ସ୍ବାସ୍ଥ୍ୟସେବା ନ ସୁଧାରିଲେ ଆନ୍ଦୋଳନ ଚେତାବନୀ

ବାଲେଶ୍ୱର ଅଫିସ, ୨୬।୮-ବାଲେଶ୍ୱର ସରକାରୀ ମେଡିକାଲ୍‌ କଲେଜ୍‌ ହସ୍ପିଟାଲ୍‌କୁ ଆସୁଥିବା ରୋଗୀମାନେ ଆବଶ୍ୟକ ଚିକିତ୍ସା ନ ପାଇ ମୃତ୍ୟୁବରଣ କରୁଥିବା ଅଭିଯୋଗ ପରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ ସ୍ବତନ୍ତ୍ର ବୈଠକ ବସିଥିଲା। ଅନୁଷ୍ଠାନ ସମ୍ପାଦକ ନିରଞ୍ଜନ ରାଉତ ଅଧ୍ୟକ୍ଷତା କରିଥିଲେ। ଜିଲା ପ୍ରଶାସନ ଓ ସ୍ବାସ୍ଥ୍ୟବିଭାଗ ଅଧିକାରୀଙ୍କ ଅବହେଳାରୁ ଏଭଳି ଘଟଣା ଘଟୁଥିବା ଏବଂ ପ୍ଲାଜ୍‌ମା ଥେରାପିରେ ଗୁରୁତର ରୋଗୀମାନେ ସୁସ୍ଥ ହେଉଥିବା ଖବର ସରକାରୀ ଭାବେ ଦର୍ଶାଯାଉଥିବା ବେଳେ ବାଲେଶ୍ୱରରେ ତାହା ସଫଳ ହେଉନାହିଁ ବୋଲି କେତେକ ସଦସ୍ୟ ଅଭିଯୋଗ କରିଥିଲେ।
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଘୋଷିତ ସମସ୍ତ କଟକଣାକୁ ବାଲେଶ୍ୱର ଜିଲାପାଳ ଜିଲାବାସୀଙ୍କ ପାଇଁ କଡ଼ାକଡ଼ି ଲାଗୁ କରିଥିଲେ ମଧ୍ୟ ସ୍ବାସ୍ଥ୍ୟବିଭାଗ ତଥା ଜିଲା ପ୍ରଶାସନର ବହୁ ସରକାରୀ ଅଧିକାରୀ ଓ କର୍ମଚାରୀ କରୋନା ଭୂତାଣୁ ସଂକ୍ରମଣରେ ସଂକ୍ରମିତ ହୋଇଛନ୍ତି। କରୋନା ଯୋଦ୍ଧା ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀମାନେ ଜଣେ ସାଧାରଣ ରୋଗୀ କରୋନା ସଂକ୍ରମିତ ଜାଣିବା ପରେ ସେମାନେ ଆବଶ୍ୟକ ଚିକିତ୍ସା ପ୍ରଦାନ କରୁ ନ ଥିବା ଜିଲାବାସୀଙ୍କୁ ବ୍ୟଥିତ କରିଛି। ସେହିପରି ବାଲେଶ୍ୱରରେ ପ୍ଲାଜ୍‌ମା ବ୍ୟାଙ୍କ୍‌ ପ୍ରତିଷ୍ଠା ହୋଇଥିଲେ ମଧ୍ୟ ରକ୍ତ ପୃଥକୀକରଣ କେନ୍ଦ୍ର ଅଦ୍ୟାବଧି କାର୍ଯ୍ୟକ୍ଷମ ହୋଇପାରିନାହିଁ। ଆବଶ୍ୟକ ଯନ୍ତ୍ରାଂଶ ଦୀର୍ଘଦିନ ଧରି ବାଲେଶ୍ୱରରେ ପହଞ୍ଚତ୍ଥିଲେ ମଧ୍ୟ ବିଶେଷଜ୍ଞ ଡାକ୍ତର ଓ ଟେକ୍‌ନିସିଆନ୍‌ ନିଯୁକ୍ତି କରାଯାଉ ନ ଥିବାରୁ ଏହା କାର୍ଯ୍ୟକ୍ଷମ ହୋଇପାରିନାହିଁ। ବାଲେଶ୍ୱର ହସ୍‌ପିଟାଲ୍‌ ପରିସରରେ ଥିବା ଜନୌଷଧି କେନ୍ଦ୍ରକୁ ଇଚ୍ଛାକୃତ ଭାବେ ବନ୍ଦ କରିଦେବା ଦ୍ୱାରା ରୋଗୀମାନେ ଅଧିକ ଦାମ୍‌ରେ ବିଭିନ୍ନ କମ୍ପାନୀର ଔଷଧ କିଣିବାକୁ ବାଧ୍ୟ ହେଉଛନ୍ତି। ଏଭଳି ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବାକୁ ବିରୋଧ କରି ଆସନ୍ତା ଅଗଷ୍ଟ ୨୭ ତାରିଖରେ ଜିଲାପାଳଙ୍କ ଅଫିସ୍‌ ସମ୍ମୁଖରେ ଜିଲା କ୍ରିୟାନୁଷ୍ଠାନ କମିଟି, ବିଭିନ୍ନ ସାମାଜିକ ଗଣସଙ୍ଗଠନ ତଥା ବୁଦ୍ଧିଜୀବୀଙ୍କୁ ନେଇ ଧାରଣା ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି। ବୈଠକରେ ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା, ଜିଲା ପରିଷଦ ସଭ୍ୟ ସୀତାରାମ ପ୍ରଧାନ, ଜିଲା କମିଟିର ନିରଞ୍ଜନ ପରିଡ଼ା, ପ୍ରସନ୍ନ ପାଢ଼ୀ, ସରସ୍ବତୀ ପଣ୍ଡା, ଜ୍ୟୋତ୍ସ୍ନା ପାଣି, ଯୋଗେଶ ପ୍ରଧାନ, ଶ୍ରଦ୍ଧାଞ୍ଜଳି ରାୟ, ଅର୍ଚ୍ଚନା ନନ୍ଦୀ, ଗୌରାଙ୍ଗ ପାଣିଗ୍ରାହୀ, ପ୍ରଭାକର ସାହୁ, ଶ୍ୟାମସୁନ୍ଦର ଜେନା, ପ୍ରଭାକର ବେହେରା, ନବକୃଷ୍ଣ ପୋଥାଳ, ଇନ୍ତେକାମ୍‌ ଅଲ୍ଲୀ ଖାଁ ପ୍ରମୁଖ ଅଂଶଗ୍ରହଣ କରିଥିଲେ।