‘ମୋ କଲେଜ ଅଭିଯାନ’ ଶୁଭାରମ୍ଭ

ଭୁବନେଶ୍ୱର, ୨୨।୩(ବ୍ୟୁରୋ):‘ମୋ ସ୍କୁଲ୍‌’ର ସଫଳତା ପରେ ରାଜ୍ୟ ସରକାର ‘ମୋ କଲେଜ ଅଭିଯାନ’ ଆରମ୍ଭ କରିଛନ୍ତି। ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅଭିଯାନକୁ ଭିଡିଓ କନଫରେନ୍ସରେ ଉଦ୍‌ଘାଟନ କରିବା ସହ ‘ମୋ କଲେଜ’ ପୋର୍ଟାଲକୁ ଉନ୍ମୋଚନ କରିଛନ୍ତି। ସମଗ୍ର ବିଶ୍ୱରେ ଥିବା ପୁରାତନ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ନିଜ ମାତୃଭୂମିରେ ଥିବା ସେମାନଙ୍କ ଶିକ୍ଷାନୁଷ୍ଠାନଗୁଡ଼ିକର ପୁନଃ ନିର୍ମାଣରେ ସହଯୋଗୀ ଶକ୍ତି ହେବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି। ଏଥିସହିତ ମୁଖ୍ୟମନ୍ତ୍ରୀ ଲାଇଭ୍‌ ଷ୍ଟ୍ରିମ୍‌ ମାଧ୍ୟମରେ ସଂଯୁକ୍ତ ହୋଇଥିବା ବିଭିନ୍ନ ମହାବିଦ୍ୟାଳୟର ପୁରାତନ ଛାତ୍ର ସଂସଦର ସଭ୍ୟ ଓ ପ୍ରବାସୀ ଓଡ଼ିଆଙ୍କୁ ସ୍ବାଗତ କରି କହିଛନ୍ତି, ଉଚ୍ଚଶିକ୍ଷାର ମାନବୃଦ୍ଧି ସହ ଶିକ୍ଷାନୁଷ୍ଠାନର ବିକାଶ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି। ଏହି ଅଭିଯାନ ଓଡ଼ିଆ ଆଲୁମ୍‌ନିମାନଙ୍କୁ ଭାବପ୍ରବଣତା ସହିତ ବିନିଯୋଗ କରିବା ପାଇଁ ଏକ ମଞ୍ଚ। ଏହାଦ୍ୱାରା କଲେଜ ଦିନର ସ୍ମୃତିକୁ ଫେରିପାଇବାର ଅନ୍ୟତମ ସୁଯୋଗ। ଏହି ଅଭିଯାନ କେବଳ ଛାତ୍ରୀଛାତ୍ରଙ୍କ ପାଇଁ ସୀମିତ ନୁହେଁ। ଅଣ-ଆଲୁମିନି ସାମାଜିକକର୍ମୀ, ଦାତବ୍ୟ ସଙ୍ଗଠନ, ଗୋଷ୍ଠୀ ଓ ଅନୁଷ୍ଠାନ ମଧ୍ୟ ଏଥିରେ ଅଂଶ ହୋଇପାରିବେ। ଏହା ଏକ ସୁସ୍ଥ ଶୈକ୍ଷିକ ବାତାବରଣ ପାଇଁ ନୂଆ ମିଶନର ପ୍ରଚେଷ୍ଟା କରିବା ସହ ରାଷ୍ଟ୍ରନିର୍ମାଣ, ଦକ୍ଷତା ବିକାଶ ତଥା ଦଳଗତ କାର୍ଯ୍ୟକୁ ପ୍ରୋତ୍ସାହିତ କରିବ। ସେହିଭଳି ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟଗୁଡ଼ିକ ଅଧ୍ୟୟନ ପାଇଁ ଏକ ଅଭିନବ ତଥା ରୋମାଞ୍ଚକର ସ୍ଥାନ ହୋଇପାରିବ। ଆମେ ସମସ୍ତେ ନିଜ ନିଜ ଶିକ୍ଷାନୁଷ୍ଠାନକୁ ଫେରାଇବାର ଆନନ୍ଦ ଅନୁଭବ କରିବା ଉଚିତ, ଯେଉଁଠାରେ ଆମେ ଆମର ଯୌବନର ଅତ୍ୟନ୍ତ ମୂଲ୍ୟବାନ ସମୟ ଅତିବାହିତ କରିଥିଲେ ଏବଂ ଆମ ଭବିଷ୍ୟତ ନିର୍ମାଣ କରିଥିଲୁ ବୋଲି ସେ କହିଛନ୍ତି।
ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ କୁମାର ସାହୁ ନିଜ ଶିକ୍ଷାନୁଷ୍ଠାନର ବିକାଶ ପାଇଁ ଯୋଡ଼ିହେବାର ଏହି ଅଭିଯାନ ଏକ ମଞ୍ଚ ବୋଲି ମତବ୍ୟକ୍ତ କରିଥିଲେ। ‘ମୋ କଲେଜ’ର ଅଧ୍ୟକ୍ଷ ଆକାଶ ଦାସ ନାୟକ ଅଭିଯାନ ସମ୍ପର୍କରେ କହିଥିଲେ। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉଚ୍ଚଶିକ୍ଷା ବିଭାଗର ଶାସନ ସଚିବ ଶାଶ୍ୱତ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଏହି ଅଭିଯାନରେ ୭୫୫ କଲେଜ ଓ ବିଶ୍ୱବିଦ୍ୟାଳୟ ସାମିଲ ହୋଇଛି। ଏହାର ପୁରାତନ ଛାତ୍ରୀଛାତ୍ର ‘ମୋ ସ୍କୁଲ’ ଭଳି ମୋ କଲେଜରେ ନିଜ ନିଜ କଲେଜକୁ ସହାୟତା କରିପାରିବେ ବୋଲି ସେମାନେ କହିଛନ୍ତି।