୯୦ ଟଙ୍କା ପାଇଁ ହତ୍ୟା: ଦେଢ଼ମାସ ପରେ ଧରାପଡିଲେ ହତ୍ୟାକାରୀ

ସମ୍ବଲପୁର,୨୦ା୧(ବ୍ୟୁରୋ): ସମ୍ବଲପୁର ଜିଲା ଧନୁପାଲି ଥାନା ସୁନାପାଲି ନିକଟ ଏକ ପୋଖରୀ ହୁଡାରୁ କ୍ଷେତିପଡାର ମହମ୍ମଦ ଅଫ୍‌ତାର (୪୫)ଙ୍କ ମୃତଦେହ ପୋଲିସ ଜବତ କରିଥିଲା। ଦେଢମାସ ପରେ ପୋଲିସ ଏହି ହତ୍ୟା ଘଟଣାର ପର୍ଦ୍ଦଫାଶ କରିଛି। ପୋଲିସ ବିଭିନ୍ନ ଦିଗରୁ ତଦନ୍ତ ପରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି। ସେମାନେ ହେଲେ ଦିକ୍ଷିତପାଲିର ଅଜୟ ମୁଣ୍ଡା(୨୫), ରାକେଶ ଖମାରୀ(୩୦)। ଏମାନଙ୍କ ନାମରେ ପୂର୍ବରୁ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି। ଏସ୍‌ପି ଅଫିସ ପରିସରରେ ବୁଧବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଏସ୍‌ପି ବାତୁଲା ଗଙ୍ଗାଧର ଏହି ସୂଚନା ଦେଇଛନ୍ତି।
ପୋଲିସ ସୂଚନା ଅନୁଯାୟୀ, ଡିସେମ୍ବର ୫ ତାରିଖରେ ଉଭୟ ଅଭିଯୁକ୍ତ ଗେଙ୍ଗୁଟିପାଲରୁ ଘରକୁ ଫେରୁଥିଲେ। ସେ ସମୟରେ ମହମ୍ମଦ ଅଫ୍‌ତାର ମଧ୍ୟ ଫେରୁଥିଲେ। ନିଛାଟିଆ ରାସ୍ତାରେ ଅଭିଯୁକ୍ତମାନେ ଅଫ୍‌ତାରଙ୍କୁ ନିଶା ସେବନ ପାଇଁ ଟଙ୍କା ମାଗିଥିଲେ। ଟଙ୍କା ନ ଦେବାରୁ ମାର୍‌ପିଟ କରି ପ୍ୟାଣ୍ଟ ପକେଟରେ ଥିବା ୯୦ ଟଙ୍କା ଲୁଟି ନେଇଥିଲେ। ଅଫ୍‌ତାର ପାଟି କରିବାକୁ ଅଭିଯୁକ୍ତ ଦ୍ୱୟ ଏକ ଇଟାରେ ମୁଣ୍ଡକୁ ଆକ୍ରମଣ କରି ପୋଖରୀ ହୁଡାରେ ଫିଙ୍ଗ ଚାଲିଯାଇଥିଲେ। ଫଳରେ ଘଟଣାସ୍ଥଳରେ ଅଫ୍‌ତାରଙ୍କ ମୃତ୍ୟୁ ଘଟିଥିଲା। ଡିସେମ୍ବର ୬ ତାରିଖରେ ସ୍ଥାନୀୟ ଲୋକେ ମୃତଦେହ ପଡିଥିବା ନେଇ ପୋଲିସକୁ ସୂଚନା ଦେଇଥିଲେ। ସଦର ଏସ୍‌ଡିପିଓ ତପନ କୁମାର ମହାନ୍ତି, ଧନୁପାଲି ଥାନା ଅଧିକାରୀ ପ୍ରଶାନ୍ତ ସାମଲ ସାଇଣ୍ଟିଫିକ ଟିମ୍‌ ସହ ପହଞ୍ଚତ୍ ତଦନ୍ତ କରିଥିଲେ। ପରିବାର ଲୋକଙ୍କ ଅଭିଯୋଗ ମୁତାବକ ଧନୁପାଲି ଥାନା ପୋଲିସ ଏକ ହତ୍ୟା ମାମଲା(ନଂ.୪୯୨/୨୦) ରୁଜୁ କରିଥିଲା।