ନୀଳଗିରି, ୧୫।୬ (ପ୍ରଶାନ୍ତ କୁମାର ବିଶ୍ୱାଳ): ବନ୍ଧୁତ୍ୱର ପବିତ୍ର ସମ୍ପର୍କକୁ କଳଙ୍କିତ କରିଛି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ। ପରକୀୟା ପ୍ରୀତିକୁ କେନ୍ଦ୍ରକରି ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କୁ ହତ୍ୟା କରିଥିବା ଅଭିଯୋଗ ନୀଳଗିରି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣାର ୨୨ ଦିନ ପରେ ପୋଲିସ ମୃତ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର କରିବା ସହ ଅଭିଯୁକ୍ତଙ୍କୁ ନେଇ କ୍ରାଇମ ସିନ୍ ରି-କ୍ରିଏସନ୍ କରିଛି।
ସୂଚନା ଅନୁଯାୟୀ, ନୀଳଗିରି ବ୍ଲକ ଅନ୍ତର୍ଗତ ବରହମପୁର ଥାନା କେସିପୁର ପଞ୍ଚାୟତର ଜାମୁନା ଗ୍ରାମର ବୀରେନ୍ଦ୍ର ବେହେରା (୪୩), ପେଶାରେ ଜଣେ ଡ୍ରାଇଭର ଥିଲେ। ତାଙ୍କର ସେହି ପଞ୍ଚାୟତ ଅନ୍ତର୍ଗତ ଗବପାଳ ଗ୍ରାମର ବୀରେନ୍ଦ୍ର ମଢେଇଙ୍କ ସହ ଘନିଷ୍ଠ ବନ୍ଧୁତ୍ୱ ଥିଲା। ଉଭୟଙ୍କ ମଧ୍ୟରେ ଦୀର୍ଘଦିନ ଧରି ଯିବାଆସିବା ଓ ପାରିବାରିକ ସମ୍ପର୍କ ରହିଥିଲା।
ତେବେ କିଛି ସମୟ ଧରି ମୃତ ବୀରେନ୍ଦ୍ର ବେହେରା ଓ ଅଭିଯୁକ୍ତ ବୀରେନ୍ଦ୍ର ମଢେଇଙ୍କ ପତ୍ନୀଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ଥିବା ସନ୍ଦେହକୁ କେନ୍ଦ୍ରକରି ବିବାଦ ସୃଷ୍ଟି ହୋଇଥିଲା। ପ୍ରାୟ ଦୁଇ ମାସ ପୂର୍ବେ ଅଭିଯୁକ୍ତ ବୀରେନ୍ଦ୍ର ମଢେଇ ବନ୍ଧୁ ବୀରେନ୍ଦ୍ର ବେହେରାଙ୍କୁ ଘରକୁ ଡାକି ମାଡ଼ ମାରିଥିଲେ। ପରେ ସ୍ଥାନୀୟ ସରପଞ୍ଚଙ୍କ ମଧ୍ୟସ୍ଥତାରେ ୫୦ ହଜାର ଟଙ୍କା ଜରିମାନା ଦେଇ ଘଟଣାର ଆପୋଷ ସମାଧାନ କରାଯାଇଥିଲା।
କିନ୍ତୁ ଏହି ଶତ୍ରୁତା ମେ’ ୨୫ ତାରିଖରେ ଭୟଙ୍କର ରୂପ ନେଇଥିଲା। ଅଭିଯୋଗ ଅନୁସାରେ, ଅଭିଯୁକ୍ତ ବୀରେନ୍ଦ୍ର ମଢେଇ ଅନ୍ୟ ଜଣଙ୍କ ମୋବାଇଲ ଫୋନରୁ ବୀରେନ୍ଦ୍ର ବେହେରାଙ୍କୁ କପ୍ତିପଦା ଅଞ୍ଚଳରେ ଡମ୍ପର ଚଳାଇବା କାମ ଥିବା କହି ଡାକିଥିଲେ। ବୀରେନ୍ଦ୍ର ଜାମୁନା ଛକରେ ପହଞ୍ଚିବା ପରେ ତାଙ୍କୁ ଏକ ସ୍କୁଟିରେ ବସାଇ ଅପହରଣ କରାଯାଇଥିଲା।
