ପୌର ପରିଷଦର ସ୍ବଚ୍ଛ ଭାରତ ମିଶନ ଫେଲ୍‌

ପଟ୍ଟାମୁଣ୍ଡାଇ ୧୭ା୩(କଳ୍ପତରୁ ନାୟକ)କେନ୍ଦ୍ରାପଡ଼ା ଜିଲାର ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ କ୍ଷେତ୍ର ଓ ବାଣିଜ୍ୟ କେନ୍ଦ୍ର ଭାବେ ପଟ୍ଟାମୁଣ୍ଡାଇ ପରିଚିତ। ଏଠାକୁ ଦୈନିକ ହଜାର ହଜାର ଲୋକେ ଆସୁଥିବା ବେଳେ ଶୌଚ ଯିବା ପାଇଁ କୌଣସି ବ୍ୟବସ୍ଥା ନ ଥିବାରୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏହାକୁ ଦୃଷ୍ଟିରେ ରଖି ପୌରପାଳିକା ପକ୍ଷରୁ ସରକାରୀ ଅର୍ଥ ବ୍ୟୟବରାଦ କରାଯାଇ ସର୍ବସାଧାରଣ ଶୌଚାଳୟ, ଗୋଷ୍ଠୀ ଶୌଚାଳୟ, ଇକୋ ଶୌଚାଳୟ ଆଦି ବହୁ ପ୍ରକଳ୍ପ ହାତକୁ ନିଆଯାଇଛି। ସେଥିମଧ୍ୟରୁ ସର୍ବସାଧାରଣ ଶୌଚାଳୟ, ଗୋଷ୍ଠୀ ଶୌଚାଳୟ ଉଦଘାଟନ ହୋଇ କାର୍ଯ୍ୟକ୍ଷମ ନ ହୋଇ ପଡି ରହିଥିବା ବେଳେ ଇକୋ ଟଏଲେଟ ପ୍ରକଳ୍ପ ଅଧାପନ୍ତରିଆ ହୋଇ ପଡ଼ିରହିଛି। ଫଳରେ ପଟ୍ଟାମୁଣ୍ଡାଇ ପୌରପାଳିକାରେ ସ୍ବଚ୍ଛ ଭାରତ ମିଶନ ଫେଲ ହୋଇଥିବା ନେଇ ସାଧାରଣରେ ମତ ପ୍ରକାଶ ପାଇଛି।
କର୍ମୀ ଅନନ୍ତ ଦାଶ କହିଛନ୍ତି, ପଟ୍ଟାମୁଣ୍ଡାଇ ସହରରେ ମ୍ୟୁନିସିପାଲିଟି ଅଫିସ, ବ୍ଲକ, ତହସିଲ କାର୍ଯ୍ୟାଳୟ ସମେତ ଉପଖଣ୍ଡ ସ୍ତରୀୟ ଚିକିତ୍ସାଳୟ, ଥାନା, ୩ଟି ନ୍ୟାୟାଳୟ, ୩୦ରୁ ଊଦ୍ଧର୍‌ବ ସରକାରୀ କାର୍ଯ୍ୟାଳୟ, ୧୦ରୁ ଊଦ୍ଧର୍‌ବ ରାଷ୍ଟ୍ରାୟତ ଓ ଘରୋଇ ବ୍ୟାଙ୍କ କାର୍ଯ୍ୟ କରୁଛି। ବିଭିନ୍ନ କାମରେ ଦୈନିକ ହଜାରରୁ ଊଦ୍ଧର୍‌ବ ଲୋକ ଏଠାକୁ ଆସିଥାନ୍ତି। ସେହିପରି ମିଶନ ଶକ୍ତି କାମରେ ବହୁ ମହିଳା ମଧ୍ୟ ଆସିଥାନ୍ତି। ମାତ୍ର ଶୌଚ କାର୍ଯ୍ୟ କରିବା ପାଇଁ କୌଣସି ବ୍ୟବସ୍ଥା ନ ଥିବାରୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ନେଇ ବାରମ୍ବାର ଦାବି ହେବା ପରେ ପୌର ପରିଷଦ ପକ୍ଷରୁ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ ବା ମୁକ୍ତା ଯୋଜନାରେ ୨୦ଟି ୱାର୍ଡର ସବୁ ଛକରେ ନିର୍ମାଣ ହୋଇଥିଲା ଗୋଷ୍ଠୀ ଶୌଚାଳୟ। ଗୋଟିଏ ଗୋଟିଏ ପାଇଖାନା ପାଇଁ ୧୨ଲକ୍ଷ ଟଙ୍କାରୁ ଆରମ୍ଭ କରି ୧୬ ଲକ୍ଷ ଯାଏ ଖର୍ଚ୍ଚ ହୋଇଥିଲା। ପ୍ରାୟ ୨ କୋଟି ଟଙ୍କା ବ୍ୟୟ ଅଟଳଳ କରାଯାଇଛି ବୋଲି