ହାଇଦ୍ରାବାଦ,୨୧।୮:ହାଇଦ୍ରାବାଦରେ ଏକ ଆଷ୍ଟନ ମାର୍ଟିନ କାର ଧକ୍କା ଦେବାରୁ ଜଣେ ୨୬ ବର୍ଷୀୟା ଯୁବତୀଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ରାଜ୍ୟ ସଭା ସାଂସଦ ଲିଙ୍ଗାମନେନି ରମେଶଙ୍କ ୨୧ ବର୍ଷୀୟ ପୁଅ ଲିଙ୍ଗାମନେନି ସଞ୍ଜୁଷ ଘଟାଇଛନ୍ତି। ସେ କାର୍ ଚଳାଉଥିବା ଜଣାପଡ଼ିଛି। ତାଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି। ତାଙ୍କ ଉପରେ ଅବହେଳା ଏବଂ ଦ୍ରୁତ ଗତିରେ ଗାଡ଼ି ଚାଳନା କରିବାର ଅଭିଯୋଗ ରହିଛି।
ଅଗଷ୍ଟ ୧୬ ତାରିଖରେ ମାଧପୁର ଅଞ୍ଚଳର ଇନୋରବିଟ ମଲ ନିକଟରେ ଦୁର୍ଘଟଣା ଘଟିଥିଲା ଯୁବତୀ ଜଣଙ୍କ ରାସ୍ତା ପାର ହେଉଥିଲେ। ମୃତକ ଭାରତୀ ମୁଖୀ ମଲ୍ରେ ଏକ ପୋଷାକ ଶୋ’ରୁମ୍ରେ କାମ କରୁଥିଲେ।
ଏଫଆଇଆର୍ ଅନୁଯାୟୀ, ଭାରତୀ ଏବଂ ତାଙ୍କ ସହକର୍ମୀ ୨୬ ବର୍ଷୀୟା ପୂଜା ରବିବାର ଅପରାହ୍ନ ପ୍ରାୟ ୩ଟା ସମୟରେ ନିକଟସ୍ଥ ଆଇଟିସି କୋହିନୁର ଅଞ୍ଚଳକୁ ମଧ୍ୟାହ୍ନ ଭୋଜନ ପାଇଁ ଯାଇଥିଲେ। ସେମାନେ ନିଜ କାର୍ଯ୍ୟସ୍ଥଳକୁ ଫେରୁଥିବାବେଳେ, ଭାରତୀ ମଲ ସାମ୍ନାରେ ରାସ୍ତା ପାର ହେଉଥିବା ସମୟରେ କାର ଦ୍ୱାରା ଧକ୍କା ହୋଇଥିବା ଅଭିଯୋଗ ହୋଇଛି।
ଏହି ଧକ୍କାରେ ଭାରତୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା, ଯାହା ଫଳରେ ପ୍ରଚୁର ରକ୍ତସ୍ରାବ ହୋଇଥିଲା। ପୋଲିସ କହିଛି ଯେ, ତାଙ୍କୁ ସେହି କାରରେ ଜୁବିଲି ହିଲ୍ସର ଆପୋଲୋ ହସ୍ପିଟାଲକୁ ନିଆଯାଇଥିଲା। କିନ୍ତୁ ପହଞ୍ଚିବା ମାତ୍ରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ତାଙ୍କ ବନ୍ଧୁ ପୂଜା ପରେ ଷ୍ଟୋର ମ୍ୟାନେଜର ଅଶ୍ୱିନ କୁମାରଙ୍କୁ ଜଣାଇଥିଲେ। ଏନେଇ ପୋଲିସକୁ ଖବର ଦିଆଯାଇଥିଲା।
ସାଇବରାବାଦ ପୋଲିସ ଅନୁଯାୟୀ, ସଞ୍ଜୁଷ କାର ଚଳାଉଥିଲେ। ତାଙ୍କ ପିତା ଜଣେ ବିଶିଷ୍ଟ ବ୍ୟବସାୟୀ ଏବଂ ଆନ୍ଧ୍ର ପ୍ରଦେଶର ଉପ-ମୁଖ୍ୟମନ୍ତ୍ରୀ ପବନ କଲ୍ୟାଣଙ୍କ ନେତୃତ୍ୱରେ ଜନସେନା ପାର୍ଟିର ପ୍ରତିନିଧିତ୍ୱ କରୁଥିବା ରାଜ୍ୟ ସଭା ଏମ୍ପି। ମାଧପୁର ଏସିପି ପି. ଶ୍ରୀଧର କହିଛନ୍ତି ଯେ, ଅଭିଯୁକ୍ତଙ୍କୁ ନୋଟିସ ଜାରି କରାଯାଇଛି।