ନୂଆଦିଲ୍ଲୀ, ୧୧।୧୧: ମୁମ୍ବାଇ ଇଣ୍ଡିଆନ୍ସର ସାଥ ଛାଡ଼ିଛନ୍ତି ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା। ଆଗାମୀ ଆଇପିଏଲ (ଆଇପିଏଲ ୨୦୨୭)ରେ ସେ ପଞ୍ଜାବ କିଙ୍ଗ୍ସ ପାଇଁ ଖେଳୁଥିବା ନଜର ଆସିବେ। ଟ୍ରେଡ ଜରିଆରେ ହାର୍ଦ୍ଦିକ ପଞ୍ଜାବର ହାତ ଧରିଛନ୍ତି। ତାଙ୍କ ବଦଳରେ ପଞ୍ଜାବର ଦ୍ରୁତ ବୋଲର ଅର୍ଶଦୀପ ସିଂହ ମୁମ୍ବାଇ ଦଳରେ ସାମିଲ ହୋଇଛନ୍ତି। ହାର୍ଦ୍ଦିକଙ୍କ ବିଦାୟ ପରେ ଏବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନମୁମ୍ବାଇ ଇଣ୍ଡିଆନ୍ସର ନୂଆ ଅଧିନାୟକ କିଏ ହେବେ?
ହାର୍ଦ୍ଦିକ ୨୦୨୪, ୨୦୨୫ ଓ ୨୦୨୬ଲଗାତାର ୩ଟି ସିଜିନ୍ରେ ମୁମ୍ବାଇର ନେତୃତ୍ୱ ନେଇଥିଲେ। ସେ ଦଳର ସବୁଠାରୁ ସଫଳ ଅଧିନାୟକଙ୍କ ମଧ୍ୟରୁ ଅନ୍ୟତମ ରୋହିତ ଶର୍ମାଙ୍କ ସ୍ଥାନ ନେଇଥିଲେ। ତେବେ ଆଗାମୀ ସିଜିନ୍ରେ ମୁମ୍ବାଇ ଇଣ୍ଡିଆନ୍ସ ପାଖରେ ଅଧିନାୟକ ପଦ ପାଇଁ କେଉଁ କେଉଁ ବିକଳ୍ପ ରହିଛନ୍ତି, ଆସନ୍ତୁ ଜାଣିବା।
୧. ରୋହିତ ଶର୍ମା
ମୁମ୍ବାଇର ଅଧିନାୟକ ପଦ ପାଇଁ ସବୁଠାରୁ ପ୍ରଥମେ ରୋହିତ ଶର୍ମାଙ୍କ ନାଁ ଆସୁଛି। ରୋହିତ ଦୀର୍ଘ ସମୟ ଧରି ଦଳର ନେତୃତ୍ୱ ନେଇଥିଲେ ଏବଂ ମୁମ୍ବାଇକୁ ୫ଟି ଆଇପିଏଲ ଟାଇଟଲ ଜିତାଇଥିଲେ। ହାର୍ଦ୍ଦିକଙ୍କ ଟ୍ରେଡ ଖବର ସାମ୍ନାକୁ ଆସିବା ପରେ ରୋହିତଙ୍କୁ ପୁଣିଥରେ ମୁମ୍ବାଇର ଅଧିନାୟକ କରାଯିବା ନେଇ ଚର୍ଚ୍ଚା ଜୋର୍ ଧରିଛି।
୨. ତିଲକ ବର୍ମା
ଯୁବ ବାମହାତୀ ଭାରତୀୟ ବ୍ୟାଟର୍ ତିଲକ ବର୍ମାଙ୍କୁ ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସର ନେତୃତ୍ୱ ଦାୟିତ୍ୱ ମିଳିପାରେ। ୨୦୨୨ରେ ଆଇପିଏଲରେ ଡେବ୍ୟୁ କରିଥିବା ତିଲକ ଆରମ୍ଭରୁ ମୁମ୍ବାଇ ପାଇଁ ଖେଳିଆସୁଛନ୍ତି। ସେ ଦଳର ମୁଖ୍ୟ ଖେଳାଳିଙ୍କ ମଧ୍ୟରେ ଅନ୍ୟତମ। ତେଣୁ ତାଙ୍କୁ ଅଧିନାୟକ ପଦ ମିଳିବାର ସମ୍ଭାବନା ମଧ୍ୟ ରହିଛି।
୩. ସୂର୍ଯ୍ୟକୁମାର ଯାଦବ
ଭାରତର ପୂର୍ବତନ ଟି-୨୦ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହେବା ଦୌଡ଼ରେ ଅଛନ୍ତି। ସୂର୍ଯ୍ୟକୁମାରଙ୍କ ପାଖରେ ଅଧିନାୟକତ୍ୱର ଭଲ ଅଭିଜ୍ଞତା ରହିଛି। ସେ ଦୀର୍ଘ ସମୟ ଧରି ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ଭାରତର ନେତୃତ୍ୱ ନେଇଥିଲେ। ତାଙ୍କ ଅଧିନାୟକତ୍ୱରେ ଭାରତ ୨୦୨୬ ଟି-୨୦ ବିଶ୍ୱକପ ଜିତିଥିଲା।
୪. ଯଶପ୍ରୀତ ବୁମ୍ରା
ଭାରତର ଅଭିଜ୍ଞ ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସର ପରବର୍ତ୍ତୀ ଅଧିନାୟକ ହେବା ଦୌଡ଼ରେ ଅଛନ୍ତି। ୨୦୧୩ରେ ଆଇପିଏଲ ଡେବ୍ୟୁ କରିଥିବା ବୁମ୍ରା ଏବେ ମଧ୍ୟ ଏହି ଫ୍ରାଞ୍ଚାଇଜର ଅଂଶ ରହିଛନ୍ତି। ସେ ଦଳର ଅନ୍ୟତମ ପ୍ରମୁଖ ଖେଳାଳି ଏବଂ ସବୁବେଳେ ନିଜ ପ୍ରଦର୍ଶନ ଦ୍ୱାରା ଦଳକୁ ସହଯୋଗ କରିଆସିଛନ୍ତି। ତେଣୁ ବମ୍ରାଙ୍କୁ ମଧ୍ୟ ଅଧିନାୟକ ଦାୟିତ୍ୱ ଦିଆଯାଇପାରେ।