ପୌର ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ହେଲେ ଦୀର୍ଘଦିନ ବିତି ଯାଇଥିଲେ ବି କୌଣସି ଶୌଚାଳୟ କାର୍ଯ୍ୟକାରୀ ହୋଇପାରିନି। ବୁଦ୍ଧିଜୀବୀ ପ୍ରବିର ନାୟକ କହିଛନ୍ତି, ପୌରପାଳିକା ପକ୍ଷରୁ ସର୍ବସାଧାରଣଙ୍କ ବ୍ୟବହାର ନିମନ୍ତେ ସ୍ବଚ୍ଛ ଭାରତ ଯୋଜନାରେ ୨୦ଟି ୱାର୍ଡରେ ୧୬ଟି ସର୍ବସାଧାରଣ ଶୌଚାଳୟ ଓ ଗୋଷ୍ଠୀ ଶୌଚାଳୟ ନିର୍ମାଣ କରାଯାଇଛି। ଗତ ସ୍ବାୟତ୍ତ ଶାସନ ଦିବସରେ ସ୍ଥାନୀୟ ବିଧାୟକ, ପୌର ଅଧ୍ୟକ୍ଷ ସମେତ ଅନ୍ୟମାନେ ଏହି ଶୌଚାଳୟ ସବୁ ଉଦ୍‌ଘାଟନ କରିଥିଲେ। ମାତ୍ର ସେବେଠାରୁ ଶୌଚାଳୟ ଦିନଟିଏ ପାଇଁ ଲୋକଙ୍କ କାମରେ ଆସି ପାରି ନ ଥିବା ବେଳେ ସ୍ଥାନୀୟ ଲୋକେ ବାଧ୍ୟ ହୋଇ ଖୋଲା ସ୍ଥାନକୁ ଶୌଚ ଯିବାକୁ ବାଧ୍ୟ ହେଉଛନ୍ତି। ଶୌଚାଳୟ ଉଦ୍‌ଘାଟନ ହେବା ଦିନରୁ କାର୍ଯ୍ୟକ୍ଷମ ହୋଇ ନ ପାରି ତାଲା ପକା ଯାଇଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସେହିପରି ୨୦୨୧ ମସିହାରେ ପଟ୍ଟାମୁଣ୍ଡାଇ ପୌର ପରିଷଦ ପକ୍ଷରୁ ବିଭିନ୍ନ ସ୍ଥାନରେ ୧କୋଟି ୫୧ ଲକ୍ଷ ୨୦ ହଜାର ଟଙ୍କା ମଞ୍ଜୁର କରାଯାଇ, ଇକୋ-ଟଏଲେଟ ନିର୍ମାଣ କରାଯାଇଛି। ଏତେ ଟଙ୍କା ଖର୍ଚ୍ଚରେ ନିର୍ମିତ ଶୌଚାଳୟ କର୍ଯ୍ୟକ୍ଷମ ନ ହୋଇ ପଡିରହିଛି। ଫଳରେ ଦୂର ଦୂରାନ୍ତରୁ ଆସୁଥିବା ମହିଳାପୁରୁଷ, ଛୋଟ ପିଲା ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିପାଇଁ ସ୍ବଚ୍ଛ ଭାରତ ଅଭିଯାନ କାର୍ଯ୍ୟକାରୀ ହୋଇପାରୁନାହିଁ ଏବଂ ଲୋକମାନେ ଶୌଚାଳୟ ବଦଳରେ ମୁକ୍ତ ଆକାଶ ତଳେ ଶୌଚ କାର୍ଯ୍ୟ କରିବାକୁ ବାଧ୍ୟ ହେଉଛନ୍ତି। ଏଥିପ୍ରତି ପୌର କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ସ୍ଥାନୀୟବାସୀ ଏବଂ ବ୍ୟବସାୟୀମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ପୌର ନିର୍ବାହୀ ଅଧିକାରୀ ନାରାୟଣ ପ୍ରସାଦ ଗିରିଙ୍କୁ ପଚାରିବାରୁ କମଦିନ ଭିତରେ ସର୍ବସାଧାରଣ ଓ ଗୋଷ୍ଠୀ ଶୌଚାଳୟ, କର୍ଯ୍ୟକ୍ଷମ ହୋଇଯିବ। ଏହାର ରକ୍ଷାଣବେକ୍ଷଣ ଦାୟିତ୍ୱ ସ୍ବୟଂ ସହାୟକ ଗୋଷ୍ଠୀକୁ ଦିଆଯିବା ପାଇଁ ସ୍ଥିର କରାଯାଇଛି ବୋଲି ସେ କହିଛନ୍ତି।