ନୂଆଦିଲ୍ଲୀ,୨୬।୧୧: ଆଇପିଏଲ ୨୦୨୭ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଅଧିନାୟକତ୍ୱକୁ ନେଇ ବଡ଼ ଚିନ୍ତା ଦେଖାଦେଇଛି। ଗତ ସିଜିନରେ ଦଳର ନେତୃତ୍ୱ ନେଇଥିବା ହାର୍ଦ୍ଦିକ ପାଣ୍ଡ୍ୟା ଟ୍ରେଡ୍ ହୋଇ ପଞ୍ଜାବ କିଙ୍ଗ୍ସରେ ସାମିଲ ହୋଇଛନ୍ତି। ତାଙ୍କ ସ୍ଥାନରେ ଭାରତୀୟ ଦ୍ରୁତ ବୋଲର ଅର୍ଶଦୀପ ସିଂହ ମୁମ୍ବାଇ ଦଳର ଅଂଶ ହୋଇଛନ୍ତି। ହାର୍ଦ୍ଦିକଙ୍କ ବିଦାୟ ପରେ ଦଳର ଅଧିନାୟକ କିଏ ହେବେ, ତାହାକୁ ନେଇ ପ୍ରଶ୍ନ ଉଠିଛି।
ହାର୍ଦ୍ଦିକ ମୁମ୍ବାଇକୁ ୫ ଥର ଚାମ୍ପିୟନ କରିଥିବା ରୋହିତ ଶର୍ମାଙ୍କୁ ଅଧିନାୟକ ପଦରୁ ହଟାଇ ନିଜେ ଦାୟିତ୍ୱ ନେଇଥିଲେ। କିନ୍ତୁ ଏବେ ଡିସେମ୍ବର ୧୬ରେ ହେବାକୁ ଥିବା ନିଲାମୀ ପୂର୍ବରୁ ମୁମ୍ବାଇ ଅଧିନାୟକତ୍ୱକୁ ନେଇ ଏକ ବଡ଼ ସଙ୍କେତ ଦେଇଛି।
ଫ୍ରାଞ୍ଚାଇଜ ପକ୍ଷରୁ ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରାଯାଇଛି। ଏଥିରେ ଜଣେ ଖେଳାଳିଙ୍କ ହାତରେ ଏକ କ୍ୟାପ ଦେଖିବାକୁ ମିଳୁଛି। ଏହି କ୍ୟାପ ଓ ହାତକୁ ଦେଖି ପ୍ରଶଂସକମାନେ ରୋହିତ ଶର୍ମାଙ୍କ ନାମ ଅନୁମାନ କରୁଛନ୍ତି।
ହାର୍ଦ୍ଦିକ ଟ୍ରେଡ୍ ହେବା ପରେ ମଧ୍ୟ ‘ହିଟ୍ମ୍ୟାନ’ ରୋହିତଙ୍କ ନାମ ଅଧିନାୟକ ପଦ ପାଇଁ ଚର୍ଚ୍ଚାରେ ରହିଥିଲା। ରୋହିତଙ୍କ ପାଖରେ ଅଧିନାୟକତ୍ୱର ଭରପୂର ଅଭିଜ୍ଞତା ରହିଛି। ତେବେ ଫ୍ରାଞ୍ଚାଇଜ ଏବେ କେବଳ ଏକ ସଙ୍କେତ ଦେଇଛି, ଏନେଇ କୌଣସି ଆଧିକାରିକ ଘୋଷଣା କରାଯାଇନାହିଁ।
ତିଳକ ବର୍ମା ମଧ୍ୟ ଅଧିନାୟକ ପଦ ପାଇଁ ଜଣେ ବିକଳ୍ପ ହୋଇପାରନ୍ତି। ସେ ଜଣେ ଯୁବ ଖେଳାଳି। ଟିମ ଇଣ୍ଡିଆ ପକ୍ଷରୁ ଖେଳିବାର ଅଭିଜ୍ଞତା ତାଙ୍କର ରହିଛି। ଘରୋଇ କ୍ରିକେଟରେ ମଧ୍ୟ ସେ ଅଧିନାୟକତ୍ୱ କରିଛନ୍ତି। ଏବେ ଦେଖିବା ରୋଚକ ହେବ ଯେ, ମୁମ୍ବାଇ କେଉଁ ଖେଳାଳିଙ୍କୁ ଅଧିନାୟକ ପଦ ପାଇଁ ମୋହର ଲଗାଉଛି।