ପୁରୀ, ୨୬।୮ (ଅଜିତ୍ କୁମାର ମହାନ୍ତି): ପୁରୀରେ ପୁଣି ଏକ ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି। ଗତ ଦୁଇ ଦିନ ମଧ୍ୟରେ ପୁରୀରେ ଦୁଇଟି ହତ୍ୟାକାଣ୍ଡ ଘଟିଥିବାରୁ ଏହାକୁ ନେଇ ପୋଲିସ ପ୍ରଶାସନର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ବୁଧବାର ସକାଳେ ଜଗନ୍ନାଥ ବଲ୍ଲଭ ପରିସରରେ ଥିବା ବେଣ୍ଟ ପୋଖରୀ ନିକଟରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଠାବ କରାଯାଇଛି। ମୃତକଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ପୋଲିସ ପ୍ରାଥମିକ ଭାବେ ଅନୁମାନ କରୁଛି।
ତେବେ ଟାଉନ୍ ଥାନା ଆଇଆଇସିଙ୍କ ସୂଚନା ଅନୁଯାୟୀ, ମୃତକ ଜଣେ ମାନସିକ ଭିନ୍ନକ୍ଷମ ବ୍ୟକ୍ତି ଥିଲେ। ସେ ପ୍ରତିଦିନ ସେହି ସ୍ଥାନରେ ଶୋଇଥାନ୍ତି। ତେବେ ଘଟଣାସ୍ଥଳରେ ତାଙ୍କ ସହ ଆଉ ଜଣେ ମାନସିକ ଭିନ୍ନକ୍ଷମ ବ୍ୟକ୍ତି ଶୋଇଥିବା ବେଳେ ଗତକାଲି ରାତି ୧୦ଟା ପରଠାରୁ ତାଙ୍କର କୌଣସି ପତ୍ତା ମିଳୁନାହିଁ।
ଏହି ଘଟଣାକୁ ନେଇ ଦୁଇଜଣଙ୍କ ମଧ୍ୟରେ କୌଣସି କାରଣରୁ ଗଣ୍ଡଗୋଳ ହୋଇଥାଇପାରେ ଏବଂ ସେଥିରୁ ହତ୍ୟାକାଣ୍ଡ ଘଟିଥାଇପାରେ ବୋଲି ପୋଲିସ ପ୍ରାଥମିକ ଭାବେ ଅନୁମାନ କରୁଛି।
ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମୃତଦେହ ଜବତ କରିଛି। ଫେରାର ଥିବା ବ୍ୟକ୍ତିଙ୍କ ସମ୍ପର୍କରେ ମଧ୍ୟ ପୋଲିସ ଖୋଜାଖୋଜି ଜାରି ରଖିଛି। ତଦନ୍ତ ପରେ ହତ୍ୟାକାଣ୍ଡର ପ୍ରକୃତ କାରଣ ଓ ଘଟଣାରେ କିଏ ସମ୍ପୃକ୍ତ, ତାହା ସ୍ପଷ୍ଟ ହେବ।

