ସମାଧାନ ନ ହେଲେ ଆନ୍ଦୋଳନ ଚେତାବନୀ

ନାଉଗାଁ,୧୯ା୧୧(ସ୍ବ.ପ୍ର.): ନାଉଗାଁ ବ୍ଲକରେ କେନ୍ଦ୍ର ଆଦିବାସୀ, ଜଳଶକ୍ତି ରାଷ୍ଟ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ଗାଡ଼ିକୁ ଅଣ୍ଡାମାଡ଼ ଘଟଣାରେ ପୋଲିସ ୪ ଜଣଙ୍କ ନାମରେ ମିଥ୍ୟା ମାମଲା ରୁଜୁ କରି ରାଜ୍ୟ ଛାତ୍ର କଂଗ୍ରେସ ଉପ ସଭାପତି ପ୍ରୀତମ ପରିଜାଙ୍କୁ ଗିରଫ କରିଛି ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି। ଏନେଇ ବ୍ଲକ କଂଗ୍ରେସ ସଭାପତି ନିରଞ୍ଜନ ବେହୁରାଙ୍କ ନେତୃତ୍ୱରେ ଦଳୀୟ କାର୍ଯ୍ୟାଳୟରେ ଶୁକ୍ରବାର ଏକ ଖବରଦାତା ସମ୍ମିଳନୀର ଆୟୋଜନ କରାଯାଇଛି। ଏଥିରେ ଦର୍ଶାଯାଇଛି, ୧୬ ତାରିଖରେ ମନ୍ତ୍ରୀଙ୍କ ଗସ୍ତକୁ ଅଲଣାହାଟରେ ବିରୋଧ କରାଯାଇଥିଲା। ଏନେଇ ଯୁବ ଓ ଛାତ୍ର କଂଗ୍ରେସର କର୍ମୀମାନେ କଳାପତାକା ପ୍ରଦର୍ଶନ କରି ଗାଡ଼ିକୁ ଅଣ୍ଡାମାଡ କରିଥିଲେ। କିନ୍ତୁ ନାଉଗାଁ ପୋଲିସ କଂଗ୍ରେସ କର୍ମୀମାନଙ୍କୁ ଅସାମାଜିକ ବୋଲି ଦର୍ଶାଇବା ସହ ପଥରମାଡ଼ ହୋଇଥିବା ଅଭିଯୋଗ କରି ସଙ୍ଗିନ ଦଫା ଲଗାଇ ମାମଲା ରୁଜୁ କରିଛି। ତୁରନ୍ତ ଏହି ସମସ୍ୟାର ସମାଧାନ ନ ହେଲେ ଆଗାମୀ ଦିନରେ କଂଗ୍ରେସ ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥାଗ୍ରହଣ କରାଯିବ ବୋଲି ଖବରଦାତା ସମ୍ମିଳନୀରେ ଚେତାବନୀ ଦିଆଯାଇଛି। ଏହି ସମ୍ମିଳନୀରେ ଜିଲା କଂଗ୍ରେସ ଉପସଭାପତି ବିଚିତ୍ରାନନ୍ଦ ଲେଙ୍କା, ପୂର୍ବତନ ଜିଲା ପରିଷଦ ସଭ୍ୟ ଦୁଃଶାସନ ନାୟକ, ପୂର୍ବତନ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ବେଣୁଧର ସ୍ବାଇଁ, ରୋହିଆ ସରପଞ୍ଚ ଶିବ ପ୍ରସାଦ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।