ଆଜିଠୁ ଏମ୍‌ଏସ୍‌ଏମ୍‌ଇ ବାଣିଜ୍ୟମେଳା

ଭୁବନେଶ୍ୱର, ୫।୩(ବ୍ୟୁରୋ):ରାଜ୍ୟର ବାଣିଜ୍ୟ ଓ ରପ୍ତାନିକୁ ଆହୁରି ମଜଭୁତ କରିବା ପାଇଁ ଓଡ଼ିଶା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ପକ୍ଷରୁ ଶୁକ୍ରବାରଠାରୁ ଏମ୍‌ଏସ୍‌ଏମ୍‌ଇ ବାଣିଜ୍ୟ ମେଳା-୨୦୨୧ ଆରମ୍ଭ ହେବ। ୟୁନିଟ୍‌-୩ ପ୍ରଦର୍ଶନୀ ପଡ଼ିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିବେ। ୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମେଳାରେ ସରକାରଙ୍କ ପକ୍ଷରୁ ଜାରି କୋଭିଡ୍‌-୧୯ ଗାଇଡ୍‌ଲାଇନ୍‌କୁ ଦୃଷ୍ଟିରେ ରଖି କୌଣସି ବାହାର ଦେଶର ଅଂଶଗ୍ରହଣକାରୀଙ୍କୁ ପ୍ରବେଶ କରାଯାଇନାହିଁ। ଏଥିରେ ରାଜ୍ୟ ତଥା ଜାତୀୟସ୍ତରରୁ ବିଭିନ୍ନ ପିଏସ୍‌ୟୁ ଓ ଶିଳ୍ପୋଦ୍ୟୋଗୀମାନେ କେବଳ ଅଂଶଗ୍ରହଣ କରିବେ ବୋଲି ଗୁରୁବାର ଆୟୋଜିତ ଖବରଦାତା ସମ୍ମିଳନୀରେ ବିଭାଗୀୟ ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର ଓ ପ୍ରମୁଖ ସଚିବ ସତ୍ୟବ୍ରତ ସାହୁ ସୂଚନା ଦେଇଥିଲେ।
ଏବର୍ଷ ନୂଆ ଷ୍ଟାର୍ଟଅପ୍‌, ମହିଳା ଉଦ୍ୟୋଗୀ ଓ ମିଶନ ଶକ୍ତିକୁ ଅଗ୍ରାଧିକାର ଦିଆଯାଇଛି। ରାଜ୍ୟର ସାମାଜିକ ଓ ଅର୍ଥନୈତିକ ବିକାଶରେ ମିଶନ ଶକ୍ତି ଗୋଷ୍ଠୀଗୁଡ଼ିକର ସ୍ବତନ୍ତ୍ର ଅବଦାନ ରହୁଥିବାରୁ ଏହାର ସଦସ୍ୟାମାନଙ୍କୁ ସଫଳ ଉଦ୍ୟୋଗୀ ଭାବେ ଗଢ଼ି ତୋଳିବା ପାଇଁ ବିଶେଷ ଗୁରୁତ୍ୱ ଦିଆଯାଇଛି। ଏନେଇ ମିଶନ୍‌ ଶକ୍ତି ଓ ଏମ୍‌ଏସ୍‌ଏମ୍‌ଇ ବିଭାଗ ମଧ୍ୟରେ ଏମ୍‌ଓୟୁ ସ୍ବାକ୍ଷର କରାଯାଇଛି। ମେଳାରେ ୫ଟି ହ୍ୟାଙ୍ଗର ନିର୍ମାଣ କରାଯାଇଥିବାବେଳେ ୬୦ଟି ଲେଖାଏ ଷ୍ଟଲ୍‌ ରହିଛି। ୪ଟି ହ୍ୟାଙ୍ଗର ଷ୍ଟାଟ୍‌ଅପ୍‌, ଫୁଡ୍‌ ପ୍ରୋସେସିଙ୍ଗ୍‌ ୟୁନିଟ୍‌, ମିଶନ୍‌ ଶକ୍ତି ଓ ପିଏସ୍‌ୟୁଙ୍କ ପାଇଁ ଥିବାବେଳେ ଅନ୍ୟଟି ସାଧାରଣ ଉଦ୍ଦେଶ୍ୟରେ ଉଦ୍ୟୋଗୀ ଏବଂ ଅନ୍ୟାନ୍ୟ ବ୍ୟବହାର ଉପଯୋଗୀ ପାଇଁ ନିର୍ମାଣ କରାଯାଇଛି। ଏଥିରେ ଯନ୍ତ୍ରପାତି ଓ ନୂତନ ଟେକ୍ନୋଲୋଜିର ପ୍ରଦର୍ଶନ ପାଇଁ ଏକ ପ୍ଲାଟ୍‌ଫର୍ମର ବ୍ୟବସ୍ଥା କରାଯାଇଛି।
ସେହିପରି ପ୍ରତିଦିନ ସକାଳ ସାଢ଼େ ୧୦ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ବିଭିନ୍ନ ବିଷୟ ଉପରେ ୫ଟି ସେମିନାର ଆୟୋଜନ କରିବ। ଓଡ଼ିଶାର ଆଗ୍ରୋ ଓ ଫୁଡ୍‌ ପ୍ରୋସେସିଙ୍ଗ୍‌ ୟୁନିଟ୍‌, ଏମ୍‌ଏସ୍‌ଏମ୍‌ଇ ଓ ଷ୍ଟାର୍ଟ୍‌ଅପ୍‌ ପାଇଁ ବଜାର ଏବଂ ଆର୍ଥତ୍କ ଆବଶ୍ୟକତାର ଗୁରୁତ୍ୱ, ମହିଳା ଉଦ୍ୟୋଗୀ, କ୍ଲଷ୍ଟର୍‌ ମାଧ୍ୟମରେ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରର ବିକାଶ ବିଷୟ ଉପରେ ଆଲୋଚନା ପର୍ଯ୍ୟାଲୋଚନା ହେବ। ସୂଚନାଯୋଗ୍ୟ, ଓଡ଼ିଶା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ପକ୍ଷରୁ ୨୦୧୩ରୁ ପ୍ରତିବର୍ଷ ଅନ୍ତର୍ଜାତୀୟ ଏମ୍‌ଏସ୍‌ଏମ୍‌ଇ ବାଣିଜ୍ୟ ମେଳା ଆୟୋଜିତ ହୋଇଆସୁଛି।