IPLକୁ ଅଲବିଦା କହିଲେ ମାହି, ଛାଡ଼ିଗଲେ ୭ଟି ବଡ଼ ରେକର୍ଡ; ଜାଣନ୍ତୁ ୭ ନମ୍ବର ଜର୍ସିି ପଛର ରହସ୍ୟ

ନୂଆଦିଲ୍ଲୀ,୧୭।୧୧: ଏମଏସ ଧୋନୀ IPLକୁ ଅଲବିଦା କହିଛନ୍ତି। ଆଗାମୀ ସିଜିନ (IPL ୨୦୨୭)ରେ ମାହି ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ମେଣ୍ଟର ଭୂମିକା ତୁଲାଇବେ। ମଙ୍ଗଳବାର (ନଭେମ୍ବର ୧୭) CSK ପକ୍ଷରୁ ଧୋନୀଙ୍କ ଅବସର ଏବଂ ମେଣ୍ଟର ହେବା ନେଇ ସୂଚନା ଦିଆଯାଇଛି। ସେ IPL ଇତିହାସର ଅନ୍ୟତମ ସଫଳ ଅଧିନାୟକ ରହିଛନ୍ତି। ତାଙ୍କ ନେତୃତ୍ୱରେ ଚେନ୍ନାଇ ୫ ଥର IPL ଟାଇଟଲ ଜିତିଛି।

ନିଜ IPL କ୍ୟାରିୟରରେ ଧୋନୀ ୨ଟି ଦଳ ପକ୍ଷରୁ ଖେଳିଛନ୍ତି। ଚେନ୍ନାଇ ବ୍ୟତୀତ ସେ ରାଇଜିଂ ପୁଣେ ସୁପରଜାଏଣ୍ଟ ପାଇଁ ମଧ୍ୟ ଖେଳିଥିଲେ। ୨୦୧୬ ଓ ୨୦୧୭ରେ ସେ ପୁଣେ ଦଳର ଅଂଶ ଥିଲେ। ମୋଟ ୧୯ଟି ସିଜିନ ପର୍ଯ୍ୟନ୍ତ ଧୋନି ଜଣେ ଖେଳାଳି ଭାବେ IPL ସହ ଜଡ଼ିତ ରହିଥିଲେ। ତେବେ ଆହତ ସମସ୍ୟା କାରଣରୁ ଗତ ସିଜିନ (IPL ୨୦୨୬)ରେ ସେ ଗୋଟିଏ ବି ମ୍ୟାଚ ଖେଳିପାରିନଥିଲେ।

ନିଜ IPL କ୍ୟାରିୟରରେ ଧୋନୀ ଅନେକ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି। ଆସନ୍ତୁ ଜାଣିବା ତାଙ୍କର ଏଭଳି ୭ଟି ବଡ଼ ରେକର୍ଡ ବିଷୟରେ। ଏହା ସହିତ ତାଙ୍କ ଜର୍ସି ନମ୍ବର ୭ କାହିଁକି ତାଙ୍କ ପାଇଁ ଏତେ ଖାସ, ସେ ସମ୍ପର୍କରେ ମଧ୍ୟ ଜାଣିବା।

ଏମଏସ ଧୋନୀଙ୍କ ୭ଟି ବଡ଼ IPL ରେକର୍ଡ:

୧. ଅଧିନାୟକ ଭାବେ ସର୍ବାଧିକ ୫ଟି IPL ଟ୍ରଫି: ଅଧିନାୟକ ଭାବେ ସର୍ବାଧିକ ୫ଟି IPL ଟାଇଟଲ ଜିତିବାର ରେକର୍ଡ ଧୋନୀଙ୍କ ନାମରେ ରହିଛି। ତାଙ୍କ ନେତୃତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସ ୨୦୧୦, ୨୦୧୧, ୨୦୧୮, ୨୦୨୧ ଓ ୨୦୨୩ରେ ଟ୍ରଫି ଜିତିଥିଲା। ଏହି ରେକର୍ଡରେ ସେ ରୋହିତ ଶର୍ମାଙ୍କ ସହ ସମକକ୍ଷ ଅଛନ୍ତି।

