ଏମ୍‌ପିଙ୍କ ହସ୍ତକ୍ଷେପ ଲୋଡ଼ିଲେ ଯୋଗାଣ ସହାୟକ: ଦୀର୍ଘଦିନର ସମସ୍ୟା ସମାଧାନ ଦାବି

ଗଞ୍ଜାମ, ୩୦।୯: ଦୀର୍ଘ ୧୪ ବର୍ଷ ଧରି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧୀନରେ କାର୍ଯ୍ୟ କରିଆସୁଥିବା ଯୋଗାଣ ସହାୟକମାନେ ନିଜର ବିଭିନ୍ନ ସମସ୍ୟା ଓ ଦୀର୍ଘଦିନର ଦାବିର ସମାଧାନ ପାଇଁ ବ୍ରହ୍ମପୁର ଏମ୍‌ପି ଡ. ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଏନେଇ ଗଞ୍ଜାମ ବ୍ଲକ୍‌ର ଯୋଗାଣ ସହାୟକମାନଙ୍କ ପକ୍ଷରୁ ଏମ୍‌ପିଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।

ସ୍ମାରକପତ୍ରରେ ଯୋଗାଣ ସହାୟକମାନେ ଦର୍ଶାଇଛନ୍ତି ଯେ, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏବଂ ସାଧାରଣ ବଣ୍ଟନ ବ୍ୟବସ୍ଥାର ସୁଚାରୁ କାର୍ଯ୍ୟକାରିତାରେ ସେମାନେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଆସୁଛନ୍ତି। ଏଥିସହ ବିଭିନ୍ନ ସରକାରୀ କଲ୍ୟାଣକାରୀ କାର୍ଯ୍ୟ, ନିର୍ବାଚନ ଦାୟିତ୍ୱ, କୋଭିଡ-୧୯ ସମୟରେ ସେବା, ହିତାଧିକାରୀ ସର୍ଭେ, ଇ-କେୱାଇସି ଏବଂ ଘରେ ଘରେ ଅତ୍ୟାବଶ୍ୟକ ସାମଗ୍ରୀ ବଣ୍ଟନ ଭଳି କାର୍ଯ୍ୟରେ ମଧ୍ୟ ସେମାନେ ସାମିଲ ହେଉଛନ୍ତି।

ଏତେ ବର୍ଷ ଧରି ବିଭିନ୍ନ ଦାୟିତ୍ୱ ତୁଲାଇବା ସତ୍ତ୍ୱେ ଯୋଗାଣ ସହାୟକମାନଙ୍କୁ ମାସିକ ମାତ୍ର ୮ ହଜାର ଟଙ୍କା ପାରିଶ୍ରମିକ ମିଳୁଥିବା ସେମାନେ ଦାବି କରିଛନ୍ତି। ଏହି ଅର୍ଥରେ ବର୍ତ୍ତମାନ ସମୟରେ ପରିବାର ଚଳାଇବା କଷ୍ଟକର ହେଉଥିବାରୁ ସେବା ଓ ଦାୟିତ୍ୱ ଅନୁପାତରେ ପାରିଶ୍ରମିକ ବୃଦ୍ଧି କରିବାକୁ ସେମାନେ ଦାବି ଜଣାଇଛନ୍ତି।

ଯୋଗାଣ ସହାୟକମାନେ ନିଜର ଦୀର୍ଘଦିନର ସମସ୍ୟା ଓ ଦାବିଗୁଡ଼ିକୁ ସରକାରଙ୍କ ନିକଟରେ ଉପସ୍ଥାପନ କରି ଏହାର ସମାଧାନ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ଏମ୍‌ପିଙ୍କୁ ଅନୁରୋଧ କରିଛନ୍ତି। ସ୍ମାରକପତ୍ର ପ୍ରଦାନ ସମୟରେ ଗଞ୍ଜାମ ବ୍ଲକ ସଭାପତି ଜି. ପ୍ରସାଦ ରାଓ, ଉପସଭାପତି ଅନିତା ବେହେରା, ନବୀନ ସିଂ ପ୍ରମୁଖ ଉପସ୍ଥିତ ଥିଲେ।

 

Dharitri – Odisha’s No.1 Odia Daily

 

Share