ଧର୍ମଶାଳା,୧୪ା୫: ଚଳିତ ଆଇପିଏଲ୍ରେ ଗୁରୁବାର ଖେଳାଯାଇଥିବା ମ୍ୟାଚ୍ରେ ମୁମ୍ୱାଇ ଇଣ୍ଡିଆନ୍ସ ଓ ପଞ୍ଜାବ କିଙ୍ଗ୍ସ ପରସ୍ପରକୁ ଭେଟିଛନ୍ତି। ଶାର୍ଦ୍ଦୁଳ ଠାକୁରଙ୍କ ୪ ଉଇକେଟ ସଫଳତା ସତ୍ତ୍ୱେ ପଞ୍ଜାବ ପ୍ରତିପକ୍ଷ ମୁମ୍ୱାଇ ସମ୍ମୁଖରେ ୨୦୧ ରନର ଚ୍ୟାଲେଞ୍ଜିଂ ଟାର୍ଗେଟ ଧାର୍ଯ୍ୟ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଓ ସୂର୍ଯ୍ୟକୁମାର ଯାଦବଙ୍କ ଅନୁପସ୍ଥିତି ଯୋଗୁ ଯଶପ୍ରୀତ ବୁମରା ଏହି ମ୍ୟାଚ୍ରେ ମୁମ୍ୱାଇ ଦଳର ନେତୃତ୍ୱ ଭାର ନେଇଛନ୍ତି।
ବୁମରା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ, ଯାହାକି ଚଳିତ ଆଇପିଏଲ୍ରେ ଟ୍ରେଣ୍ଡ ପାଲଟିଛି। ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବକୁ ପ୍ରିୟାଂଶ ଆର୍ଯ୍ୟା ଓ ପ୍ରଭସିମରନ ସିଂଙ୍କ ଓପନିଂ ଯୋଡ଼ି ଅର୍ଦ୍ଧଶତକୀୟ ଆରମ୍ଭ ଦେଇଥିଲା। ଦଳୀୟ ସ୍କୋର ୫୦ ହୋଇଥିବା ବେଳେ ପ୍ରିୟାଂଶ (୨୨ ରନ, ୧୭ ବଲ, ୪ ଚୌକା) ପ୍ରଥମ ବ୍ୟାଟର ଭାବେ ଆଉଟ୍ ହୋଇଥିଲେ।
ନଂ.୩ରେ ଆସିଥିବା କୁପର କନୋଲିଙ୍କ ସହ ପ୍ରଭସିମରନ ମିଶି ଦ୍ୱିତୀୟ ଉଇକେଟରେ ୫୭ ରନ ଯୋଡ଼ିଥିଲେ। ଶାର୍ଦ୍ଦୁଳ ଠାକୁରଙ୍କ ୧୨ତମ ଓଭରରେ ଅର୍ଦ୍ଧଶତକ ପୂରଣ କରିସାରିଥିବା ପ୍ରଭସିମରନ (୫୭ ରନ, ୩୨ ବଲ, ୬ ଚୌକା ଓ ୪ ଛକା)ଙ୍କୁ ଆଉଟ୍ କରିବା ପରେ ପଞ୍ଜାବର ମିଡିଲ୍ ଅର୍ଡର ତାସଘର ଭଳି ଭୁଷୁଡ଼ି ଯାଇଥିଲା।
୧୧ ଓଭର ସୁଦ୍ଧା ପଞ୍ଜାବ ୧୦୭/୧ ସ୍କୋର କରିଥିବା ପଞ୍ଜାବ ୧୬.୨ ଓଭରରେ ୧୪୦ ରନରେ ୭ ଉଇକେଟ ହରାଇ ସଙ୍କଟରେ ପଡ଼ିଥିଲା। ଅଧିନାୟକ ଶ୍ରେୟସ ଆୟାର (୪), ସୂର୍ଯ୍ୟଂଶ ଶେଡଗେ (୮), ଶଶାଙ୍କ ସିଂ (୨) ଓ ମାର୍କୋ ଜାନସେନ (୨) ଫେଲ୍ ମାରିଥିବା ବେଳେ କଲୋନୀ ୨୧ ରନ କରି ଆଉଟ୍ ହୋଇଥିଲେ।
ଶେଷ ଆଡ଼କୁ ଅଜମାତୁଲା ଓମାରଜାଇ ୧୭ ବଲରେ ଗୁରୁତ୍ୱପୂର୍ଣ୍ଣ ୩୮ (୨ ଚୌକା ଓ ୪ ଛକା) ରନ କରିଥିଲେ। ଅନ୍ତିମ ଦୁଇ ଓଭରରେ ବିଷ୍ଣୁ ବିନୋଦ (୧୫ ରନ, ୭ ବଲ, ୧ ଲେଖାଏ ଚୌକା ଓ ଛକା) ଓ ଜାଭିଅର ବାର୍ଟଲେଟ୍ (୧୮ ରନ, ୭ ବଲ, ୨ ଚୌକା ଓ ୧ ଛକା) ନବମ ଉଇକେଟରେ ୧୨ ବଲରେ ଦ୍ରୁତ ୩୪ ରନ ଯୋଡ଼ିଥିଲେ। ଫଳରେ ପଞ୍ଜାବ ନିର୍ଦ୍ଧାରିତ ୨୦ ଓଭରରେ ୮ ଉଇକେଟ ହରାଇ ୨୦୦ ରନ କରିଥିଲା।