ଲାଞ୍ଚ ନେଇ ଧରାପଡ଼ିଲେ ପୌରପାଳିକା କର୍ମଚାରୀ, ଭିଜିଲାନ୍ସ ଏତିକି ଟଙ୍କା ଜବତ କରି…

ସୁନ୍ଦରଗଡ଼,୨୮ା୧୧(ଜୟନାରାୟଣ ମେଣ୍ଡୁଳି): ଓଡ଼ିଶା ଭିଜିଲାନ୍ସ ବୀରମିତ୍ରପୁର ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟର ଇନ୍‌ଫ୍ରାଷ୍ଟ୍ରକ୍ଚର ଏକ୍ସପର୍ଟ ବୈବସତ ମନୁ ରାଉତଙ୍କୁ ପିଏମଏଓ୍ବାଇ-ଅର୍ବାନ ଯୋଜନାରେ ହିତାଧିକାରୀଙ୍କଠାରୁ ୩୦,୦୦୦ ଟଙ୍କା ଲାଞ୍ଚ ମାଗି ନେଉଥିବା ବେଳେ ଧରିଛି।

ହିତାଧିକାରୀଙ୍କୁ ଘର ନିର୍ମାଣ ପାଇଁ ମୋଟ୍‌ ୨.୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ସେଥିମଧ୍ୟରୁ ବାକି ଥିବା ୧,୩୦,୦୦୦ ଟଙ୍କା ଛାଡ଼ିବା ପାଇଁ ଅଭିଯୁକ୍ତ ରାଉତ ଲାଞ୍ଚ ମାଗୁଥିଲେ। ବାରମ୍ବାର ଅନୁରୋଧ କରିବା ସତ୍ତ୍ୱେ ସେ ବାକି ଟଙ୍କା ଛାଡ଼ିବା ପ୍ରକ୍ରିୟା କରୁ ନ ଥିଲେ।

ଅଭିଯୋଗକାରୀ ଜଣେ ଗରିବ ଆଦିବାସୀ ହିତାଧିକାରୀ। ସେ ଲାଞ୍ଚ ଦେବାରେ ଅସମର୍ଥ ବୋଲି କହିବା ସତ୍ତ୍ୱେ ରାଉତ ଲାଞ୍ଚ ନେବା ପାଇଁ ଜିଦ ଧରିଥିଲେ। ଶେଷରେ ହଇରାଣ ହୋଇ ଅଭିଯୋଗକାରୀ ଭିଜିଲାନ୍ସକୁ ଜଣାଇଥିଲେ।

ଏହାପରେ ଶନିବାର ଓଡ଼ିଶା ଭିଜିଲାନ୍ସ ଟିମ ରାଉତଙ୍କୁ ଅଭିଯୋଗକାରୀଙ୍କଠାରୁ ୩୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଛି। ତାଙ୍କ ନିକଟରୁ ପୂରା ଲାଞ୍ଚ ଟଙ୍କା ଜବତ କରାଯାଇଛି।

ଏନେଇ ରାଉରକେଲା ଭିଜିଲାନ୍ସ ଥାନା କେସ୍‌ ନଂ ୧୪/୨୬ ଅନୁଯାୟୀ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି।

Dharitri – Odisha’s No.1 Odia Daily

Share