ନାବାଳକଙ୍କୁ ହତ୍ୟା କରି ଦୁଇ କୋଠା ମଝିରେ ଫିଙ୍ଗିଦେଲେ ଦୁର୍ବୃତ୍ତ

ସମ୍ବଲପୁର,୨୭ା୯(ପ୍ରମୋଦ ବହିଦାର): ବୁର୍ଲା ଥାନା ଅନ୍ତର୍ଗତ ଢିପାପଡ଼ା ଅଞ୍ଚଳରେ ରବିବାର ସକାଳେ ଏକ ନାବାଳିକଙ୍କ ମୃତଦେହକୁ ଠାବ କରିଛି ପୋଲିସ। ଉଦ୍ଧାର ମୃତଦେହଟି ଓ୍ବାନ୍‌ ଆର୍‌ କଲୋନୀର ଜଣେ ୧୫ ବର୍ଷୀୟ ନାବାଳକଙ୍କର ବୋଲି ଚିହ୍ନଟ କରାଯାଇଛି। ମାତ୍ର ମୃତ ନାବାଳକଙ୍କ ନାମ ପ୍ରକାଶ କରାଯାଇ ନାହିଁ। ତେବେ ତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।

ପ୍ରାପ୍ତ ସୂଚନାନୁଯାୟୀ, ଢିପାପଡ଼ାରେ ଥିବା ଦୁଇଟି କୋଠା ମଝିରେ ଥିବା ଏକ ଫାଙ୍କା ସ୍ଥାନରେ ନାବାଳକଙ୍କ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ମାତ୍ର ଖବର ଲେଖାଯିବା ପର୍ଯ୍ୟନ୍ତ ମୃତଦେହକୁ ଉଦ୍ଧାର କରାଯାଇ ନାହିଁ।
ସେହିପରି ଶନିବାର ବିଳମ୍ବିତ ରାତିରେ ମଦ ଓ ନିଶା ଦ୍ରବ୍ୟ ସେବନକୁ କେନ୍ଦ୍ର କରି କିଛି ଯୁବକ ଓ ନାବାଳକଙ୍କ ମଧ୍ୟରେ ବଚସା ଓ ପରେ ହାତାହାତି ହୋଇଥିଲା। ଏହି ବିବାଦରୁ ହିଁ ଉକ୍ତ ନାବାଳକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ପୋଲିସ ଏହି ମାମଲାରେ ସଂପୃକ୍ତ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ତନାଘନା ଜାରି ରଖିଛି।

Dharitri – Odisha’s No.1 Odia Daily

Share