
ଭୁବନେଶ୍ୱର, ୨୪।୧(ସୁନିତ୍ ମିଶ୍ର): ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ତଦନ୍ତ ପ୍ରକ୍ରିୟା କ’ଣ ହେବ ସେ ନେଇ ଖୁବ୍ଶୀଘ୍ର ସରକାର ନିଷ୍ପତ୍ତି ନେବେ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି। ମନ୍ତ୍ରୀ ହରିଚନ୍ଦନ କହିଛନ୍ତି, ନବ ଦାସଙ୍କ ହତ୍ୟା ମାମଲା ଏବେ ବିଚାରାଧୀନ ରହିଛି। ଏହି ଘଟଣାର ବିଭିନ୍ନ ତଥ୍ୟ ଗୋଟି ଗୋଟି କରି ସାମ୍ନାକୁ ଆସୁଛି। ପୂର୍ବ ସରକାର ସମୟରେ ଭୟର ବାତାବରଣ ଥିବାରୁ ଅନେକ ଲୋକ ମୁହଁ ଖୋଲୁ ନ ଥିଲେ।
ଏପରିକି ନବ ଦାସଙ୍କ ପରିବାର ଲୋକ ମଧ୍ୟ ମୁହଁ ଖୋଲିବାକୁ ସାହସ କରୁ ନ ଥିଲେ। ଏବେ ସେ ଭୟ ଦୂରେଇ ଯାଇଛି। ଅନେକ ବିଷୟ ଧୀରେ ଧୀରେ ସାମ୍ନାକୁ ଆସିବା ଆରମ୍ଭ ହୋଇଛି। ସେସବୁ ତଥ୍ୟକୁ ହୁଏତ ଆଗାମୀ ଦିନରେ ତଦନ୍ତ ପରିସରଭୁକ୍ତ କରାଯିବ। ସବୁ ଘଟଣାକୁ ତଦନ୍ତ ପରିସରଭୁକ୍ତ କଲେ କିଏ ଓ କାହିଁକି ନବ ଦାସଙ୍କୁ ହତ୍ୟା କଲେ, ଷଡ଼ଯନ୍ତ୍ରରେ କିଏ ଭାଗୀଦାରି ଏସବୁ କଥା ନିଶ୍ଚିତ ଆସିବ ବୋଲି ମନ୍ତ୍ରୀ କହିଛନ୍ତି।
ସୂଚନାଯୋଗ୍ୟ, କିଛିଦିନ ହେଲା ନବ ଦାସଙ୍କ ହତ୍ୟାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି। ପୂର୍ବତନ ମନ୍ତ୍ରୀଙ୍କ ହତ୍ୟା ଘଟଣାର ତଦନ୍ତ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠିବା ସହ ଭିନ୍ନ ଭିନ୍ନ ଦଳର ରାଜନେତାମାନେ ନାନା ପ୍ରକାର ମତ ରଖୁଛନ୍ତି, ଯାହାକୁ ନେଇ ନବ ଦାସଙ୍କ ହତ୍ୟା ଘଟଣାର ସିବିଆଇ ତଦନ୍ତ କରାଇବାକୁ ଦାବି ଉଠିଛି।