’କୁ ଓଡ଼ିଆରେ ଅନୁବାଦ କରି ନନ୍ଦିନୀ ଦେବୀ ପାଇଛନ୍ତି କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର। ବାଂଲାଦେଶୀ ଲେଖିକା ତସ୍‌ଲିମା ନସରିନ୍‌ଙ୍କ ‘ଲଜ୍ଜା’ ଉପନ୍ୟାସର ଅନୁବାଦ ତାଙ୍କ ସାରସ୍ବତ ସାଧନାର ଏକ ମାଇଲ ସ୍ତମ୍ଭ। ଏହି କ୍ରମରେ ଜ୍ଞାନପୀଠ ଓ ମାଗାସେସେ ପୁରସ୍କାର ବିଜୟିନୀ ବଙ୍ଗଳା ଲେଖିକା ମହାଶ୍ୱେତା ଦେବୀଙ୍କର ‘ନିର୍ବାଚିତ ଗଳ୍ପ’ର ଓଡ଼ିଆ ଅନୁବାଦ ତାଙ୍କର ଅନ୍ୟ ଏକ ସଫଳ କୃତି।
ଓଡ଼ିଆ ସାହିତ୍ୟ ତଥା ଓଡ଼ିଆ ମାଟିର ଗର୍ବ ନନ୍ଦିନୀ ଦେବୀ। ଓଡ଼ିଆ ସାହିତ୍ୟ ଭଣ୍ଡାରକୁ ବିପୁଳ ତାଙ୍କର ଅବଦାନ ଅଥଚ ସେ କହନ୍ତି- ମୋ ଭଳି ଅପାରଗ ଲୋକ ସାହିତ୍ୟ ଜଗତରେ ଲୀନ ହୋଇଯିବେ ଏବଂ ଏଭଳି ଲୀନ ହୋଇଯିବାରେ ଅଛି ଏକ ଭିନ୍ନ ଆନନ୍ଦ। ନନ୍ଦିନୀ ଦେବୀଙ୍କର ଉପରୋକ୍ତ ଉକ୍ତିରେ ନିହିତ ତାଙ୍କ ସାହିତ୍ୟର ବିଶାଳତା ଓ ହୃଦୟର ମହାନତା। ସାରସ୍ବତ ସାଧିକା ନନ୍ଦିନୀ ନିଜର କୃତିତ୍ୱ ଲାଗି ଅମର ହୋଇ ରହିବେ କାଳ କାଳ ପାଇଁ।

  • ଡ. ପ୍ରଫୁଲ୍ଲ କୁମାର ସାହୁ
    ବିଜୁ ପଟ୍ଟନାୟକ ନଗର, ଭଦ୍ରକ
    ମୋ – ୬୩୭୧୬୪୨୪୬୪

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri