ନୂଆଦିଲ୍ଲୀ,୧୦ା୫(ପି.ଟି.): ଜଣେ ବ୍ୟକ୍ତି ଯଦି ଅନ୍ୟ ଜଣଙ୍କୁ ହତ୍ୟା କରିବା କିମ୍ବା ହତ୍ୟା ପାଇଁ ଉସୁକାଇବା ଅଭିଯୋଗରେ ଅଭିଯୁକ୍ତ ହୋଇଥାନ୍ତି, ତେବେ ସେ ଉତ୍ତରାଧିକାର ସୂତ୍ରରେ ମୃତ ବ୍ୟକ୍ତିଙ୍କ ସମ୍ପତ୍ତି ପାଇପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ସମ୍ପତ୍ତି ଉତ୍ତରାଧିକାରରୁ ଅଯୋଗ୍ୟତା ଉଭୟ ଇଚ୍ଛାପତ୍ର ଥିବା ଏବଂ ଇଚ୍ଛାପତ୍ର ନ ଥିବା ଉତ୍ତରାଧିକାରୀଙ୍କ କ୍ଷେତ୍ରରେ ଲାଗୁହେବ ବୋଲି ଜଷ୍ଟିସ୍ ଜେ.ବି. ପର୍ଦିଓ୍ବାଲା ଏବଂ ଆର୍. ମହାଦେବନଙ୍କ ଖଣ୍ଡପୀଠ କହିଛନ୍ତି। ମାମଲାର ବିଚାର ଚାଲିଥିବାବେଳେ ମଧ୍ୟ ଉକ୍ତ ପ୍ରତିବନ୍ଧକ ଲାଗୁହେବ।
ଯଦି କୌଣସି ବ୍ୟକ୍ତି ଇଚ୍ଛାପତ୍ର ନ କରି ପ୍ରାଣ ହରାଇଥାନ୍ତି, ସେ କ୍ଷେତ୍ରରେ ବ୍ୟକ୍ତିଗତ ଆଇନର ନିୟମ ଅନୁଯାୟୀ ସମ୍ପତ୍ତି ବଣ୍ଟନ କରାଯାଇଥାଏ। ଯଦି ଇଚ୍ଛାପତ୍ର କରିଥାନ୍ତି, ତେବେ ତଦନୁଯାୟୀ ସମ୍ପତ୍ତି ବଣ୍ଟା ଯାଇଥାଏ। ଯଦି ଜଣେ ଉତ୍ତରାଧିକାର ସୂତ୍ରରେ ସମ୍ପତ୍ତି ପାଇବା ପାଇଁ ଅନ୍ୟ ଜଣକୁ ହତ୍ୟା କରେ ବା ଉସୁକାଏ, ତେବେ ସେ କେବଳ ହିନ୍ଦୁ ଉତ୍ତରାଧିକାର ଆଇନର ଧାରା ୨୫ ଅନୁଯାୟୀ ସମ୍ପତ୍ତି ପାଇବାକୁ ଅଯୋଗ୍ୟ, ତାହା ନୁହେଁ ନ୍ୟାୟ ଓ ସାଧୁତାର ନୀତି ଆଧାରରେ ମଧ୍ୟ ସେ ସମ୍ପତ୍ତିରୁ ବଞ୍ଚତ୍ତ ହେବେ। ଦଓ୍ବୋନି ମାମଲାରେ ଯଦି ଅପରାଧ ହୋଇଥିବା ସମ୍ଭାବନା ଅଧିକ ଥାଏ, ତେବେ ତାହାକୁ ପ୍ରମାଣ କରିବା ପାଇଁ କଠୋର ପ୍ରମାଣର ଆବଶ୍ୟକତା ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।