Categories: ଖେଳ

ନମିତା ପାଇବେ ଏକଲବ୍ୟ ପୁରସ୍କାର

ଭୁବନେଶ୍ୱର: ଚଳିତ ବର୍ଷର ଏକଲବ୍ୟ ପୁରସ୍କାର ପାଇବେ ଅନ୍ତର୍ଜାତୀୟ ମହିଳା ହକି ଖେଳାଳି ନମିତା ଟପ୍ପୋ। ଏହା ବ୍ୟତୀତ ଅନ୍ତର୍ଜାତୀୟ ଭାରୋତ୍ତୋଳନକାରୀ ସ୍ନେହା ସୋରେନ ଓ ବ୍ୟାଡ୍‌ମିଣ୍ଟନ ଖେଳାଳି ଋତୁପର୍ଣ୍ଣା ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ରବିବାର ଅନୁଷ୍ଠିତ ଏକଲବ୍ୟ ପୁରସ୍କାର ଜୁରୀ କମିଟି ବୈଠକରେ ନିଷ୍ପତ୍ତି ହୋଇଛି। ପୁରସ୍କାର ଆକାରରେ ନମିତାଙ୍କୁ ମାନପତ୍ର ସହ ୫ ଲକ୍ଷ ଟଙ୍କା ଏବଂ ଦୁଇ ସମ୍ବର୍ଦ୍ଧିତ ପ୍ରତିଭାଙ୍କୁ ୫୦,୦୦୦ଟଙ୍କା ଲେଖାଏ ପ୍ରଦାନ କରାଯିବ। ପ୍ରକାଶ ଯୋଗ୍ୟ ଯେ, ଫେରୋ ଆଲଏଜ୍‌ ଉତ୍ପାଦନକାରୀ କମ୍ପାନୀ ଇମ୍ଫା ଦ୍ୱାରା ପରିଚାଳିତ ‘ଇଣ୍ଡିଆନ ମେଟାଲ୍ସ ଚାରିଟେବଲ ଟ୍ରଷ୍ଟ(ଇମ୍ପାକ୍ଟ) ଦ୍ୱାରା ୧୯୯୩ ମସିହାରୁ ଏହି ପୁରସ୍କାର ପ୍ରଦାନ କରାଯାଇ ଆସୁଛି। କ୍ରୀଡ଼ା କ୍ଷେତ୍ରରେ ବିଗତ ଦୁଇ ବର୍ଷର ପ୍ରଦର୍ଶନ ଆଧାରରେ ଯୁବ ଓଡ଼ିଆ କ୍ରୀଡ଼ାବିତ୍‌ଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। କୋଭିଡ କଟକଣା ମଧ୍ୟରେ ଏଥର ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହେବ ବୋଲି ଆୟୋଜକଙ୍କ ପକ୍ଷରୁ ପ୍ରକାଶ କରାଯାଇଛି। ”ରାଜ୍ୟର ଉଦୀୟମାନ କ୍ରୀଡ଼ାବିତ୍‌ମାନଙ୍କୁ ଉତ୍ସାହିତ କରିବା ଏହି ପୁରସ୍କାରର ମୂଳ ଲକ୍ଷ୍ୟ। ଫଳରେ ସେମାନେ ଉନ୍ନତ କ୍ରୀଡ଼ା କୌଶଳ ପ୍ରଦର୍ଶନ କରି ରାଜ୍ୟ ତଥା ଦେଶ ପାଇଁ ସୁନାମ ଅର୍ଜନ କରିପାରିବେ“ ବୋଲି ପୁରସ୍କାର ବିଜେତାଙ୍କ ନାମ ଘୋଷଣା ଅବସରରେ ପ୍ରକାଶ କରିଛନ୍ତି ଇମ୍ପାକ୍ଟର ଟ୍ରଷ୍ଟି ତଥା ପୂର୍ବତନ ଏମ୍‌ପି ବୈଜୟନ୍ତ ପଣ୍ଡା। ୧୯୯୫ ଜୁନ୍‌ ୪ରେ ସୁନ୍ଦରଗଡ଼ରେ ଜନ୍ମିତ ନମିତା ୨୦୦୭ରେ ଜାତୀୟ ଏବଂ ୨୦୧୨ରେ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ। ଇତିମଧ୍ୟରେ ୧୫୦ରୁ ଊର୍ଦ୍ଧ୍ୱ ଅନ୍ତର୍ଜାତୀୟ ମ୍ୟାଚ ଖେଳି ସାରିଥିବା ଏହି ଦକ୍ଷ ମିଡ୍‌ଫିଲ୍ଡର ୨୦୧୪ ଏସିଆନ ଗେମ୍ସରେ ବ୍ରୋଞ୍ଜ୍‌, ୨୦୧୭ ଏସିଆନ୍‌ କପ୍‌ରେ ସ୍ବର୍ଣ୍ଣ ଏବଂ ୨୦୧୮ ଏସିଆନ ଗେମ୍ସରେ ରୌପ୍ୟ ପଦକ ବିଜୟୀ ଭାରତୀୟ ଦଳର ସଦସ୍ୟା ଥିଲେ।

Share