ଆଇପିଏଲରେ ବଡ଼ ହଲଚଲ! ମୁମ୍ବାଇକୁ ମିଳିବ ନୂଆ ଅଧିନାୟକ, ଆଜି ଏହି ସମୟରେ ହେବ ଅଫିସିଆଲ ଘୋଷଣା

ନୂଆଦିଲ୍ଲୀ,୨୭।୧୧: ଆସନ୍ତା ବର୍ଷ ଆଇପିଏଲ ସିଜିନ ବେଶ ରୋମାଞ୍ଚକର ହେବାକୁ ଯାଉଛି। ନିଜ ନିଜ ଦଳକୁ ମଜଭୁତ କରିବା ପାଇଁ ସମସ୍ତ ଫ୍ରାଞ୍ଚାଇଜି ବଡ଼ ପଦକ୍ଷେପ ନେଇଛନ୍ତି। ନିକଟରେ ଖେଳାଳିଙ୍କ ମଧ୍ୟରେ ବଡ଼ ଧରଣର ଅଦଳବଦଳ ଦେଖିବାକୁ ମିଳିଛି। ସବୁଠାରୁ ବଡ଼ ଟ୍ରେଡ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଅର୍ଶଦୀପ ସିଂହଙ୍କ ମଧ୍ୟରେ ହୋଇଛି। ହାର୍ଦ୍ଦିକ ମୁମ୍ବାଇ ଇଣ୍ଡିଆନ୍ସ ଛାଡ଼ି ପଞ୍ଜାବ କିଙ୍ଗ୍ସକୁ ଯାଇଛନ୍ତି। ତାଙ୍କ ସ୍ଥାନରେ ଅର୍ଶଦୀପ ମୁମ୍ବାଇ ଦଳରେ ସାମିଲ ହୋଇଛନ୍ତି।

ଗତ କିଛି ବର୍ଷ ଧରି ହାର୍ଦ୍ଦିକ ମୁମ୍ବାଇର ଅଧିନାୟକ ଦାୟିତ୍ୱ ତୁଲାଉଥିଲେ। ତେବେ ଏବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ, ମୁମ୍ବାଇ ଇଣ୍ଡିଆନ୍ସର ପରବର୍ତ୍ତୀ ଅଧିନାୟକ କିଏ ହେବେ? ଆଜି ଏହାର ଆନୁଷ୍ଠାନିକ ଘୋଷଣା ହେବା ନିଶ୍ଚିତ ବୋଲି କୁହାଯାଉଛି।

ମୁମ୍ବାଇ ଇଣ୍ଡିଆନ୍ସ ଆଜି ନିଜର ନୂଆ ଅଧିନାୟକଙ୍କ ନାମ ଘୋଷଣା କରିବ। ଏକ ସୋସିଆଲ ମିଡିଆ ପୋଷ୍ଟ ଜରିଆରେ ଫ୍ରାଞ୍ଚାଇଜି ଏନେଇ ସୂଚନା ଦେଇଛି। ଏହି ପୋଷ୍ଟରୁ ପ୍ରଶଂସକମାନେ ମଧ୍ୟ ଅନେକ ସଙ୍କେତ ପାଇଛନ୍ତି। ସନ୍ଧ୍ୟା ୫ଟା ୪୫ ମିନିଟରେ ନୂଆ ଅଧିନାୟକଙ୍କ ନାମ ଘୋଷଣା ହେବା ନିଶ୍ଚିତ ହୋଇଛି।

ରୋହିତ ଶର୍ମାଙ୍କୁ ପୁଣିଥରେ ଦଳର ନେତୃତ୍ୱ ଦାୟିତ୍ୱ ମିଳିପାରେ। ଟିମ ମ୍ୟାନେଜମେଣ୍ଟ ତାଙ୍କ ସହ ପୁଣିଥରେ ଆଗକୁ ବଢ଼ିବାକୁ ଯୋଜନା କରିପାରେ। ମୁମ୍ବାଇ ପାଇଁ ଅଧିନାୟକ ଭାବେ ରୋହିତଙ୍କ ରେକର୍ଡ ମଧ୍ୟ ଦମଦାର ରହିଛି। ତାଙ୍କ ନେତୃତ୍ୱରେ ଦଳ ୫ ଥର ଆଇପିଏଲ ଟ୍ରଫି ଜିତିଛି।

ଗତ କିଛି ବର୍ଷ ମଧ୍ୟରେ ହାର୍ଦ୍ଦିକଙ୍କ ଅଧିନାୟକତ୍ୱରେ ମୁମ୍ବାଇର ପ୍ରଦର୍ଶନରେ ଅବନତି ଦେଖିବାକୁ ମିଳିଛି। ନିକଟରେ କିରନ ପୋଲାର୍ଡଙ୍କୁ ମୁମ୍ବାଇ ଇଣ୍ଡିଆନ୍ସର ମୁଖ୍ୟ କୋଚ ଭାବେ ନିଯୁକ୍ତ କରାଯାଇଛି। ଏହା ପରଠାରୁ ରୋହିତଙ୍କୁ ପୁଣିଥରେ ଅଧିନାୟକ ଦାୟିତ୍ୱ ମିଳିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି।

ଡିସେମ୍ବର ୧୬ ତାରିଖରେ ଆଗାମୀ ଆଇପିଏଲ ପାଇଁ ଖେଳାଳି ନିଲାମ ହେବାକୁ ଯାଉଛି। ଏହା ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ନିଜର ନୂଆ ଅଧିନାୟକଙ୍କ ନାମ ଘୋଷଣା କରିବାକୁ ଚାହୁଁଛି।

ହାର୍ଦ୍ଦିକ ପାଣ୍ଡ୍ୟା ତିନି ବର୍ଷ ଧରି ମୁମ୍ବାଇର ଅଧିନାୟକ ଥିଲେ। ତାଙ୍କ ନେତୃତ୍ୱରେ ଦଳର ପ୍ରଦର୍ଶନ ଆଶାନୁରୂପ ରହିନଥିଲା। ଦଳ ମଧ୍ୟରେ ମତଭେଦ ଏବଂ ବିବାଦର ଖବର ମଧ୍ୟ ସାମ୍ନାକୁ ଆସିଥିଲା। ନିଜ ପ୍ରଦର୍ଶନରେ ମଧ୍ୟ ହାର୍ଦ୍ଦିକ ପ୍ରଶଂସକଙ୍କୁ ପ୍ରଭାବିତ କରିପାରିନଥିଲେ। ଦଳ ଶେଷ ଚାରିଟି ସ୍ଥାନରେ ମଧ୍ୟ ପହଞ୍ଚିପାରିନଥିଲା।

 

Dharitri – Odisha’s No.1 Odia Daily

Share