ରାଜଧାନୀରୁ ସାଇବର ଠକଙ୍କୁ ଗିରଫ କଲା ମୁମ୍ବାଇ ପୋଲିସ

ଭୁବନେଶ୍ୱର,୨୨ା୭(ବ୍ୟୁରୋ): ବିଭିନ୍ନ ଯୁବତୀଙ୍କ ନାମରେ ଫେସ୍‌ବୁକ୍‌ରେ ଫେକ୍‌ ଆକାଉଣ୍ଟ ଖୋଲି ଏହା ସାହାଯ୍ୟରେ ଯୁବକଙ୍କ ସହ ଅଶ୍ଳୀଳ ଚାଟ୍‌ କରୁଥିଲେ। ଏମିତି କି ଯୁବକଙ୍କୁ ଅଶ୍ଳୀଳ ଫଟୋ ପଠାଇବା ସହ ଭିଡ଼ିଓ କଲିଂ କରୁଥିଲେ। ପରବର୍ତ୍ତୀ ମୁହୂର୍ତ୍ତରେ ସମ୍ପୃକ୍ତ ଯୁବକଙ୍କୁ ଏନେଇ ବ୍ଲାକ୍‌ମେଲିଂ କରି ଟଙ୍କା ମାଗୁଥିଲେ। ଏଭଳି ଘଟଣାରେ ମୁମ୍ବାଇ ସାଇବର କ୍ରାଇମ ସେଲ୍‌ ପୋଲିସ ଭୁବନେଶ୍ୱର ଭରତପୁର ଥାନା ଅଞ୍ଚଳରୁ ମାଲକାନଗିରି ଜିଲାର ଦେବାଶିଷ କିର୍ତ୍ତନିଆ ନାମକ ଯୁବକଙ୍କୁ ଗିରଫ କରିଛି। ବୁଧବାର ତାଙ୍କୁୁ କୋର୍ଟରେ ହାଜର କରାଯିବା ସହ ଟ୍ରାନ୍‌ଜିଟ୍‌ ରିମାଣ୍ଡରେ ମୁମ୍ବାଇ ନିଆଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଦେବାଶିଷ ଭୁବନେଶ୍ୱରରେ ଏକ ଘରୋଇ କମ୍ପାନୀରେ ଚାକିରି କରିଥିଲେ। ଫେସ୍‌ବୁକ୍‌ରେ ଝିଅଙ୍କ ନଁାରେ ଫେକ୍‌ ଆକାଉଣ୍ଟ ଖୋଲି ଯୁବକଙ୍କ ସହ କଥା ହୋଇ ତାଙ୍କୁ ପ୍ରେମ ଜାଲରେ ଫସାଉଥିଲେ। ପରେ ତାଙ୍କ ସହ ଅଶ୍ଳୀଳ କଥା ହୋଇ ତାଙ୍କୁ ଭିଡିଓ କଲ୍‌ କରିବାକୁ କହୁଥିଲେ। ତେବେ ଏହି ସମୟରେ ଘରେ ଲୋକ ଅଛନ୍ତି ଭଳି ଅନେକ ବାହାନା କରି ଦେବାଶିଷ ଅନ୍ଧାରରେ ଚୁପ୍‌ ହୋଇ ରହୁଥିଲେ। ଫୋନ୍‌ ସେପଟରେ ଥିବା ଯୁବକ ଜଣକଙ୍କ ଭିଡ଼ିଓ କଲ୍‌ରେ ଅଶ୍ଳୀଳ କଥା କହୁଥିବା ସମୟରେ ଦେବାଶିଷ ସମସ୍ତ ଦୃଶ୍ୟକୁ ରେକର୍ଡ କରିଦେଉଥିଲେ। ଏହାପରେ ବ୍ଲାକମେଲିଂ ଆରମ୍ଭ କରି ଲକ୍ଷାଧିକ ଟଙ୍କା ମାଗୁଥିଲେ। ଟଙ୍କା ନ ଦେଲେ ଭିଡ଼ିଓ ଭାଇରାଲ୍‌ କରିଦେବାକୁ ଧମକ ଦେଉଥିଲେ। ଏନେଇ ମୁମ୍ବାଇର ଜଣେ ଯୁବକ ସାଇବର ସେଲ୍‌ରେ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଫେକ୍‌ ଆକାଉଣ୍ଟ ଓଡ଼ିଶାର ଭୁବେନଶ୍ୱରରୁ ପରିଚାଳନା ହେଉଥିବା ପୋଲିସ ଜାଣି ଏସମ୍ପର୍କରେ ଭୁବନେଶ୍ୱର ପୋଲିସକୁ ଅବଗତ କରିଥିଲା। ପରେ ମୁମ୍ବାଇ ପୋଲିସର ୪ଜଣିଆ ଟିମ୍‌ ସମ୍ପୃକ୍ତ ସାଇବର ଠକଙ୍କୁ ଭରତପୁର ଅଞ୍ଚଳରୁ ଗିରଫ କରିଛି।