କାହାକୁ ଭୋଟ୍‌ ଦେଲେ ଏଜେଣ୍ଟଙ୍କୁ ଦେଖାଇବେ କାଉନ୍‌ସିଲର୍‌

ଭୁବନେଶ୍ୱର,୬।୪(ବ୍ୟୁରୋ): ଗୁରୁବାର ପୌର ଉପାଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହେବ। ଏହା ପୂର୍ବରୁ ନିର୍ବାଚନ ବିଧି ସମ୍ପର୍କରେ ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ବୁଧବାର ସବିଶେଷ ସୂଚନା ଦେଇଛନ୍ତି। ନିୟମାନୁସାରେ କାଉନସିଲର କାହାକୁ ଭୋଟ ଦେଲେ ସମ୍ପୃକ୍ତ ଦଳ ପକ୍ଷରୁ ନିଯୁକ୍ତ ଏଜେଣ୍ଟଙ୍କୁ ଦେଖାଇବେ ବୋଲି ସେ କହିଛନ୍ତି।

ଉପାଧ୍ୟକ୍ଷ ପାଇଁ ୨ରୁ ଅଧିକ ପ୍ରାର୍ଥୀ ଥିଲେ ଏକାଧିକ ଥର ନିର୍ବାଚନ ହେବ । ୩ ଜଣ ଥିଲେ ଭୋଟ ହୋଇ ସର୍ବଶେଷ ପ୍ରାର୍ଥୀଙ୍କୁ ବାଦ ଦିଆଯିବ। ଅଧିକ ଭୋଟ ପାଇଥିବା ୨ ପ୍ରାର୍ଥୀଙ୍କ ମଧ୍ୟରେ ଚୂଡ଼ାନ୍ତ ମୁକାବିଲା ହେବ। ଯଦି ଉଭୟ ପ୍ରାର୍ଥୀଙ୍କ ଭୋଟ ସମାନ ହୁଏ ତେବେ ଲଟେରୀ ଜରିଆରେ ଫଇସଲା କରାଯିବ ବୋଲି ସଚିବ ସୂଚନା ଦେଇଛନ୍ତି ।

ପ୍ରକାଶ ଯେ, ଆସନ୍ତାକାଲି ପୂର୍ବାହ୍ନ ୧୦ଟାରୁ ୧୧ଟା ମଧ୍ୟରେ ପୌର ଉପାଧ୍ୟକ୍ଷ ପଦବୀ ଲାଗି ନାମାଙ୍କନ ଦାଖଲ ହେବ। ୧୧ଟାରୁ ୧୨ଟା ମଧ୍ୟରେ ନାମାଙ୍କନପତ୍ର ଯାଞ୍ଚ, ଏହାପରେ ଦିନ ୧ଟା ପଯର୍ର୍‌ୟନ୍ତ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପ୍ରକ୍ରିୟା ଚାଲିବ। ଅପରାହ୍ନ ସାଢ଼େ ଗୋଟାଏରୁ ସାଢ଼େ ୩ଟା ପର୍ଯ୍ୟନ୍ତ ମତଦାନ ହେବ। ମତଦାନ ପରେ ସେହି ଦିନ ହିଁ ଭୋଟ ଗଣତି ଓ ଫଳାଫଳ ଘୋଷଣା ହେବ।