କାନ୍ଦିଲେ ଅପରାଜିତା

ପୁରୀ ଅଫିସ,୨୭।୪: ମହାପ୍ରଭୁଙ୍କ ଦର୍ଶନ ପାଇଁ ବାହାରିଥିବା ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡଙ୍ଗୀଙ୍କ ପୁରୀ ଗସ୍ତକୁ ନେଇ ରାଜନୀତି ସରଗରମ ରହିଛି। ଗୋଟିଏ ପଟେ ଐତିହ୍ୟ କରିଡର ପ୍ରକଳ୍ପକୁ ବିରୋଧ କରି ସେ ଶ୍ରୀମନ୍ଦିର ବଞ୍ଚାଅ ଅଭିଯାନ ପଦଯାତ୍ରାରେ ସାମିଲ ହେବା କାର୍ଯ୍ୟକ୍ରମ ରହିଥିଲା। ହେଲେ ପୁରୀ ପ୍ରଶାସନ ପକ୍ଷରୁ ଅନୁମତି ନ ମିଳିବାରୁ ସେ କେବଳ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀ ଯିବେ ବୋଲି କୁହାଯାଇଥିଲା। ହେଲେ ବୁଧବାର ଚନ୍ଦନପୁର କାଠପୋଲ ନିକଟରେ ପୋଲିସ ଓ ପ୍ରଶାସନ ତାଙ୍କୁ ଅଟକାଇବା ପରେ ସେଠାରୁ ସେ ଚାଲି ଚାଲି ପୁରୀ ଅଭିମୁଖେ ବାହାରିଥିଲେ। ପ୍ରାୟ ଦେଢ କିମି ଚାଲି ମାଳତିପୁର ଷ୍ଟେଶନ ନିକଟରେ ପହଞ୍ଚିବା ପରେ ତାଙ୍କୁ ଗାଡ଼ି ଯୋଗେ ଶ୍ରୀମନ୍ଦିର ଅଭିମୁଖେ ଯିବାକୁ ଅନୁମତି ମିଳିଥିଲା। ଅପରାଜିତା ପୁରୀ ସିଂହଦ୍ୱାର ସମ୍ମୁଖରେ ପହଞ୍ଚି ପ୍ରଭୁଙ୍କୁ ପ୍ରଣାମ କରି ଅରୁଣ ସ୍ତମ୍ଭ ନିକଟରେ ନିକଟରେ କିଛି ସମୟ ପାଇଁ ବସି ପଡ଼ିଥିଲେ। ଏପରିକି ସେ ବଡ଼ଦାଣ୍ଡରେ ମୁଣ୍ଡିଆ ମାରି କାନ୍ଦି ପକାଇଥିଲେ। ଏହାପରେ ସେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ।