ଭଦ୍ରକ,୯ା୧୦(ସନାତନ ରାଉତ): କଲେଜ ପରିସରରେ ବ୍ୟାପକ ଆନ୍ଦୋଳନ ଓ ଅଶାନ୍ତି ଯୋଗୁ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ନାଆମୀ ଡିଗ୍ରୀ କଲେଜକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ଘୋଷଣା କରାଯାଇଛି। ଶୁକ୍ରବାର ମଧ୍ୟାହ୍ନ ୧୨ଟା ୩୦ରୁ କଲେଜ ବନ୍ଦ ରହିବ ବୋଲି କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି। କଲେଜ ପରିସରରେ ଉତ୍ତେଜନା ଓ ଶାନ୍ତିପୂର୍ଣ୍ଣ ଶୈକ୍ଷିକ ପରିବେଶ ବ୍ୟାହତ ହେଉଥିବାରୁ ଛାତ୍ରୀଛାତ୍ର, ଅଧ୍ୟାପକ, କର୍ମଚାରୀ ଓ ଅନ୍ୟମାନଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ପଦକ୍ଷେପ ନିଆଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ଜାରି ନ ହେବା ପର୍ଯ୍ୟନ୍ତ କଲେଜ ବନ୍ଦ ରହିବ। କଲେଜର ସ୍ବାଭାବିକ କାର୍ଯ୍ୟକଳାପ ପୁନଃ ଆରମ୍ଭ ସମ୍ପର୍କରେ ପରବର୍ତ୍ତୀ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦିଆଯିବ ବୋଲି କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି। ଏଥିସହ ସମସ୍ତ ଛାତ୍ରୀଛାତ୍ର, ଅଧ୍ୟାପକ ଓ ଅଣଶିକ୍ଷକ କର୍ମଚାରୀଙ୍କୁ ବିଜ୍ଞପ୍ତିର ନିର୍ଦ୍ଦେଶ ପାଳନ କରିବାକୁ କୁହାଯାଇଛି। ଛାତ୍ର ସଂସଦ ନିର୍ବାଚନ ବାତିଲ ଘୋଷଣା ପରେ କଲେଜ ଗେଟ୍ ଆଗରେ ପିଲାମାନେ ହୋହଲ୍ଲା କରିବା ସହ ନାରାବାଜି କରିଥିଲେ। ନିର୍ବାଚନ କରିବା ପାଇଁ ଜିଦ୍ କରି ପ୍ରତିବାଦ ଜଣାଇଥିଲେ।