ନୂଆଦିଲ୍ଲୀ,୨୦।୧୦: ତାମିଲ୍ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଆସିଛି ଏକ ଦୁଃଖଦ ଖବର । ଅଭିନେତା କାର୍ତ୍ତିକ ସବେଶଙ୍କର ସୋମବାର ବିଳମ୍ବିତ ରାତିରେ ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୭ ବର୍ଷ ହୋଇଥିଲା। ତାଙ୍କ ବିୟୋଗରେ ପରିବାର ସହ ତାମିଲ୍ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି।
କାର୍ତ୍ତିକ ସଙ୍ଗୀତକାର ସବେଶଙ୍କ ପୁଅ ଏବଂ ଦିବଂଗତ ସଙ୍ଗୀତକାର ଦେବାଙ୍କ ପୁତୁରା ଥିଲେ। ସେ ତାମିଲ୍ ସିନେମାର ଅନେକ ଫିଲ୍ମରେ ଅଭିନୟ କରି ନିଜର ପରିଚୟ ସୃଷ୍ଟି କରିଥିଲେ। ଗତ କିଛି ଦିନ ହେବ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନଥିବା ବେଳେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା। ସୋମବାର ରାତି ପ୍ରାୟ ୧୧ଟା ୧୫ ମିନିଟ୍ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ପରିବାରର ନିକଟତମ ସୂତ୍ରରୁ ଜଣାପଡ଼ିଛି । କାର୍ତ୍ତିକଙ୍କ ପଛରେ ପତ୍ନୀ ରମ୍ୟା କାର୍ତ୍ତିକ ଏବଂ ଦୁଇ ଝିଅ ରହିଛନ୍ତି। ଅଳ୍ପ ବୟସରେ ତାଙ୍କ ବିୟୋଗ ପରିବାର ପାଇଁ ଏକ ବଡ଼ ଧକ୍କା ପାଲଟିଛି।
ଖବର ଅନୁଯାୟୀ, କାର୍ତ୍ତିକ କିଛି ସମୟ ଧରି ଅସୁସ୍ଥ ଥିଲେ । ତାଙ୍କୁ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା। ତେବେ ତାଙ୍କ ଅସୁସ୍ଥତା ସମ୍ପର୍କରେ ବିସ୍ତୃତ ସୂଚନା ସାର୍ବଜନୀନ ହୋଇନାହିଁ। ରିପୋର୍ଟ ଅନୁଯାୟୀ, କାର୍ତ୍ତିକଙ୍କ ମରଶରୀରକୁ ତାଙ୍କ ବାସଭବନକୁ ନିଆଯିବାର ବ୍ୟବସ୍ଥା ହୋଇଥିଲା, ଯେଉଁଠାରେ ପରିବାର ଓ ପ୍ରଶଂସକମାନେ ଶେଷ ଦର୍ଶନ କରିପାରିବେ। ମଙ୍ଗଳବାର ଅପରାହ୍ନ ୪ଟା ୩୦ ମିନିଟ୍ରେ ଚେନ୍ନାଇର ଭଲସରଭାକ୍କମ୍ସ୍ଥିତ ଶ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର ହେବାର କାର୍ଯ୍ୟକ୍ରମ ରହିଥିଲା। କାର୍ତ୍ତିକ ସବେଶ ତାମିଲ୍ ସିନେମାର ଅନେକ ଚଳଚ୍ଚିତ୍ରରେ କାମ କରିଥିଲେ। ତାଙ୍କ ଅଭିନୀତ ଫିଲ୍ମ ମଧ୍ୟରେ ‘ଡମ୍’, ‘ଭଲ୍ଲଭନ୍’, ‘ପଟ୍ଟଥୁ ୟାନାଇ’ ଏବଂ ‘କୁଲିର୍ ୧୦୦’ ଭଳି ଚଳଚ୍ଚିତ୍ର ରହିଛି ।
ସେ ଏଭଳି ଏକ ପରିବାରରୁ ଆସିଥିଲେ, ଯାହାର ଦକ୍ଷିଣ ଭାରତୀୟ ସଙ୍ଗୀତ ଓ ସିନେମା ଜଗତ ସହ ଗଭୀର ସମ୍ପର୍କ ରହିଛି । ତାଙ୍କ ପିତା ସବେଶ ଜଣେ ସଙ୍ଗୀତକାର ହୋଇଥିବା ବେଳେ ଦାଦା ନୁହେଁ, ବରଂ ଦାଦାଙ୍କ ଭାଇ ଦେବା ତାମିଲ୍ ସିନେମାର ଜଣେ ଜଣାଶୁଣା ସଙ୍ଗୀତକାର ଥିଲେ। କାର୍ତ୍ତିକଙ୍କ ମୃତ୍ୟୁ ଖବର ଏପରି ଏକ ସମୟରେ ଆସିଛି, ଯେତେବେଳେ ପରିବାର ସଙ୍ଗୀତକାର ଦେବାଙ୍କ ବିୟୋଗର ଦୁଃଖରୁ ମୁକୁଳି ପାରିନଥିଲା। ଗତ ଶନିବାର ଦେବାଙ୍କର ପରଲୋକ ହୋଇଥିଲା। ତାଙ୍କ ବିୟୋଗରେ ତାମିଲ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଥିଲା। ଏବେ ପୁତୁରା କାର୍ତ୍ତିକଙ୍କ ମୃତ୍ୟୁ ପରିବାରର ଦୁଃଖକୁ ଆହୁରି ବଢ଼ାଇଦେଇଛି।
ଦେବାଙ୍କୁ ତାମିଲ୍ ସିନେମାରେ ‘ଥେନିସାଇ ଥେନ୍ଦ୍ରଲ୍’ ନାମରେ ମଧ୍ୟ ଜଣାଯାଉଥିଲା। ସେ ତାମିଲ୍, ତେଲୁଗୁ, ମାଲାୟାଲମ୍ ଓ କନ୍ନଡ଼ ଭାଷାର ୪୦୦ରୁ ଅଧିକ ଫିଲ୍ମ ପାଇଁ ସଙ୍ଗୀତ ପ୍ରସ୍ତୁତ କରିଥିଲେ।