ନନ୍ଦିଘୋଷ ରଥ ଭାଙ୍ଗିଲେ ଲକ୍ଷ୍ମୀ ଠାକୁରାଣୀ

ପୁରୀ ଅଫିସ,୨୮ା୬: ନବଦିନାତ୍ମକ ଯାତ୍ରାରେ ଆସି ଆଡ଼ପମଣ୍ଡପରେ ବିରାଜମାନ କରିଛନ୍ତି ଚତୁର୍ଦ୍ଧାବିଗ୍ରହ। ଶ୍ରୀଗୁଣ୍ଡିଚା ମନ୍ଦିରରେ ଚାଲିଛି ନୀତିକାନ୍ତି। ଘୋଷଯାତ୍ରାର ଏକ ଅନନ୍ୟ ନୀତି ହେଉଛି ହେରାପଞ୍ଚମୀ। ଦାରୁବିଗ୍ରହଙ୍କ ମାନବୀୟ ଲୀଳାର ଏହା ଏକ ଅଂଶ। ଶନିବାର ଗୁଣ୍ଡିଚା ମନ୍ଦିରରେ ଏହି ନୀତି ସମ୍ପନ୍ନ ହୋଇଛି। ତେବେ ଏହି ଲୀଳା ଦେଖିବାକୁ କୌଣସି ଭକ୍ତ ନ ଥିଲେ। ଏଥର ରଥଯାତ୍ରା ଭଳି ହେରାପଞ୍ଚମୀ ନୀତି ମଧ୍ୟ ବିନା ଭକ୍ତରେ ହୋଇଥିଲା।

ମହାପ୍ରଭୁ ଓ ଶ୍ରୀଦେବୀ (ଲକ୍ଷ୍ମୀ ଠାକୁରାଣୀ)ଙ୍କ ବିବାହ ସରିଥିଲା। କିନ୍ତୁ ଗଇଁଠାଳ ଫିଟି ନ ଥିଲା ଅର୍ଥାତ୍‌ ବିବାହ କର୍ମ ଅଧାରେ ରହିଛି। ସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁ ସ୍ନାନ କରି ଜ୍ୱରରେ ପଡ଼ିଲେ। ବିଭିନ୍ନ ପଥି ଖାଇ ସୁସ୍ଥ ହେଲେ। ଦ୍ୱିତୀୟା ତିଥିରେ ମହାପ୍ରଭୁ ଲକ୍ଷ୍ମୀଙ୍କୁ ସାକ୍ଷାତ୍‌ ନ କରି ଭଉଣୀଭାଇଙ୍କୁ ସାଥିରେ ନେଇ ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରି ଆଡ଼ପ ମଣ୍ଡପରେ ଅବସ୍ଥାନ କରିଛନ୍ତି। ବିରହ ବେଦନାରେ ଥିବା ଲକ୍ଷ୍ମୀ ଠାକୁରାଣୀ ମହାପ୍ରଭୁଙ୍କୁ ଫେରାଇ ନେବା ଲାଗି ଆସିଥିଲେ। ମହାପ୍ରଭୁ ଦର୍ଶନ ଦେଲେ, କିନ୍ତୁ ଫେରିବା ଅନୁରୋଧକୁ ରଖିଲେ ନାହିଁ। ଏଥିରେ ରୋଷ କରି ଲକ୍ଷ୍ମୀ ଠାକୁରାଣୀ ମହାପ୍ରଭୁଙ୍କ ନନ୍ଦିଘୋଷ ରଥର କିଛି ଅଂଶ ଭାଙ୍ଗି ହେରାଗୋହିରୀ ସାହି ଦେଇ ଶ୍ରୀମନ୍ଦିରକୁ ବାହୁଡ଼ିଥିଲେ। ଫେରିବା ବେଳେ ସାହିବାସୀଙ୍କ ଦ୍ୱାରା ପନ୍ତିଭୋଗ ଗ୍ରହଣ କରିଥିଲେ। ଶନିବାର ଶ୍ରୀଗୁଣ୍ଡିଚା ମନ୍ଦିରରେ ସନ୍ଧ୍ୟାଧୂପ ପୂର୍ବରୁ ମହାଲକ୍ଷ୍ମୀଙ୍କ ମାଜଣା ହୋଇଥିଲା। ପରେ ଠାକୁରାଣୀ ପାଲିଙ୍କିରେ ବିଜେ ହୋଇ ପଟୁଆରରେ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ବାହାରିଥିଲେ। ନନ୍ଦିଘୋଷ ରଥ ନିକଟରେ ଲକ୍ଷ୍ମୀ ଠାକୁରାଣୀ ପହଞ୍ଚତ୍ବା ପରେ ପତି ମହାପାତ୍ର ବନ୍ଦାପନା, ଚାମର ଆଲଟ, ଘଷା ବିଡ଼ିଆ ଏବଂ ଦହି ପଟି ମଣୋହୀ କରିଥିଲେ। ସନ୍ଧ୍ୟାଧୂପ ପୂଜା ବସିଥିବାବେଳେ ମହାଲକ୍ଷ୍ମୀ ଜଗମୋହନକୁ ବିଜେ କରି ଜୟ ବିଜୟ ଦ୍ୱାର ନିକଟକୁ ଆସିଥିଲେ। ପତି ମହାପାତ୍ର ସେବକ ମହାପ୍ରଭୁଙ୍କ ଆଜ୍ଞାମାଳ ଆଣି ଲକ୍ଷ୍ମୀ ଠାକୁରାଣୀଙ୍କୁ ପ୍ରଦାନ କରିଥିଲେ। କିନ୍ତୁ ମହାଲକ୍ଷ୍ମୀଙ୍କ ସହ ମହାପ୍ରଭୁ ଫେରି ନ ଥିଲେ। ଏହାପରେ ମହାଲକ୍ଷ୍ମୀ ଅଭିମାନ କରି ନାକଚଣା ଦ୍ୱାର ଦେଇ ନନ୍ଦିଘୋଷ ରଥ ନିକଟକୁ ଯାଇ ରଥର କିଛି ଅଂଶ ଭାଙ୍ଗିଥିଲେ।