ତୁରନ୍ତ ଟ୍ରେନ ଚଳାଇବାକୁ ଏମ୍‌ପି ଚନ୍ଦ୍ରାଣୀଙ୍କ ଦାବି

କେନ୍ଦୁଝର, ୨୪।୧(ସ୍ବ.ପ୍ର./ଡି.ଏନ.ଏ.): କେନ୍ଦୁଝର ଜିଲାରେ ପୁରୀ -ବଡ଼ବିଲ ଇଣ୍ଟରସିଟି ଏକ୍ସପ୍ରେସ ଚଳାଚଳ ପାଇଁ ଏମ୍‌ପି ଚନ୍ଦ୍ରାଣୀ ମୂର୍ମୁ କେନ୍ଦ୍ର ରେଳମନ୍ତ୍ରୀଙ୍କଠାରେ ଦାବି କରିଛନ୍ତି। କରୋନା ମହାମାରୀ ପାଇଁ ଏହି ଟ୍ରେନ ମାର୍ଚ୍ଚ ୨୦୨୦ରୁ ବନ୍ଦ ରହିଥିଲା। ଏବେ ଜୀବନ ଯାତ୍ରା ସ୍ବାଭାବିକ ହେଉଥିବା ବେଳେ ସ୍କୁଲ, କଲେଜ ଖୋଲିଗଲାଣି। ଏପରିକି ପଡୋଶୀ ମୟୂରଭଞ୍ଜ ଜିଲାକୁ ପୁରୀ-ବାଙ୍ଗିରିପୋଷି ଟ୍ରେନ ଚଳାଚଳ ଆରମ୍ଭ ହୋଇଛି। କେନ୍ଦୁଝର ଜିଲାରୁ ରେଳବାଇ ଦୈନିକ ପନ୍ଦର କୋଟି ରାଜସ୍ବ ପାଉଥିଲେ ହେଁ ଜିଲାବାସୀଙ୍କ ପ୍ରତି ଅଣଦେଖା କରି ଟ୍ରେନ ଚଳାଚଳ କରାଯାଉନାହିଁ ବୋଲି ସେ କହିଛନ୍ତି। ଗତ ଅକ୍ଟୋବର ମାସରେ ସପ୍ତାହରେ ତିନି ଦିନ ଚାଲିଥିବା ବେଳେ କ୍ଷତି ଦର୍ଶାଇ ବନ୍ଦ କରିଦିଆଯାଇଥିଲା। ଏଣୁ ଟ୍ରେନ ଚଳାଚଳ ହେଲେ ଦୈନିକ ତିନି ହଜାର ଲୋକ ଯାତାୟାତ ସୁବିଧା ପାଇ ପାରିବେ ବୋଲି ଜଣାଇଛନ୍ତି। ତୁରନ୍ତ ପଦକ୍ଷେପ ନେଇ ଟ୍ରେନ ଚଳାଚଳ କରା ନ ଗଲେ ରାଜନୈତିକ ଦଳ ତଥା ସାଧାରଣ ନାଗରିକ ମାଲ୍‌ବାହୀ ଟ୍ରେନ ଅଟକାଇ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ସେ କହିଛନ୍ତି।