ପୌର ନିର୍ବାଚନ: ଆଜିଠୁ ନାମାଙ୍କନ

ଭୁବନେଶ୍ୱର, ୨।୩(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର କର୍ପୋରେଟର ଓ ମେୟର ପଦବୀ ପାଇଁ ବୁଧବାରଠାରୁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେଉଛି। ୨ରୁ ୭ତାରିଖ ଅର୍ଥାତ୍‌ ୬ଦିନ ଧରି ଭୁବନେଶ୍ୱର ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଚାଲିବ। ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ଯାଏ ପ୍ରାର୍ଥୀମାନେ ସେମାନଙ୍କ ସମର୍ଥକଙ୍କ ସହିତ ଯାଇ ନାମାଙ୍କନପତ୍ର ଦାଖଲ କରିବେ। ଏହା କିପରି ଶୃଙ୍ଖଳାର ସହ ସମ୍ପନ୍ନ ହୋଇପାରିବ ସେନେଇ ଅତିରିକ୍ତ ଜିଲାପାଳ ପ୍ରଫୁଲ୍ଲ କୁମାର ସ୍ବାଇଁଙ୍କ ନେତୃତ୍ୱରେ ୧୨ଟି ଗ୍ରୁପ୍‌ ଗଠନ କରାଯାଇଛି। ଅପରପକ୍ଷେ ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ନାମାଙ୍କନ ପତ୍ର ଦାଖଲ ସମୟରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ ହେବ ସେଥିପାଇଁ ପୋଲିସ ମୁତୟନ ହୋଇଛନ୍ତି।
ସୂଚନାଯୋଗ୍ୟ, ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଶେଷ ପରେ ୯ ତାରିଖରେ ସେଗୁଡ଼ିକୁ ଯାଞ୍ଚ କରାଯାଇ ୧୦ ତାରିଖରେ ବୈଧ ନାମାଙ୍କନ ତାଲିକା ପ୍ରକାଶ ପାଇବ। ମାର୍ଚ୍ଚ ୧୪ ସୁଦ୍ଧା ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର ହେବ ଏବଂ ଉକ୍ତ ଦିନ ସନ୍ଧ୍ୟା ସୁଦ୍ଧା ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ମାର୍ଚ୍ଚ ୨୪ରେ ଭୋଟ୍‌ ହୋଇ ୨୬ରେ ଗଣତି କରାଯିବ। ୩ ବର୍ଷ ପରେ ମହାନଗର ନିଗମରେ କର୍ପୋରେଟର ଏବଂ ମେୟର ପଦବୀ ପାଇଁ ନିର୍ବାଚନ ହେଉଥିବାରୁ ରାଜନୈତିକ ପାଣିପାଗ ସରଗରମ ରହିଛି। ପଞ୍ଚାୟତ ନିର୍ବାଚନ ପରେ ବିଜେଡି ପ୍ରାର୍ଥୀଙ୍କୁ ହରାଇବା ଲାଗି ବିରୋଧୀ ଭାଜପା ଏବଂ କଂଗ୍ରେସ କାହାକୁ ପ୍ରାର୍ଥୀ କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି।