ରହସ୍ୟଜନକ ପାରା ଥାନାରେ ଅଟକ: ବାଂଲାଦେଶରୁ ଆସିଥିବା ସନ୍ଦେହ

ବୈଶିଙ୍ଗା, ୧୫/୯ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ କଷିପଦା ଗ୍ରାମରୁ ମଙ୍ଗଳବାର ଦ୍ୱିପ୍ରହର ସମୟରେ ଏକ ରହସ୍ୟଜନକ ପାରା ଉଦ୍ଧାର କରାଯାଇଛି। ଗ୍ରାମର ଦୁଇଜଣ ପିଲା ଗ୍ରାମ ବାହାରେ ଖେଳୁଥିବା ବେଳେ ପାରାଟି ଆସି ସେମାନଙ୍କ ନିକଟରେ ବସିଥିଲା।

ପାରାଟିର ଗୋଡ଼ରେ ଏକ ପ୍ଲାଷ୍ଟିକ୍‌ ଟ୍ୟାଗ୍‌ ଲାଗିଥିବା ବେଳେ ସେଥିରେ ଇଂରାଜୀ ଅକ୍ଷରରେ ‘BAN’ ଲେଖା ଥିବା ଦେଖିବାକୁ ମିଳିଥିଲା। ପିଲାମାନଙ୍କ ନିକଟରୁ ପାରାଟିକୁ ପାଇବା ପରେ ଗ୍ରାମବାସୀ ସଙ୍ଗେସଙ୍ଗେ ପୋଲିସକୁ ଖବର ଦେଇଥିଲେ।

ଖବରପାଇ ବୈଶିଙ୍ଗା ପୋଲିସ ଏସ୍‌ଆଇ ସରୋଜ କୁମାର ଜେନା କଷିପଦା ଗ୍ରାମରେ ପହଞ୍ଚି ପାରାଟିକୁ ପରୀକ୍ଷାନିରୀକ୍ଷା କରିଥିଲେ। ଏହା ସନ୍ଦେହଜନକ ଲାଗିବା ସହ ବାଂଲାଦେଶରୁ ଆସିଥିବା ନେଇ ସନ୍ଦେହ ହେବାରୁ ପୋଲିସ ପାରାଟିକୁ ଥାନାକୁ ନେଇ ଆସିଥିଲା।

ଏ ସମ୍ପର୍କରେ ଅଧିକ ଅନୁଧ୍ୟାନ ପାଇଁ ପକ୍ଷୀଟିକୁ ବନ ବିଭାଗକୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

Share