ହତ୍ୟାର ପ୍ରତିଶୋଧ ନେଲେ ହତ୍ୟାରେ

ରାଉରକେଲା ଅଫିସ,୧୧ା୯: ପ୍ଲାଣ୍ଟସାଇଟ ଥାନା ଅନ୍ତର୍ଗତ ରିମ୍‌ଝିମ୍‌ ବସ୍ତିରେ ଶୁକ୍ରବାର ସନ୍ଧ୍ୟାରେ ଗୁଳିକାଣ୍ଡ ଘଟଣାରେ ଗୁରୁତର ହୋଇଥିବା ଯୁବକ ଜିତେନ୍ଦ୍ର ସା ଓରଫ ଗୋରେ (୩୯)ଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ପୋଲିସ ଉକ୍ତ ଘଟଣାର ତଦନ୍ତ କରି ଶନିବାର ଥାନାରେ ଜଣଙ୍କୁ ଅଟକ ରଖି ପଚରାଉଚୁରା ଚଳାଇଛି। ଅନ୍ୟମାନଙ୍କୁ ଧରିବା ପାଇଁ ଚଢାଉ ଅଭିଯାନ ଜାରି ରହିଛି। ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଛି। ମୃତ୍ୟୁ ପୂର୍ବରୁ ଗୋରେ ୫ ଅଭିଯୁକ୍ତଙ୍କ ନାମ ପ୍ରକାଶ କରିଥିଲେ। ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଯଥାଶୀଘ୍ର ଗିରଫ କରାଯିବ ବୋଲି ରାଉରକେଲା ଏସ୍‌ପି ମୁକେଶ ଭାମୁ କହିଛନ୍ତି।
ରିମ୍‌ଝିମ୍‌ ବସ୍ତିରେ ଜିତେନ୍ଦ୍ର ପରିବାର ସହ ବାସ କରନ୍ତି। ଗତବର୍ଷ ଜାନୁୟାରୀ ୭ରେ ଗୋରେ ତାଙ୍କର କେତେଜଣ ସହଯୋଗୀଙ୍କ ସହ ମିଶି ନାଲାରୋଡ଼ ଅଞ୍ଚଳରେ ବାସ କରୁଥିବା ଦିଲୁ ଖାନ୍‌ଙ୍କୁ ରେଲୱେ କଲୋନୀ ସ୍ଥିତ ବଡ଼ପାର୍କକୁ ଡାକି ବ୍ୟବସାୟିକ କଥାବାର୍ତ୍ତାକୁ ନେଇ ଯୁକ୍ତିତର୍କ ପରେ ହତ୍ୟା କରିଥିଲେ। ଏହି ଘଟଣାରେ ପୋଲିସ ଗୋରେ ଓ ତାଙ୍କ ସହଯୋଗୀମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଗୋରେ ଜେଲରେ ରହି ଚଳିତ ବର୍ଷ ମାର୍ଚ୍ଚରେ ବାହାରିଥିଲେ। ଏହି ଘଟଣାକୁ କେନ୍ଦ୍ରକରି ଶୁକ୍ରବାର ସନ୍ଧ୍ୟାରେ ୫ଯୁବକ ରିମ୍‌ଝିମ ବସ୍ତିରେ ପହଞ୍ଚତ୍ ଗୋରେଙ୍କୁ ଘରୁ ଡାକି ନେଇଥିଲେ। ଘରର ଅଳ୍ପ ଦୂରରେ ତାଙ୍କ ଉପରକୁ ୪ ରାଉଣ୍ଡ ଗୁଳି ମାରିବା ସହ ଧାରୁଆ ଅସ୍ତ୍ରରେ ମୁଣ୍ଡ ଓ ହାତକୁ ଆକ୍ରମଣ କରିଥିଲେ। ଏହା ଦେଖି ତାଙ୍କ ମାଉସୀ ଲକ୍ଷ୍ମୀ ସା ପ୍ରତିରୋଧ କରିବାରୁ ତାଙ୍କୁ ମଧ୍ୟ ଗୁଳି ମାରିଥିଲେ। ବସ୍ତିବାସୀ ପାଟି କରିବାରୁ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ମାଲଗୋଦାମସ୍ଥିତ ରେଳ ଫାଟକ ଆଡ଼େ ଦୌଡ଼ି ପଳାଇଯାଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ଗୋରେ ଓ ଲକ୍ଷ୍ମୀଙ୍କୁ ଏକ ଅଟୋରେ ଚିକିତ୍ସାଲାଗି ରାଉରକେଲା ଇସ୍ପାତ ଜେନେରାଲ ହସ୍ପପିଟାଲ(ଆଇଜିଏଚ୍‌)କୁ ନେଇ ଯାଇଥିଲେ।