କେନ୍ଦୁଝର,୧୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ନୟାକୋଟ ଥାନା ଅଞ୍ଚଳରେ ୨୦୨୫ରେ ଫାଇନାନ୍ସ ଟଙ୍କା ଆଦାୟକୁ ନେଇ ଘଟିଥିବା ବହୁଚର୍ଚ୍ଚିତ ହତ୍ୟାକାଣ୍ଡ ଘଟଣାର ଶୁକ୍ରବାର ରାୟ ପ୍ରକାଶ ପାଇଛି। କେନ୍ଦୁଝର ଜିଲା ଓ ଦୌରାଜଜ ଗୋପାଳ ଚନ୍ଦ୍ର ବେହେରା ମାମଲାର ବିଚାର କରି ହତ୍ୟାକାରୀ ଅଭିଯୁକ୍ତ ରାମସିଂ ମୁଣ୍ଡାଙ୍କୁ ଆଜୀବନ କାରାଦଣ୍ଡ ଏବଂ ୧୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅଧିକ ୧ ବର୍ଷ ଜେଲ ଦଣ୍ଡାଦେଶ ରାୟରେ ପ୍ରକାଶ ପାଇଛି।
କୋର୍ଟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ୨୦୨୫ ଜାନୁଆରୀ ୭ରେ କେନ୍ଦୁଝର ସଦର ଥାନା ରାଇକଳା ଗ୍ରାମର ମନୋଜ କୁମାର ମହାନ୍ତ(୨୮) ଏବଂ ବନେଇକଳା ଗ୍ରାମର ତାରିଣୀ ପ୍ରସାଦ ମହାନ୍ତ(ବୁବୁ)ଓଡି୦୯-ଏଏ-୦୫୦୪ ନମ୍ବର ବିଶିଷ୍ଟ ଏକ ମୋଟରସାଇକେଲ ଯୋଗେ ନୟାକୋଟ ଥାନା ଲୁହାକଳା ଗ୍ରାମର ପାଣ୍ଡୁ ମୁଣ୍ଡାଙ୍କ ପୁଅ ରାମସିଂ ମୁଣ୍ଡା ପାଖକୁ ଫାଇନାନ୍ସ ବକେୟା ଟଙ୍କା ଆଦାୟ କରିବାକୁ ଯାଇଥିଲେ। ହେଲେ ରାମସିଂ ଟଙ୍କା ନ ଦେଇ ସେମାନଙ୍କ ସହ ପାଟିତୁଣ୍ଡ କରିବା ସହ ଧମକଚମକ ଦେଇଥିଲେ।
ପରବର୍ତ୍ତୀ ସମୟରେ ରାମ ସିଂ ଜନସେବା କେନ୍ଦ୍ରରୁ ଟଙ୍କା ଉଠାଇ ଦେବାକୁ କହିଥିଲେ। ଏନେଇ ମନୋଜ ଓ ତାରିଣୀ ବାଇକ୍ରେ ଆଗରେ ଜନସେବା କେନ୍ଦ୍ରକୁ ଯାଉଥିବା ବେଳେ ରାମସିଂ ଓଆର୍୧୯-ଡି-୫୫୯୯ ନମ୍ବର ବିଶିଷ୍ଟ ଏକ ବୋଲେରୋ ଗାଡିରେ ପଛେ ପଛେ ଆସି ଶୁକ୍ରାମୁଣ୍ଡା ସାହି ପାଖାପାଖି ଏକ ନିଛାଟିଆ ଜାଗା ଦେଖି ବାଇକ୍ ଉପରକୁ ବୋଲେରୋ ଚଢାଇ ଦେଇଥିଲେ।
ଫଳରେ ଘଟଣାସ୍ଥଳରେ ତାରିଣୀ ପ୍ରସାଦଙ୍କ ମୃତ୍ୟୁ ହୋଇଥିବା ବେଳେ ମନୋଜ କୁମାର ଗୁରୁତର ହୋଇଥିଲେ। ଘଟଣାକୁ ନେଇ ମନୋଜ ନୟାକୋଟ ଥାନାର ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗକୁ ଭିତ୍ତି କରି ନୟାକୋଟ ଥାନା ପୋଲିସ ଥାନା ଏକ ମାମଲା(ନଂ.୪/୨୦୨୫) ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ୧୧ଜଣ ସାକ୍ଷ୍ୟ ଏବଂ ସମସ୍ତ ପ୍ରମାଣକୁ ଭିତ୍ତି କରି କେନ୍ଦୁଝର ଜିଲା ଦୌରାଜଜ ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି। ସରକାରଙ୍କ ପକ୍ଷରୁ ପିପି ପ୍ରଦୀପ କୁମାର ଦାସ ମାମଲା ପରିଚାଳନା କରୁଥିଲେ।