୨. ଅଧିନାୟକ ଭାବେ ସର୍ବାଧିକ ଫାଇନାଲ ଖେଳିବାର ରେକର୍ଡ: IPLରେ ଅଧିନାୟକ ଭାବେ ଧୋନୀ ସର୍ବାଧିକ ୧୦ଟି ଫାଇନାଲ ଖେଳିଛନ୍ତି। ଏହି ସବୁ ଫାଇନାଲ ସେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳିଥିଲେ। ଗୋଟିଏ ଫ୍ରାଞ୍ଚାଇଜି ପାଇଁ ସର୍ବାଧିକ ଫାଇନାଲ ଖେଳିଥିବା ଅଧିନାୟକ ହେଉଛନ୍ତି ଧୋନୀ।

୩. ଅଧିନାୟକ ଭାବେ ସର୍ବାଧିକ ମ୍ୟାଚ: IPLରେ ଅଧିନାୟକ ଭାବେ ଧୋନୀ ସର୍ବାଧିକ ୨୩୫ଟି ମ୍ୟାଚ ଖେଳିଛନ୍ତି।

୪. ସର୍ବାଧିକ ଥର ପ୍ଲେଅଫ୍‌ରେ ପହଞ୍ଚିଛି CSK: ଧୋନୀଙ୍କ ଅଧିନାୟକତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସ IPLର ୧୨ଟି ଭିନ୍ନ ସିଜିନରେ ପ୍ଲେଅଫ ପାଇଁ ଯୋଗ୍ୟତା ହାସଲ କରିଛି। ଜଣେ ଅଧିନାୟକଙ୍କ ନେତୃତ୍ୱରେ ଏହା ସର୍ବାଧିକ ପ୍ଲେଅଫ୍‌ରେ ପହଞ୍ଚିବାର ରେକର୍ଡ।

୫. ସର୍ବାଧିକ ୧୦୦ ଥର ନଟଆଉଟ: IPL ଇତିହାସରେ ଧୋନୀ ସର୍ବାଧିକ ୧୦୦ ଥର ନଟଆଉଟ ରହିଥିବା ଖେଳାଳି। ଏହି ତାଲିକାରେ ରବୀନ୍ଦ୍ର ଜାଡେଜା ଦ୍ୱିତୀୟ ସ୍ଥାନରେ ଅଛନ୍ତି। ସେ ୮୦ ଥର ନଟଆଉଟ ରହିଛନ୍ତି।

୬. ସର୍ବାଧିକ ଷ୍ଟମ୍ପିଂ: IPLରେ ସର୍ବାଧିକ ଷ୍ଟମ୍ପିଂ କରିବାର ରେକର୍ଡ ମଧ୍ୟ ଧୋନୀଙ୍କ ନାମରେ ରହିଛି। ନିଜ କ୍ୟାରିୟରରେ ସେ ମୋଟ ୪୭ଟି ଷ୍ଟମ୍ପିଂ କରିଛନ୍ତି।

୭. ଶତକ ନମାରି ସର୍ବାଧିକ ରନ: IPL ଇତିହାସରେ ଶତକ ନହାସଲ କରି ସର୍ବାଧିକ ରନ ସଂଗ୍ରହ କରିବାର ରେକର୍ଡ ଧୋନୀଙ୍କ ନାମରେ ରହିଛି। ସେ ନିଜର ପୂରା IPL କ୍ୟାରିୟରରେ ମୋଟ ୫,୪୩୯ ରନ କରିଛନ୍ତି।

ଜର୍ସି ନମ୍ବରକୁ ନେଇ ଏକ କାର୍ଯ୍ୟକ୍ରମରେ ଧୋନୀ କହିଥିଲେ ଯେ, ଜୁଲାଇ ୭ ତାରିଖରେ ତାଙ୍କର ଜନ୍ମଦିନ। ଜୁଲାଇ ହେଉଛି ବର୍ଷର ସପ୍ତମ ମାସ। ଏହା ସହିତ ତାଙ୍କ ଜନ୍ମବର୍ଷ ୧୯୮୧ରୁ ୮ରୁ ୧ ବିୟୋଗ କଲେ ୭ ହୁଏ। ଏହି ସବୁ କାରଣରୁ ସେ ୭ ନମ୍ବରକୁ ନିଜ ଜର୍ସି ନମ୍ବର ଭାବେ ବାଛିଥିଲେ।

Dharitri – Odisha’s No.1 Odia Daily

Share