ପରେ ତାଙ୍କୁ ମୟୂରଭଞ୍ଜ ଜିଲା ଉଦଳା ଅଞ୍ଚଳର ଅଦାପାଳ ନିକଟସ୍ଥ କୁଅଁରପାଳ ଗ୍ରାମରେ ଥିବା ଅଭିଯୁକ୍ତଙ୍କ ଶ୍ୱଶୁର ଘରକୁ ନେଇ ନିର୍ମମ ଭାବେ ପିଟି ହତ୍ୟା କରାଯାଇଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି। ହତ୍ୟା ପରେ ଅଭିଯୁକ୍ତ ନିଜକୁ ସୁରକ୍ଷିତ ରଖିବା ପାଇଁ ମହାରାଷ୍ଟ୍ରକୁ ପଳାଇ ଯାଇଥିଲେ।
ଏପଟେ ବୀରେନ୍ଦ୍ର ବେହେରା ନିଖୋଜ ହେବା ପରେ ତାଙ୍କ ସ୍ତ୍ରୀ ସାବିତ୍ରୀ ବେହେରା ମେ’ ୩୧ ତାରିଖରେ ବରହମପୁର ଥାନାରେ ଏକ ଲିଖିତ ଅଭିଯୋଗ ଦାଖଲ କରିଥିଲେ। ଅଭିଯୋଗରେ ସେ ତାଙ୍କ ସ୍ୱାମୀଙ୍କ ନିଖୋଜ ଘଟଣାରେ ବନ୍ଧୁ ବୀରେନ୍ଦ୍ର ମଢେଇଙ୍କ ସମ୍ପୃକ୍ତି ଥିବା ଦର୍ଶାଇଥିଲେ।
ମାମଲାର ତଦନ୍ତ ଚାଲିଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ବରହମପୁର ପୋଲିସର ଏକ ଟିମ୍ ମହାରାଷ୍ଟ୍ର ପୋଲିସର ସହଯୋଗରେ ପୁନେ ଅଞ୍ଚଳରୁ ଅଭିଯୁକ୍ତ ବୀରେନ୍ଦ୍ର ମଢେଇଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା।
ସୋମବାର ବାଲେଶ୍ୱର ଅତିରିକ୍ତ ଏସ୍ପି ପ୍ରମୋଦ ମଲ୍ଲିକଙ୍କ ନେତୃତ୍ୱରେ ବରହମପୁର ଥାନା ଆଇଆଇସି ପ୍ରେମଦା ନାୟକ ଓ ଅନ୍ୟାନ୍ୟ ପୋଲିସ ଅଧିକାରୀ ଅଭିଯୁକ୍ତଙ୍କୁ ନେଇ କ୍ରାଇମ ସିନ୍ ରି-କ୍ରିଏସନ୍ କରିଥିଲେ।
ତଦନ୍ତରେ ଜଣାପଡ଼ିଛି ଯେ, ହତ୍ୟା ପରେ ଅଭିଯୁକ୍ତ ନିଜ ଶ୍ୱଶୁର ଘର କୁଅଁରପାଳ ଠାରୁ ପ୍ରାୟ ୩ରୁ ୪ କିଲୋମିଟର ଦୂର ବଡ଼ସିଙ୍ଗାରିଆ ଗ୍ରାମ ନିକଟସ୍ଥ ଏକ ବିଲ ହିଡ଼ରେ ଗାତ ଖୋଳି ମୃତଦେହକୁ ପୋତି ଦେଇଥିଲେ।
ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସାଇଣ୍ଟିଫିକ ଟିମ୍, ବରହମପୁର ପୋଲିସ ଓ ଉଦଳା ପୋଲିସର ସହଯୋଗରେ ସେଠାରୁ ମୃତ ବୀରେନ୍ଦ୍ର ବେହେରାଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଥିଲା।
ଏହି ହତ୍ୟା ମାମଲାରେ ଅଭିଯୁକ୍ତ ବୀରେନ୍ଦ୍ର ମଢେଇ ଓ ତାଙ୍କ ପତ୍ନୀଙ୍କୁ ଗିରଫ କରାଯାଇଥିବା ବେଳେ ଘଟଣାରେ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ପୋଲିସ ତଦନ୍ତ ଜାରି ରଖିଛି। ଘଟଣାଟି ନୀଳଗିରି ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।