ନୂଆଦିଲ୍ଲୀ, ୧୮।୧୧: ମହେନ୍ଦ୍ର ସିଂହ ଧୋନୀଙ୍କ ଆଇପିଏଲରୁ ସନ୍ନ୍ୟାସ ପରେ ସୁରେଶ ରାଇନାଙ୍କ ଏକ ବଡ଼ ଖୁଲାସା ସାମ୍ନାକୁ ଆସିଛି। ରାଇନା କହିଛନ୍ତି , ଧୋନୀ ନିଜ ନୀତି ଓ ଆଦର୍ଶ ପାଇଁ ବାଧ୍ୟ ହୋଇ ସନ୍ନ୍ୟାସ ନେଇଛନ୍ତି। ସେ ଚେନ୍ନାଇ ସୁପର କିଙ୍ଗ୍ସ (CSK) ଉପରେ ବୋଝ ହେବାକୁ ଚାହୁଁ ନଥିଲେ।
ମଙ୍ଗଳବାର (ନଭେମ୍ବର ୧୭) ରିଟେନ୍ସନ ଲିଷ୍ଟ ଜାରି ହେବା ପୂର୍ବରୁ CSK ଧୋନୀଙ୍କ ଅବସର ଘୋଷଣା କରି ସମସ୍ତଙ୍କୁ ଚକିତ କରିଥିଲା। ଫ୍ରାଞ୍ଚାଇଜି ପକ୍ଷରୁ ଏକ ଅଧିକାରିକ ଘୋଷଣାରେ କୁହାଯାଇଥିଲା ଯେ, ଧୋନୀ ଆଉ ଆଇପିଏଲରେ ଖେଳିବେ ନାହିଁ। ସେ ଟୁର୍ନାମେଣ୍ଟକୁ ଅଲବିଦା କହିଛନ୍ତି। ତେବେ ଆଗାମୀ ସିଜନ (IPL 2027)ରେ ସେ ଦଳର ମେଣ୍ଟର ଭାବେ ଦାୟିତ୍ୱ ତୁଲାଇବେ।
ନିକଟରେ ଏକ ସାକ୍ଷାତକାର ସମୟରେ ରାଇନା କହିଥିଲେ ଯେ, ଧୋନୀ ଆଇପିଏଲରେ ଖେଳିବା ଜାରି ରଖିବାକୁ ଚାହୁଁଥିଲେ। କିନ୍ତୁ ଫିଟନେସ ସମସ୍ୟା ଯୋଗୁ ତାଙ୍କୁ ସନ୍ନ୍ୟାସ ନେବାକୁ ପଡ଼ିଲା। ମାହିଙ୍କ ଆଣ୍ଠୁରେ ସମସ୍ୟା ଥିଲା। ଉଭୟ ଆଣ୍ଠୁରେ ଫୁଲା ରହୁଥିବାରୁ ୨୦ ଓଭର ପର୍ଯ୍ୟନ୍ତ ଉଇକେଟ୍ କିପିଂ କରିବା ଏବଂ ପଡ଼ିଆରେ ରହିବା ତାଙ୍କ ପାଇଁ କଷ୍ଟକର ହୋଇପଡ଼ୁଥିଲା।
ରାଇନା ଆହୁରି କହିଥିଲେ ଯେ, ଚେନ୍ନାଇ ପକ୍ଷରୁ ଧୋନୀଙ୍କୁ ‘ଇମ୍ପାକ୍ଟ ପ୍ଲେୟାର’ ଭାବେ ଖେଳିବାର ବିକଳ୍ପ ମଧ୍ୟ ଦିଆଯାଇଥିଲା। ଏହାଦ୍ୱାରା ତାଙ୍କୁ ଫିଲ୍ଡିଂ କରିବା ପାଇଁ ପଡ଼ିଆକୁ ଆସିବାକୁ ପଡ଼ିନଥାନ୍ତା। କିନ୍ତୁ ନିଜ ନୀତିରେ ଅଟଳ ଧୋନୀ ଏହି ପ୍ରସ୍ତାବକୁ ଗ୍ରହଣ କରିନଥିଲେ। ତାଙ୍କ ମତରେ, ଯଦି ସେ ଖେଳିବେ ତେବେ ପୂରା ୨୦ ଓଭର ଫିଲ୍ଡିଂ ମଧ୍ୟ କରିବେ, ନଚେତ୍ ପଡ଼ିଆକୁ ଓହ୍ଲାଇବେ ନାହିଁ।
ଏଥିରୁ ସ୍ପଷ୍ଟ ହେଉଛି ଯେ, ଧୋନୀ କୌଣସି ପରିସ୍ଥିତିରେ ମଧ୍ୟ ଦଳ ଉପରେ ବୋଝ ହେବାକୁ ଚାହୁଁ ନଥିଲେ। ଏହି କାରଣରୁ ସେ ସନ୍ନ୍ୟାସ ନେବାର ନିଷ୍ପତ୍ତି ନେଇଥିଲେ। ଗତ ସିଜନରେ ଧୋନୀ ଦଳର ଅଂଶ ଥିଲେ, କିନ୍ତୁ ଆହତ ସମସ୍ୟା ଯୋଗୁ ଗୋଟିଏ ମଧ୍ୟ ମ୍ୟାଚ ଖେଳିପାରି ନଥିଲେ।
ଧୋନୀଙ୍କ ଆଇପିଏଲ କ୍ୟାରିୟର ୨୭୮ଟି ମ୍ୟାଚ୍ର ରହିଛି। ସେ ୨୪୨ଟି ଇନିଂସରେ ବ୍ୟାଟିଂ କରି ୩୮.୩୦ ହାରାହାରି ଏବଂ ୧୩୭.୪୫ ଷ୍ଟ୍ରାଇକ ରେଟ୍ରେ ମୋଟ ୫୪୩୯ ରନ ସଂଗ୍ରହ କରିଛନ୍ତି। ଏହି ସମୟରେ ତାଙ୍କ ବ୍ୟାଟରୁ ୨୪ଟି ଅର୍ଦ୍ଧଶତକ ଆସିଥିବା ବେଳେ ତାଙ୍କର ସର୍ବାଧିକ ସ୍କୋର ଅପରାଜିତ ୮୪ ରନ ରହିଛି। ଧୋନୀ ନିଜ ଆଇପିଏଲ କ୍ୟାରିୟରରେ ଦୁଇଟି ଦଳ ପାଇଁ ଖେଳିଛନ୍ତି। ଏଥିରେ ଚେନ୍ନାଇ ସୁପର କିଙ୍ଗ୍ସ ବ୍ୟତୀତ ରାଇଜିଂ ପୁଣେ ସୁପରଜାଏଣ୍ଟସ ମଧ୍ୟ ସାମିଲ ରହିଛି।