ଲୋକଙ୍କ କାମରେ ଲାଗୁନି ପୌର ପରିଷଦ ଗୋଷ୍ଠୀ ଶୌଚାଳୟ

ସୁନାବେଡ଼ା,୨୬।୧(ସ୍ବ.ପ୍ର.) – ସୁନାବେଡ଼ା ପୌର ପରିଷଦ ପକ୍ଷରୁ ଜାନିଗୁଡ଼ା ଗ୍ରାମର ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ସହ ସାଧାରଣ ଲୋକଙ୍କ ସୁବିଧା ନିମନ୍ତେ ଗୋଟିଏ ଗୋଷ୍ଠୀ ଶୌଚାଳୟ ନିର୍ମାଣ କରାଯାଇଥିଲା । ମାତ୍ର ନିର୍ମାଣ ଶେଷ ହେବାର ୬ବର୍ଷ ବିତିଯାଇଥିଲେ ମଧ୍ୟ ତାହା ଲୋକଙ୍କ ବ୍ୟବହାରରେ ଲାଗି ନ ଥିବା ଅଭିଯୋଗ ହେଉଛି। ସହରାଞ୍ଚଳର ଉନ୍ନୟନମୂଳକ କାର୍ଯ୍ୟକୁ ହାତକୁ ନେବା ସହ ଜନସାଧାରଣଙ୍କ ସୁବିଧା ଲାଗି ସରକାରଙ୍କ ବିଭିନ୍ନ ଯୋଜନାରେ ବହୁ ଅର୍ଥ ବ୍ୟୟ କରି ପୌର ପରିଷଦ ଉନ୍ନୟନମୂଳକ କାର୍ଯ୍ୟ କରୁଥିଲେ ମଧ୍ୟ ସେଥିରୁ ଲୋକେ ସୁଫଳ ପାଉନାହାନ୍ତି। ଜାନିଗୁଡ଼ାରେ ନିର୍ମିତ ଗୋଷ୍ଠୀ ଶୌଚାଳୟ ଏହାର ଏକ ଉଦାହରଣ। ଶୌଚାଳୟ ନିର୍ମିତ ହୋଇଥିବା ସ୍ଥାନରେ ଗଛଲତା ଉଠି ଜଙ୍ଗଲ ସଦୃଶ ହୋଇପଡ଼ିଛି। ଏଠାକୁ ଯିବାକୁ ରାସ୍ତା ନାହିଁ। ଯେକେହି ବ୍ୟକ୍ତି ଶୌଚହେବା ଦୂରର କଥା ତାହା ଭିତରକୁ ଯିବାକୁ ମଧ୍ୟ ଉଚିତ ମଣୁନାହାନ୍ତି। ଶୌଚାଳୟରେ ପାଣି ବ୍ୟବସ୍ଥା ମଧ୍ୟ ନାହିଁ। ଶୌଚାଳୟର ଭିତର ଅବସ୍ଥା ଯେମିତି ଭୂତକୋଠି ପାଲଟିଛି। କୌଣସି ପ୍ୟାନ୍‌ ଠିକ୍‌ ନ ଥିବା ବେଳେ ପ୍ୟାନ୍‌ରେ ମାଟି ଭର୍ତ୍ତି ହୋଇ ରହିଛି। ପାଣି ଟ୍ୟାଙ୍କର ଷ୍ଟାଣ୍ଡ ରହିଛି, ପାଣି ଟ୍ୟାଙ୍କ ନାହିଁ। କବାଟ ସବୁ ଖୋଲା ପଡ଼ିଛି। ପୌର ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।