କଲମ ଧରିବେ ଦିବ୍ୟାଙ୍ଗ ମୁନା

ଭୁବନେଶ୍ୱର,୧୦।୨ (ବ୍ୟୁରୋ): ପଢା ଲେଖାରେ ମନ ଥିଲେ ମଧ୍ୟ କୁନି ପୁଅ ମୁନାର ଶାରୀରିକ ଅକ୍ଷମତା ଏଥିରେ ପ୍ରତିବନ୍ଧକ ସାଜିଥିଲା। କାରଣ ସେ ଅନେକ ଦିନରୁ ଦୁଇ ହାତ ହରାଇଛନ୍ତି। ହେଲେ ଏବେ ସେ କଲମ ଧରିବେ, ଆଉ ପାଠପଢ଼ି ନିଜ ସ୍ବପ୍ନ ବି ସାକର କରିବେ। ଏଥିପାଇଁ ଓଡ଼ିଶା ମୋ ପରିବାର ତାଙ୍କୁ କୃତ୍ରିମ ହାତ ଯୋଗାଇଦିଆଯାଇଛି। ଦେବଗଡ଼ ଜିଲା ରିମାଲ ଅଞ୍ଚଳର ୭ବର୍ଷୀୟ ବାଳକ ମୁନା ମାଝି ଦିନେ ଛାତ ଉପରେ ଖେଳୁଥିବାବେଳେ ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିବାରୁ ତାଙ୍କ ଦୁଇ ହାତ ଜଳିଯାଇ ଗୁରୁତର ଆହତ ହୋଇଥିଲା। ଡାକ୍ତର ତାଙ୍କୁ ବଞ୍ଚାଇ ଦେଇଥିଲେ ମଧ୍ୟ ଦୁଇ ହାତକୁ କାଟିବାକୁ ପଡିଥିଲା। ତେବେ ଏହାସତ୍ତ୍ୱେ ମୁନାଙ୍କର ମନୋବଳ ଭାଙ୍ଗି ନ ଥିଲା। ପାଠ ପଢି ବ ମଣିଷ ହେବା ପାଇଁ ପୂର୍ବପରି ବିଦ୍ୟାଳୟରେ ପଢିବା ଜାରି ରଖିଛନ୍ତି। ହେଲେ ଦୁଇ ହାତ ନ ଥିବାରୁ ଲେଖାଲେଖି କରିପାରୁ ନାହାନ୍ତି। ମୋ ପରିବାର ପକ୍ଷରୁ କୃତ୍ରିମ ଅଙ୍ଗ ଯୋଗାଣ ସମ୍ପର୍କରେ ପରିବାର ଲୋକେ ଗଣମାଧ୍ୟମରୁ ଜାଣିବା ପରେ ଏଥିପାଇଁ ଦେବଗଡ ଜିଲା ଜୀବନବିନ୍ଦୁ ସଂଯୋଜକ ରୋମାଞ୍ଚ ରଞ୍ଜନ ବିଶାଳଙ୍କୁ ଅନୁରୋଧ କରିଥିଲେ। ପରେ ସେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ଉପ ସଭାପତି ଭବାନୀ ଶଙ୍କର ଦାସଙ୍କୁ ଜଣାଇଥିଲେ। ଏନେଇ ବିଜେଡି ଯୁଗ୍ମ ସମ୍ପାଦକ(ଓଡ଼ିଶା ମୋ ପରିବାର) ରୁଦ୍ର ନାରାୟଣ ସାମନ୍ତରାୟ କ୍ୟାପିଟାଲ ହସ୍ପିଟାଲ ପରିସରସ୍ଥିତ ଏଆର୍‌ସି ସହିତ ଯୋଗାଯୋଗ କରିଥିଲେ। ଗୁରୁବାର ତାଙ୍କୁ କୃତ୍ରିମ ହାତ ଯୋଗାଇ ଦିଆଯାଇଛି। ଏହି ସମୟରେ ସ୍ବାସ୍ଥ୍ୟ ଉପଦେଷ୍ଟା ସତ୍ୟଜିତ ଦାଶ, ଭବାନୀ ଶଙ୍କର ଦାସ ଏବଂ ଓଡ଼ିଶା ମୋ ପରିବାର ସଦସ୍ୟ ମଧ୍ୟ ଉପସ୍ଥିତ ଥିଲେ।