Categories: ଖେଳ

ଆର୍‌ସିବିକୁ ହରାଇ ଶୀର୍ଷରେ ପହଞ୍ଚିଲା ମୁମ୍ବାଇ ଇଣ୍ଡିଆନ୍ସ

ବେଙ୍ଗାଲୁରୁ, ୩।୩: ଓମେନ୍ସ ପ୍ରିମିୟର ଲିଗ୍‌ର ଅନୁଷ୍ଠିତ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ୭ ଉଇକେଟରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)କୁ ପରାସ୍ତ କରିଛି। ଆରସିବି ୨୦ ଓଭରରେ ୬ ଉଇକେଟ ହରାଇ ୧୩୧ ରନ କରିଥିଲା। ଜବାବରେ ମୁମ୍ବାଇ ଇଣ୍ଡିଆନ୍ସ ୧୫.୧ ଓଭରରେ ୩ ଉଇକେଟ ହରାଇ ୧୩୩ ରନ ସଂଗ୍ରହ କରି ନେଇଥିଲା। ୪ ମ୍ୟାଚରୁ ତୃତୀୟ ବିଜୟ ସହ ମୁମ୍ବାଇ ପଏଣ୍ଟ ଟେବୁଲର ଶୀର୍ଷକୁ ଉନ୍ନୀତ ହୋଇଛି। ଏହି ଦଳର ପଏଣ୍ଟ ସଂଖ୍ୟା ୬ରେ ପହଞ୍ଚିଛି। ଅନ୍ୟପକ୍ଷରେ ଆରସିବି ୪ ମ୍ୟାଚରୁ ୨ୟ ପରାଜୟ ସହ ୪ ନମ୍ବର ସ୍ଥାନକୁ ଖସିଛି।
ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ମୁମ୍ବାଇ ଦଳର କାମଚଳା ଅଧିନାୟିକା ନାଟ ସ୍କିଭର-ବ୍ରଣ୍ଟ। ବୋଲରମାନେ ଚମତ୍କାର ବୋଲିଂ କରି ଅଧିନାୟିକାଙ୍କ ନିଷ୍ପତ୍ତିକୁ ଉଚିତ ସାବ୍ୟସ୍ତ କରିଥିଲେ। ଦଳୀୟ ସ୍କୋର ୧୪ ହୋଇଥିବାବେଳେ ଅଧିନାୟିକା ସ୍ମୃତି ମନ୍ଧାନାଙ୍କ ଉଇକେଟ ହରାଇ ଆରସିବି ବ୍ୟାକ୍‌ଫୁଟକୁ ଚାଲି ଯାଇଥିଲା। ମନ୍ଧାନା ୯, ସୋଫି ଡିଭାଇନ ୯ ଓ ସାଭିନେନି ମେଘନା ୧୧ ରନକରି ପ୍ୟାଭିଲିୟନ ଫେରିବାରୁ ଆରସିବି ସ୍କୋର ୫.୪ ଓଭର ବେଳକୁ ୩୩/୩ ହୋଇ ଯାଇଥିଲା। ଗୋଟିଏ ପଟରେ ଏଲିସ ପେରୀ ଦକ୍ଷତାର ସହ ବିପକ୍ଷ ଦଳର ବୋଲରଙ୍କୁ ମୁକାବିଲା କରିଥିବାବେଳେ ଅନ୍ୟପଟରେ ବ୍ୟାଟରଙ୍କ ବିଫଳତା ଯୋଗୁ ଦଳ ବଡ଼ ସ୍କୋର କରିପାରି ନ ଥିଲା। ଡିଭାଇନ ୩୮ ବଲ୍‌ରୁ ସର୍ବାଧିକ ୪୫ ରନକରି ଅପରାଜିତ ରହିଥିଲେ। ରିଚା ଘୋଷ ୭, ସୋଫି ମୋଲିନକ୍ସ ୧୨ ଓ ଜର୍ଜିଆ ଓ୍ବେରହାମ ୨୭ ରନକରି ଆଉଟ ହୋଇଥିଲେ। ମୁମ୍ବାଇ ପକ୍ଷରୁ ନାଟ ସ୍କିଭର-ବ୍ରଣ୍ଟ ଓ ପୂଜା ବସ୍ତ୍ରକାର ୨ଟି ଲେଖାଏ ଏବଂ ଇସି ଓ୍ବଙ୍ଗ ଓ ସାଇକା ଇସାକ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ମୁମ୍ବାଇ ଇଣ୍ଡିଆନ୍ସ ବ୍ୟାଟରମାନେ ଆରସିବି ବୋଲରଙ୍କୁ ସଫଳ ମୁକାବିଲା କରିଥିଲେ। ଟପ୍‌ ଅର୍ଡରରେ ୟାସ୍ତିକା ଭାଟିଆ ୩୧, ହିଲି ମାଥ୍ୟୁସ ୨୬, ନାଟ୍‌ ସ୍କିଭର-ବ୍ରଣ୍ଟ ୨୭ ରନକରି ଆଉଟ ହୋଇଥିବାବେଳେ ଆମେଲିଆ କେର ୨୪ ବଲ୍‌ରୁ ଦ୍ରୁତ ୪୦ ଓ ପୂଜା ବସ୍ତ୍ରକାର ୮ ରନରେ ଅପରାଜିତ ରହିଥିଲେ। ଆରସିବି ପକ୍ଷରୁ ସୋଫି ଡିଭାଇନ, ଜର୍ଜିଆ ଓ୍ବେରହାମ ଓ ଶ୍ରେୟଙ୍କା ପାଟିଲ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

 

Share