ଖୁବ୍‌ଶୀଘ୍ର ହେବ ପୌର ନିର୍ବାଚନ

ଭୁବନେଶ୍ୱର,୫ା୩(ବ୍ୟୁରୋ):ସ୍ଥାନ ସଂରକ୍ଷଣ ସମସ୍ୟା ଯୋଗୁ ଦୀର୍ଘଦିନ ହେବ ରାଜ୍ୟରେ ପୌର ନିର୍ବାଚନ ହୋଇପାରୁ ନାହିଁ। ତେବେ ପୌର ନିର୍ବାଚନ ହେବା ନେଇ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସବୁଜ ସଙ୍କେତ ଦେଇଛନ୍ତି। ରାଜ୍ୟ ସରକାର ଖୁବ୍‌ଶୀଘ୍ର ପୌର ନିର୍ବାଚନ କରିବାକୁ ଯାଉଛନ୍ତି। ଏ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି ଯେ ଏସ୍‌ସି, ଏସ୍‌ଟି ଓ ପଛୁଆବର୍ଗ(ଓବିସି) ପାଇଁ ୫୦ ପ୍ରତିଶତରୁ ଅଧିକ ସ୍ଥାନ ସଂରକ୍ଷଣ ନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେହି ଆଧାରରେ ଆସନ୍ତା ନିର୍ବାଚନ ହେବ ।
ରାଜ୍ୟ ସରକାର ପୌର ନିର୍ବାଚନ ପାଇଁ ସଜବାଜ ହେଉଥିବା ବେଳେ ସ୍ଥାନ ସଂରକ୍ଷଣକୁ ନେଇ ହାଇକୋର୍ଟରେ ମାମଲା ଦାଏର ହୋଇଥିଲା। ଫଳରେ ସ୍ଥାନ ସଂରକ୍ଷଣକୁ ୫୦ ପ୍ରତିଶତରେ ସୀମିତ ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ତେବେ ସର୍ବୋଚ୍ଚ ଅଦାଲତ ହାଇକୋର୍ଟଙ୍କ ରାୟକୁ କାଏମ ରଖିବା ସହ ଆଇନରେ ସଂଶୋଧନ ଆଣିବାକୁ ପରାମର୍ଶ ଦେଇଥିଲେ। ଫଳରେ କାର୍ଯ୍ୟକାଳ ଶେଷ ହୋଇଥିଲେ ମଧ୍ୟ ୭୦ରୁ ଊର୍ଦ୍ଧ୍ୱ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍‌ଏସି), ମ୍ୟୁନିସିପାଲିଟି ଓ ମହାନଗର ନିଗମରେ ନିର୍ବାଚନ ହୋଇପାରି ନ ଥିଲା। ପୌର ଆଇନରେ ସଂଶୋଧନ ନ ହେବା କାରଣରୁ ନିର୍ବାଚନ ଅନୁଷ୍ଠିତ ହୋଇପାରି ନ ଥିଲା। ନିର୍ବାଚନ ହେବା ପର୍ଯ୍ୟନ୍ତ ପୌର ସଂସ୍ଥା ଓ ମହାନଗର ନିଗମଗୁଡ଼ିକର ସମସ୍ତ କାର୍ଯ୍ୟ ତଦାରଖ କରିବାକୁ ପ୍ରଶାସନିକ ଅଧିକାରୀମାନଙ୍କୁ ନିଯୁକ୍ତି ଦିଆଯାଇଛି।